୨୪ ନିର୍ବାଚନ ପୂର୍ବରୁ ବିଜେଡିକୁ ଅନ୍ତର୍ଘାତୀ ଭୟ

ଅର୍ଗସ ବ୍ୟୁରୋ : ବର୍ତ୍ତମାନ ଯେଉଁମାନେ ବିଜେଡି ବିଧାୟକ ଅଛନ୍ତି ସେମାନେ ଚାହୁଁଛନ୍ତି, ଆମେ ରିପିଟ୍ ହେବୁ । ଯେଉଁମାନେ ନାହାନ୍ତି ସେମାନେ ବି ଚାହୁଁଛନ୍ତି ଆମେ ପ୍ରାର୍ଥୀ ହେବୁ । ବିଜେଡିରେ, ମୁଖିଆ ଯାହାକୁ ଚାହିଁବେ ସେ ହେବ ପ୍ରାର୍ଥୀ । ୨୦୧୯ରେ ୧୧୩ ସିଟ୍ ଜିତି ସରକାର ଗଢିଥିବା ବିଜେଡିରେ ଏବେ ଏଭଳି ସ୍ଥିତି । କେଉଁଠି ବିଧାୟକଙ୍କୁ ଟାର୍ଗେଟ କରାଯାଉଛି ତ କେଉଁଠି ସମାନ୍ତରାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଜେଡି ନେତା । ନିର୍ବାଚନ ତାରିଖ ପାଖେଇବା ସହ ଚଳଚଞ୍ଚଳ ହୋଇଛି ଜଗତସିଂହପୁର ରାଜନୀତି । ଟିକେଟ କିଏ ନେବ, ତାକୁ ନେଇ ଆରମ୍ଭ ହେଲାଣି ବଳ କଷାକଷି । ଜଗତସିଂହପୁର ବଜାରରେ ନିଜର ଦମ ଦେଖାଇଛନ୍ତି ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ଅମରେନ୍ଦ୍ର ଦାସ । ବିଧାୟକଙ୍କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜଗତସିଂହପୁର ବିଧାନସଭା ସିଟ୍ ପାଇଁ ଅନ୍ୟତମ ଦାବିଦାର ହେଉଛନ୍ତି ଅମରେନ୍ଦ୍ର । ହଜାର ହଜାର ଯୁବକ, ମହିଳା ମାନଙ୍କୁ ନେଇ ବିରାଟ ଶୋଭାଯାତ୍ରା ଏବଂ ଜନ ସମାବେଶ କରି ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଓଗାଳିଛନ୍ତି ବିଷ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନିର୍ବାଚନ ଆଗରୁ ଉଗ୍ର ହେଉଛି ବିଜେଡି କଳି । ଦିନକୁ ଦିନ ବଢି ଚାଲିଛି ଆଶାୟୀଙ୍କ ସଂଖ୍ୟା । ଆସିକା ନିର୍ବାଚନ ମଣ୍ଡଳୀରେ ବି ସ୍ଥିତି ସଙ୍ଗୀନ । ପୁଣି ତେଜିଲାଣି ମା ପୁଅ-ହଟାଓ ନାରା । ବନ୍ଧୁ ମିଳନ ନାଁରେ ଗତ ଶୁକ୍ରବାର ଖମ୍ବେଶ୍ବର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ମେଳି କରିଥିଲେ ନିର୍ବାଚିନ ମଣ୍ଡଳୀର ୩୯ ପଞ୍ଚାୟତ ଓ ଆସିକା ଏନଏସିର ବହୁ ପୁରୁଖା ନେତା ଓ ନିର୍ବାଚିତ ପ୍ରତିନିଧି । ଏଥର ନିର୍ବାଚନରେ ବିଧାୟିକା କିମ୍ବା ତାଙ୍କ ପରିବାର କୌଣସି ସଦସ୍ୟଙ୍କୁ ଟିକେଟ ନଦେବାକୁ ଗଣମାଧ୍ୟମ ଜରିଆରେ ଦଳ ସୁପ୍ରିମୋଙ୍କୁ ଦାବି କରିଛନ୍ତି ସମସ୍ତ ନେତା ।
