Videos
|
Odisha

AI in Government Work / AI କରିବ ସରକାରୀ କାମ; ChatGPT, Google AI Pro କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
AI କରିବ ସରକାରୀ କାମ;  ChatGPT, Google AI Pro କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବ
AI

Key Points

AI କରିବ ସରକାରୀ କାମ
ଅଧିକ କ୍ଲାଉଡ୍ ଷ୍ଟୋରେଜ୍‌, ଉନ୍ନତ ଭିଡିଓ କନଫରେନ୍ସିଂ ପାଇଁ ବ୍ୟବସ୍ଥା
AI ସେବା ପାଇଁ ଆର୍ଥିକ ମଞ୍ଜୁରି ଲୋଡ଼ିଲା ବିଭାଗ
ସରକାରୀ ଫାଇଲ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ରିପୋର୍ଟ ଲେଖା, ତଥ୍ୟ ବିଶ୍ଳେଷଣ ଓ ପ୍ରକଳ୍ପ ସମୀକ୍ଷା—ଏବେ ଏସବୁ କାର୍ଯ୍ୟରେ AIର ସହଯୋଗ ନେବାକୁ ପ୍ରସ୍ତୁତ ହେଉଛନ୍ତି ଓଡ଼ିଶା ସରକାର । ଓଡ଼ିଶା ସରକାରଙ୍କ ବିଭିନ୍ନ ଦପ୍ତରରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାରକୁ ବିସ୍ତାର କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (PMGSY) ଅଧୀନରେ ପ୍ରକଳ୍ପ ପରିଚାଳନା, ଅନଲାଇନ୍ ସମୀକ୍ଷା ଓ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଦ୍ରୁତ, ଆଧୁନିକ ଏବଂ ତଥ୍ୟଭିତ୍ତିକ କରିବା ପାଇଁ ChatGPT Plus, Google AI Pro ଏବଂ Google One ଭଳି ପ୍ରିମିୟମ୍ ଡିଜିଟାଲ ସେବା କ୍ରୟ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରସ୍ତାବ ଦେଇଛି ।

ଏହି ସମ୍ପର୍କରେ ଇଞ୍ଜିନିୟର-ଇନ୍-ଚିଫ୍ (ଗ୍ରାମ୍ୟ କାର୍ଯ୍ୟ) କାର୍ଯ୍ୟାଳୟ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ର ଲେଖାଯାଇ ପ୍ରଶାସନିକ ଅନୁମୋଦନ ଓ ଆର୍ଥିକ ମଞ୍ଜୁରି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।

ସୂଚନାନୁସାରେ, PMGSY ଅଧୀନରେ ରାଜ୍ୟରେ ସଡ଼କ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥା ସହ ଯୋଡ଼ାଯାଉଛି । ପ୍ରକଳ୍ପଗୁଡ଼ିକର ରିଅଲ୍-ଟାଇମ୍ ମନିଟରିଂ, ତଥ୍ୟ ବିଶ୍ଳେଷଣ ଓ ଦ୍ରୁତ ନିଷ୍ପତ୍ତି ଗ୍ରହଣକୁ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହା ସହ ପ୍ରତିଦିନ ବିପୁଳ ପରିମାଣର ଡିଜିଟାଲ ତଥ୍ୟ ସୃଷ୍ଟି ହେଉଥିବାରୁ ବର୍ତ୍ତମାନର ମାଗଣା ଡିଜିଟାଲ ସୁବିଧା ପର୍ଯ୍ୟାପ୍ତ ହେଉନାହିଁ ।

ଅଧିକ ପଢ଼ନ୍ତୁ: ୧୧ ଜିଲ୍ଲାରେ ୨୩ ପ୍ରକଳ୍ପ; ଆସିବ ₹୪,୫୭୩ କୋଟିର ନିବେଶ


ଉଚ୍ଚମାନର ସଡ଼କ ଆଲାଇନ୍‌ମେଣ୍ଟ ମାନଚିତ୍ର, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR), ନିର୍ମାଣ କାର୍ଯ୍ୟର ଫଟୋ, ଜିଓ-ଟ୍ୟାଗ୍ ରେକର୍ଡ ଓ ଆର୍ଥିକ ତଥ୍ୟର ପରିମାଣ ଦିନକୁ ଦିନ ବଢ଼ୁଥିବାରୁ ବିଭାଗ ପ୍ରିମିୟମ୍ କ୍ଲାଉଡ୍ ଷ୍ଟୋରେଜ୍, ଉନ୍ନତ ଭିଡିଓ କନଫରେନ୍ସିଂ ସୁବିଧା ଓ AI ଆଧାରିତ କାର୍ଯ୍ୟ ସହାୟକ ସେବାକୁ ସାମିଲ କରିବା ପାଇଁ ଯୋଜନା କରିଛି ।
ବିଭାଗର ମତାନୁସାରେ, ChatGPT Plus ବ୍ୟବହାର ଦ୍ୱାରା ସରକାରୀ ପତ୍ର, ରିପୋର୍ଟ, ଟିପ୍ପଣୀ ଓ ପ୍ରେଜେଣ୍ଟେସନ୍ ପ୍ରସ୍ତୁତି ଭଳି ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଦ୍ରୁତ ଓ ଦକ୍ଷତାର ସହ ସମ୍ପନ୍ନ କରାଯାଇପାରିବ। ସେହିପରି Google AI Pro ଓ Google One ସେବା ମାଧ୍ୟମରେ ଅଧିକ କ୍ଲାଉଡ୍ ଷ୍ଟୋରେଜ୍, ଡାଟା ପରିଚାଳନା ଓ ଉନ୍ନତ ଅନଲାଇନ୍ ସହଯୋଗ ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ବିଭାଗ ଆଶା ପ୍ରକାଶ କରିଛି।

ପ୍ରସ୍ତାବଟିକୁ ମଞ୍ଜୁରି ମିଳିଲେ, ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ପରିଚାଳନାରେ AI ଓ ଆଧୁନିକ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର ଆହୁରି ବ୍ୟାପକ ହେବ ବୋଲି ଆଶା କରାଯାଉଛି। ଏହା ଦ୍ୱାରା ପ୍ରକଳ୍ପ ନିରୀକ୍ଷଣ, ତଥ୍ୟ ପରିଚାଳନା ଏବଂ ପ୍ରଶାସନିକ ଦକ୍ଷତାରେ ଉନ୍ନତି ଆସିବା ସହ ସରକାରୀ ସେବା ପ୍ରଦାନ ପ୍ରକ୍ରିୟା ଅଧିକ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored