ଶାସନ ବ୍ୟବସ୍ଥା ବିରୋଧରେ ଚତୁର୍ଥ ଦିନରେ “ବ୍ଲକ ଓ ମ୍ୟୁନିସିପାଲିଟି” ଘେରାଓ କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ : ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାଧାରଣ ଓଡିଆ ଲୋକମାନେ ଆଜି ଅଣନିଶ୍ୱାସୀ । ପଂଚାୟତ, ବ୍ଲକ ରୁ ସଚିବାଳୟ – ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପିଛି । ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଥିବାବେଳେ ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ ହେଉଛି । “ଅଣଓଡିଆ ଅଫିସର - ଠିକାଦାର – ବ୍ୟବସାୟୀ” ମଧୁଚନ୍ଦ୍ରିକାରେ ରାଜ୍ୟର ବିକାଶକୁ ଲୁଂଠନ କରାଯାଉଛି । ୫୦% ପିସି କମିଶନ ଟଙ୍କାରେ ବିଜେଡି ନେତା, ମନ୍ତ୍ରୀ ଓ କୁଜିନେତାମାନେ ମାଲେମାଲ ହେଉଛନ୍ତି, କିନ୍ତୁ ସାଧାରଣ ଲୋକଟି ନିଜ ହକ୍ ପାଇବାରୁ ବଂଚିତ ରହୁଛନ୍ତି । ଚିଟଫଣ୍ଡ ମହାଦୁର୍ନୀତିର ଶିକାର ହୋଇ ଆଜି ଲକ୍ଷ ଲକ୍ଷ ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି । ଓଡିଶାବାସିଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍ଫଣ୍ଡ ଜରିଆରେ ଲୁଟ୍ କରାଗଲା । ରାଜ୍ୟ ସରକାରଙ୍କ ଆବେଦନଠାରୁ ଅଧିକ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ପକ୍କା ଘର ଯୋଗାଇ ଦେବା ସତ୍ୱେ ଆଜି ବି ଲକ୍ଷ ଲକ୍ଷ ପରିବାର ମୁଣ୍ଡ ଉପରେ ଛାତ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଗରିବ ଲୋକଟିଏ ବିଜେଡିର ନେତା ଓ ଅପିସରମାନଙ୍କୁ ୨୦ ହଜାର ଟଙ୍କା ଲାଂଚ ଦେଉଛି । ଘରକୁ ଟ୍ୟାପ୍ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୋଦି ସରକାର ଜଳ ଜୀବନ ମିଶନରେ ଓଡିଶାକୁ ଦେଇଥିବା ୧୫ ହଜାର କୋଟି ଅର୍ଥରାଶିକୁ ବିଜେଡିର ନେତା ଅଫିସର ମାନେ ଲୁଟ୍ କରୁଛନ୍ତି । ବିଧବା ଭତା ଓ ବାର୍ଦ୍ଧକ୍ୟ ଭତାଟିଏ ପାଇବା ପାଇଁ ଅସହାୟ ଲୋକଟିଏକୁ ହଜାରେ ଟଙ୍କା ଲାଂଚ ମଗାଯାଉଛି । ମନରେଗାରେ କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ଗରିବ ଲୋକଙ୍କୁ ମଜୁରୀ ଆକାରରେ ନମିଳି ବିଜେଡିର ଠିକାଦାର ପକେଟକୁ ଯାଉଛି । ଧାନକିଣା ଦୁର୍ନୀତି ହେଉଛି ଅନ୍ୟତମ ବଡ ଦୁର୍ନୀତି । ‘ମିଲର୍ - ଦଲାଲ୍ – ରାଜ୍ୟ ସରକାର’ ଅସାଧୁ ମେଂଟ କାରଣରୁ ଚାଷୀମାନେ ହନ୍ତସନ୍ତ । ଡିଏମଏଫ ବାବଦରେ କେନ୍ଦ୍ର ସରକାର ଦେଉଥିବା ହଜାର ହଜାର କୋଟି ଟଙ୍କା ଆଜି ବିନା ଟେଣ୍ଡରରେ ଖର୍ଚ୍ଚ ହୋଇ ବ୍ୟାପକ ଦୁର୍ନୀତି ହେଉଛି । ଦୀର୍ଘ ୨୩ ବର୍ଷ ଧରି ଓଡିଶାରେ ଚାଲିଥିବା ବିଜେଡି ସରକାରର ଲମ୍ବା ଦୁର୍ନୀତିର ତାଲିକା ରାଜ୍ୟବାସୀଙ୍କୁ ଅଛପା ନାହିଁ । ବିଜେଡି ଶାସନର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସମଗ୍ର ଓଡିଶାବାସୀ ତ୍ରାହି ତ୍ରାହି ଡାକିଲେଣି । ବିଜେପି ଆନ୍ଦୋଳନର ଡାକରା ଦେଇଛି ସତ, କିନ୍ତୁ ସାଧାରଣ ଲୋକ ଏହାର ନେତୃତ୍ୱ ନେଉଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
‘ଲ’ଲେସ୍ନେସ୍’ର ଶୀକାର ହୋଇ ନବୀନ ସରକାରରେ ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଛି ଓଡିଶା । ଶାସକ ଦଳର ୪୦ରୁ ଅଧିକ ବିଜେଡି ସାଂସଦ ଓ ବିଧାୟକ ମାନଙ୍କ ନାଁରେ ଯୈାନ ନିର୍ଯ୍ୟାତନାର ମାଳମାଳ ଅଭିଯୋଗ ରହିଛି । ନାବାଳିକା ଅପହରଣ ଓ ଦୁଷ୍କର୍ମରେ ଓଡିଶା ଭାରତବର୍ଷର ୧ ନମ୍ବର ସ୍ଥାନ ଅଧିକାର କରିଛି । ନିଶା କାରବାରର ପେଂଠସ୍ଥଳୀ ପାଲଟିଛି ଓଡିଶା । ଓଡିଶାରେ ଗ୍ରାମସଭା ଓ ପଲ୍ଲୀସଭାକୁ ବନ୍ଦ କରାଯାଇଛି । ନିର୍ବାଚିତ ଜନପ୍ରତିନିଧିମାନଙ୍କ କ୍ଷମତାକୁ ସଂକୁଚିତ କରାଯାଇ ଅଫିସରମାନଙ୍କୁ ସର୍ବେସର୍ବା କରାଯାଇଛି । ରାଜ୍ୟରେ ଗଣତନ୍ତ୍ର ଓ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଛି ।
ଓଡିଶାରେ ଚାଲିଥିବା ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଆଗରେ ବିଜେପି ତରଫରୁ ଗତ ୧୪ ତାରିଖଠାରୁ ଜନଆକ୍ରୋଶ ଆନ୍ଦୋଳନ ଆରମ୍ଭ ହୋଇଛି । ଏ ଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ ବୋଲି ଶ୍ରୀ ସାମଲ କହିଛନ୍ତି ।
📱 Get Argus News App
✨ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ, ସବଡେଗା, ହେମଗିରି, କୁତ୍ରା, ଝାରସୁଗୁଡା ମ୍ୟୁନିସିପାଲିଟି, ଢେଙ୍କାନାଳ ଜିଲ୍ଲାର ଓଡପଡା, ଭୁବନ, ପରଜଙ୍ଗ, ଅନୁଗୁଳ ମ୍ୟୁନିସିପାଲିଟି ସମେତ ଜିଲ୍ଲାର କଣିଆଁ, ଛେଣ୍ଡିପଦା, ସମ୍ବଲପୁର ଜିଲ୍ଲାର ବାମଡା, ଯୁଯୋମୁରା, ଦେବଗଡ ଜିଲ୍ଲାର ବାରକୋଟ, ଯାଜପୁର ଜିଲ୍ଲାର ସୁକିନ୍ଦା, କୋରାପୁଟ ଜିଲ୍ଲାର ଦଶମନ୍ତପୁର, ଜୟପୁର ମ୍ୟୁନିସିପାଲିଟି, ବୈପାରୀଗୁଡା, ସୁନାବେଡା ଏନଏସି, କଳାହାଣ୍ଡି ଜିଲ୍ଲାର କେସିଙ୍ଗା, ନର୍ଲା, ଲାଞ୍ଜିଗଡ, ଧର୍ମଗଡ, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲୀ, ବରଗଡ ଜିଲ୍ଲାର ଅତାବିରା, ବଲାଙ୍ଗୀର ଜିଲ୍ଲାର ବେଲପଡା, ବାଲେଶ୍ୱର ଜିଲ୍ଲାର ରେମୁଣା, ଜଳେଶ୍ୱର ଆଦି ସ୍ଥାନରେ ବ୍ଲକ ଓ ମ୍ୟୁନିସିପାଲିଟି ଘେରାଓ କରାଯାଇଛି ବୋଲି ଏକ ପ୍ରେସ ଇସ୍ତାହାରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଜଣାଇଛନ୍ତି ।