ତେବେ କେବଳ ଆସିକା ନୁହେଁ, ରାଜ୍ୟ ରାଜଧାନୀରେ ମଧ୍ୟ ଜଳୁଛି ବିଦ୍ରୋହର ବହ୍ନି । ନୂଆବର୍ଷରେ ବନ୍ଧୁମିଳନ ଆଳରେ ଆଶାୟୀ ପ୍ରାର୍ଥୀଙ୍କ ପାୱାର ସୋ । ଭୁବନେଶ୍ଵର - ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଗଡ଼ରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଉତ୍ତର ନିର୍ବାଚନ ମଣ୍ଡଳୀର ଗଣ୍ଡରପୁର ଗାଁରେ ଦଳୀୟ ସଭା କରିବା ସହ ୨୪ ନିର୍ବାଚନ ପାଇଁ ଟିକେଟ ରେସରେ ମୁଁ ଅଛି ଓ ଲୋକ ମୋ ସହିତ ଥିବା କଥା କହିଛନ୍ତି ପ୍ରିୟଦର୍ଶୀ । ବାଲେଶ୍ଵର ଜିଲ୍ଲରେ ବି ବୃଦ୍ଧି ପାଇଛି ଦଳୀୟ ଗୋଳ । ବସ୍ତା ବିଜେଡ଼ିରେ ବିଦ୍ରୋହର କମ୍ପନ । ବୁଧବାର ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଦୁଇ ବରିଷ୍ଠ ନେତା ରବୀନ୍ଦ୍ର ଅଣ୍ଡିଆ ଓ ହେମନ୍ତ ଦାସଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଦୀର୍ଘ ଦିନରୁ ବସ୍ତା ବିଜେଡ଼ିର ଗୋଷ୍ଠୀ କନ୍ଦଳ ଓ ଟିକେଟ୍ ପ୍ରତିଯୋଗିତା ଘଟଣା ଚର୍ଚ୍ଚାରେ ରହିଆସିଥିଲା ।
📱 Get Argus News App
✨ତେବେ ହଠାତ୍ ରବିନ୍ଦ୍ର ଅଣ୍ଡିଆଙ୍କ ଦଳରୁ ନିଲମ୍ବନ ସମସ୍ତଙ୍କୁ ଚକିତ କରିଛି । ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଏ ବାବଦରେ ପଚାରିବାରୁ ସେ କୌଣସି ଖବର ପାଇନଥିବା ଓ ତାଙ୍କର ମତାମତ କେହି ନେଇ ନାହାନ୍ତି ବୋଲି କହିଛନ୍ତି । ଅନ୍ୟପଟେ ବିଧାୟକଙ୍କ ସମର୍ଥନ ରବିନ୍ଦ୍ରଙ୍କ ପ୍ରତି ଥିବାରୁ ଏଥର ବସ୍ତାରୁ ଟିକେଟ୍ ପାଇବାର ବି ସମ୍ଭାବନା ଥିଲା । ତେଣୁ ବେଳ ଥାଉ ଥାଉ ରାସ୍ତାରୁ କଣ୍ଟା ସଫା କରିବାକୁ ବାଲେଶ୍ଵର ଜିଲ୍ଲା ସଭାପତି ଅଶ୍ଵିନୀ ପାତ୍ର ଏଭଳି ନିଷ୍ପତି ନେଲେ ବୋଲି ଚର୍ଚ୍ଚା ହେଉଛି । ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ଚରମସୀମାରେ । ସ୍ଥିତି ଏମିତି ଯେ, ଆଶାୟୀ କହିଲେଣି ଟିକେଟ ନଦେଲେ ଦଳକୁ ହରାଇ ଦେବେ । ଏହା ହିଁ ରାଜୁ ସିଣ୍ଡ୍ରୋମ । ଗୋଟିଏ ଗୋଟିଏ ସିଟ୍ ପାଇଁ ୩ରୁ ୪ ଜଣ ଆଶାୟୀ । ବିଜେଡିରେ ଯଦି ବିଦ୍ରୋହୀଙ୍କ ସଂଖ୍ୟା ବଢେ ତେବେ ସାଙ୍ଘାତିକ ସ୍ଥିତି ହେବ ବୋଲି ଚର୍ଚ୍ଚା ହେଉଛି ।