|
logo
Live
Argus News App
GET APP

Argus News - ଆସନ୍ତାକାଲି ବନକ ଲାଗି ନୀତି; ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ

Odisha

Jaga Darshan Suspend / ଆସନ୍ତାକାଲି ବନକ ଲାଗି ନୀତି; ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ଆସନ୍ତାକାଲି ବନକ ଲାଗି ନୀତି; ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ
Banakalagi Ritual

Key Points

ଶ୍ରୀମନ୍ଦିରରେ ଆସନ୍ତାକାଲି ବନକ ଲାଗି ନୀତି
୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
ଗୁପ୍ତସେବା ଓ ସ୍ୱତନ୍ତ୍ର ନୀତି କରିବେ ସେବାୟତ
ଆସନ୍ତାକାଲି (ବୁଧବାର) ଫାଲଗୁନ ମାସ କୃଷ୍ଣପକ୍ଷ ଦଶମୀ ତିଥି । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାୟ ଚାରି ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଫଳରେ ଶ୍ରଦ୍ଧାଳୁମାନଙ୍କୁ ଜଗା ଦର୍ଶନ ଲାଗି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । ନୀତି ଶେଷ ହେବା ପରେ ଭକ୍ତ ସ୍ଵାଭାବିକ ଭାବେ ଜଗା ଦର୍ଶନ କରିପାରିବେ ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । 

ଏହା ଏକ ଗୁପ୍ତସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଆସନ୍ତାକାଲି ସଂଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।

ଏଥିସହ ପଢନ୍ତୁ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପୁରୀ ଜିଲ୍ଲା; ଦ୍ଵିତୀୟ ପସନ୍ଦ ପାଲଟିଲା କୋଣାର୍କ

  • ବନକ ଲାଗି ନୀତି କଣ ?
ଶ୍ରୀମନ୍ଦିରରେ ପ୍ରତି ମାସରେ ପ୍ରାୟ ଦୁଇ ଥର ଶ୍ରୀଜୀଉମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହୁଏ । ଏହି ନୀତି ଦତ୍ତ ମହାପାତ୍ର ସେବାୟତଙ୍କ ଦ୍ଵାରା କରାଯାଏ । ନିୟମ ଅନୁଯାୟୀ ବୁଧବାର ଦିନ ହିଁ ବନକ ଲାଗି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ମଧ୍ୟାହ୍ନ ଧୂପ ସରିବା ପରେ ଶ୍ରୀମନ୍ଦିରର ସମସ୍ତ ଦ୍ଵାରକୁ ନୀତି ସରିବା ପର୍ଯ୍ୟନ୍ତ ବନ୍ଦ କରାଯାଏ । ଏହି ସମୟରେ ଶ୍ରୀମନ୍ଦିରରେ ସାର୍ବଜନୀନ ଦର୍ଶନ ମଧ୍ୟ ବନ୍ଦ ରହେ ।

ସେବାୟତମାନେ ଚତୁଦ୍ଧାମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାର କରନ୍ତି । ଏହି ନୀତି ଲାଗି ଦତ୍ତମହାପାତ୍ର ସେବକମାନେ ନିଜେ ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମି ସୁବାସିତ ପଦାର୍ଥ ବ୍ୟବହାର କରନ୍ତି । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ ।

ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ, ଯାହାକି ତିନି ଠାକୁରଙ୍କ ଶ୍ରୀମୁଖରେ ଲଗାଯାଏ । ନୀତି ଶେଷ ହେବା ପରେ ଶ୍ରୀମନ୍ଦିରର ସମସ୍ତ ଦ୍ଵାର ଖୋଲାଯାଇ ପୁଣିଥରେ ସ୍ଵାଭାବିକ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ଅପେକ୍ଷା କରି ରହିଥିବା ଭକ୍ତ ମଣ୍ଡଳୀ । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jaga Darshan Suspend: ଆସନ୍ତାକାଲି ବନକ ଲାଗି ନୀତି; ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ | Argus News