ନକଲି ସୁନାଶଙ୍ଖ ବିକ୍ରି ଅଭିଯୋଗରେ ୪ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ଠାରେ ପୁଣି ନକଲି ଶଙ୍ଖ ବିକ୍ରୀ ଅଭିଯୋଗ । ଲୋକ ବାରମ୍ବାର ଏଥିରେ ଠକାମୀର ଶିକାର ହେଉଛନ୍ତି। ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉମରକୋଟ ପୋଲିସ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରି କୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି। ଠକାମୀର ଶିକାର ହେଲେ ପୁରୀ ଜିଲା ଗୋଡିଶାଗଡା ଥାନା ଅଧିନ ଅଲିବାଗ ଗ୍ରାମର ରାଜେଶ ପଲେଇ । ରାଜେଶ ଏ ନେଇ ଗତ ନଭମ୍ବର ୪ ରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ଅନୁସାରେ ଉମରକୋଟ ଥାନା ଅନ୍ତର୍ଗତ ଏକମ୍ୱା ଗ୍ରାମ ର ପଲ୍ଲବ ନାମକ ଜଣେ ବ୍ୟକ୍ତି ପୁରୀ ଜିଲା ର ରାଜେଶ ପଲେଇ ଙ୍କୁ ଏକ ଶଙ୍ଖ ଦେଖାଇ ଥିଲା ।ଏହା ସୁନା ବୋଲି କହିବା ସହ ଏହାକୁ ୩ ଲକ୍ଷ ଟଙ୍କାରେ ବିକ୍ରୀ କରିବା ପାଇଁ ଚାହୁଁଛି ବୋଲି କହିଥିଲା।
ଅଧିକ ପଢନ୍ତୁ ଓଡିଶା ଖବର
ତୁରନ୍ତ ରାଜେଶ ବାପାଙ୍କୁ ଫୋନ କରି ସୁନା ଶଙ୍ଖ ସମ୍ପର୍କ ରେ ଅବଗତ କରିଥିଲେ ଓ କିଣିବା ପାଈଁ ଆଗ୍ରହ ପ୍ରକାଶ କରିଥିଲେ। ଏହା ପରେ ରାଜେଶଙ୍କ ବାପା ଏକମ୍ବା ଆସିଥିଲେ ଓ ପଲଭ ଠାରୁ ସୁନା ଶଙ୍ଖକୁ ୩ ଲକ୍ଷ ଟଙ୍କାରେ କ୍ରୟ କରିଥିଲେ। ଯେତେବେଳେ ରାଜେଶଙ୍କ ବାପା ଶଙ୍ଖକୁ ପରୀକ୍ଷା କରିବା ପାଇଁ ବାହାରିଥିଲେ , ପଲଭ ଏହାକୁ ନକରିବା ପାଇଁ ଧମକ ଦେଇଥିଲେ। ପରେ ରାଜେଶ ଓ ତାଙ୍କ ପିତା ଶଙ୍ଖକୁ ପରୀକ୍ଷା କରି ଦେଖିବା ବେଳକୁ ଏହା ସୁନା ନୁହେଁ ବରଂ ଏହା ପିତ୍ତଳ ବୋଲି ଜଣା ପଡିଥିଲା। ଏହା ଜାଣିବା ପରେ ରାଜେଶ ନଭେମ୍ବର ୪ ତାରିଖ ରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ଉମରକୋଟ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରି କରିଥିଲା । ପରେ ଉମରକୋଟ ପୋଲିସ ଉମରକୋଟ ଶିବାଜୀ ନଗରର ଛବିନ୍ଦ୍ର ସାହୁ, ଡାବୁଗାଁ ଥାନାର ଜାମଗୁଡ଼ା ଗ୍ରାମ ର ଗଣେଶ ପନକା, କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଆମ୍ବଗାଁ ଗ୍ରାମର କ୍ରିଷ୍ଣା ପନକା, ଡାବୁଗାଁ ଥାନା ଅନ୍ତର୍ଗତ ମାଝୀଗୁଡ଼ା ଗ୍ରାମର ହିରାସିଂ ହରିଜନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ଦୁଇଟି ପିତଳ ଶଙ୍ଖ, ୪୦୦୦୦ ଟଙ୍କା,ଗୋଟିଏ କାର, ଦୁଇଟି ଛୁରୀ, ଲାଠି ୨ ଟି ଓ ୪ ଟି ମୋବାଇଲ ଜବତ କରିଛି। ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପାପଡ଼ାହାଣ୍ଡି ପୋଲିସ ଉପଖାଣ୍ଡ ଅଧିକାରୀ ଆଦିତ୍ୟ ସେନ୍ ସୂଚନା ଦେଇଛନ୍ତି।