Videos
|
Odisha

BMC Expansion / ବଢ଼ିବ ରାଜଧାନୀର ପରିସୀମା, BMCରେ ମିଶିବ ଉପକଣ୍ଠର ୪୬ ଗାଁ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବଢ଼ିବ ରାଜଧାନୀର ପରିସୀମା, BMCରେ ମିଶିବ ଉପକଣ୍ଠର ୪୬ ଗାଁ
BMC Expansion

Key Points

୨୦୨୭ ପୌର ନିର୍ବାଚନ ପୂର୍ବରୁ ବଢ଼ିବ ବିଏମସି ପରିସୀମା
ଉପକଣ୍ଠର ୪୬ଟି ଗାଁ ମିଶାଇବାକୁ ପ୍ରସ୍ତାବ
ରାଜ୍ୟ ସରକାରଙ୍କ ନିକଟକୁ ଗଲା ପ୍ରସ୍ତାବ
୨୦୨୭ ପୌର ନିର୍ବାଚନ ପୂର୍ବରୁ ବଢ଼ିବ ଭୁବନେଶ୍ବର ମହାନଗର ନିଗମର ପରିସୀମା । ଭୁବନେଶ୍ବର ଉପକଣ୍ଠର ୪୬ଟି ଗାଁ ମିଶାଇବାକୁ ରାଜ୍ୟ ସରକାରଙ୍କ ନିକଟକୁ ଗଲା ପ୍ରସ୍ତାବ । ଯାହାଫଳରେ ଆଗକୁ ରାଜଧାନୀର ଓ୍ବାର୍ଡ ସଂଖ୍ୟା ବୃଦ୍ଧି ପାଇବ ।

୨୦୨୭ ପୌର ନିର୍ବାଚନ ପୂର୍ବରୁ ଆହୁରି ବୃହତ୍ ଓ ସବଳ ହେବାକୁ ଯାଉଛି ଭୁବନେଶ୍ୱର ମହାନଗର ନିଗମ । ବଢ଼ିବାକୁ ଯାଉଛି ରାଜଧାନୀର ଭୌଗୋଳିକ ସୀମାରେଖା ଏବଂ ଏହା ସହ ବୃଦ୍ଧି ପାଇବ ୱାର୍ଡ ସଂଖ୍ୟା । ସହରର ଆଖପାଖ ଉପକଣ୍ଠ ଅଞ୍ଚଳର ୪୬ଟି ଗାଁକୁ ବିଏମସି ଅଧୀନକୁ ଆଣିବା ପାଇଁ ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ୨୬ଟି ଗାଁକୁ ସାମିଲ କରିବା ପାଇଁ ସୁପାରିଶ ହୋଇଥିବା ବେଳେ, ଏବେ ପୁଣି ନୂଆ କରି ୨୦ଟି ଗାଁ ପାଇଁ ପ୍ରସ୍ତାବ ଯାଇଛି । ବିଶେଷ କରି ଇଟିପୁର, ଧଉଳି, ଜଟଣୀର ପ୍ରଧାନସାହି ଓ ଟିକରପଡ଼ା ଭଳି ୪ଟି ମୁଖ୍ୟ ପଞ୍ଚାୟତକୁ ସାମିଲ କରିବାକୁ ସୁପାରିଶ କରାଯାଇଛି ।

ଅଧିକ ପଢ଼ନ୍ତୁ: ବନ୍ୟା ପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…୧୦୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ…


ପ୍ରସ୍ତାବିତ ତାଲିକା ଅନୁସାରେ ଏକାମ୍ର ନିର୍ବାଚନ ମଣ୍ଡଳୀର ୬ଟି ପଞ୍ଚାୟତ, ଉତ୍ତର-ଭୁବନେଶ୍ୱରର ୫ଟି ପଞ୍ଚାୟତ ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀର ଏକାଧିକ ପଞ୍ଚାୟତ ବିଏମସିରେ ସାମିଲ ହେବାକୁ ଯାଉଛି । ୪୬ଟି ଗାଁର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇଛି BMC । ରାଜଧାନୀର ଉପକଣ୍ଠ ଅଞ୍ଚଳଗୁଡ଼ିକରେ ବର୍ତ୍ତମାନ ଦ୍ରୁତଗତିରେ ନଗରୀକରଣ ହେଉଛି । ଲୋକମାନେ ଉଚ୍ଚ ଦରରେ ଜାଗା କିଣି ଘରଦ୍ୱାର କରି ରହୁଛନ୍ତି ସତ, ହେଲେ ସେମାନଙ୍କୁ ପୌର ପରିଷଦର ମୌଳିକ ସୁବିଧା ସୁଯୋଗ ମିଳିପାରୁନାହିଁ । ଖୁବଶୀଘ୍ର ଏହି ଗାଁ ଗୁଡିକ ବିଏମସି ସହ ମିଶିବ ବୋଲ କହିଛନ୍ତି ବିଏମସି ମେୟର ।

୨୦୨୭ ପୌର ନିର୍ବାଚନ ପୂର୍ବରୁ ରାଜଧାନୀର ସୀମା ପୁନଃନିର୍ଦ୍ଧାରଣ ହେବା ନିଶ୍ଚିତ ଭାବେ ଉପକଣ୍ଠବାସୀଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି । ତେବେ ସରକାରଙ୍କ ମୋହର ବାଜିବା ପରେ ଏହି ୪୬ଟି ଗାଁର ନାଗରିକଙ୍କୁ କେବେ ମିଳୁଛି ସହରୀ ସୁବିଧା, ତାହା ଦେଖିବାକୁ ବାକି ରହିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: