Videos
|
Odisha

AIIMS Bhubaneswar Condolence / ଅସ୍ତ ହୋଇଗଲେ ଅଶୋକ; ପ୍ରତିଷ୍ଠାତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଲା AIIMS ଭୁବନେଶ୍ୱର ପରିବାର

Debashree Debasmita Sahoo
Browse all articles by Debashree Debasmita Sahoo
·58 mins ago·3 min read
ଅସ୍ତ ହୋଇଗଲେ ଅଶୋକ; ପ୍ରତିଷ୍ଠାତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଲା AIIMS ଭୁବନେଶ୍ୱର ପରିବାର
AIIMS Bhubaneswar Bids Tearful Adieu to Founder Dr Ashok Kumar Mahapatra

Key Points

ଚିକିତ୍ସା ଜଗତର ଏକ ଯୁଗର ଅବସାନ 
ଅଶ୍ରୁଳ ବିଦାୟ ଜଣାଇଲା ଏମ୍ସ ଭୁବନେଶ୍ଵର ପରିବାର
ଡାକ୍ତର ଅଶୋକ ମହାପାତ୍ରଙ୍କ ସ୍ମୃତିରେ ଏମ୍ସରେ ଶୋକସଭା
ଭୁବନେଶ୍ୱର: ନିରବି ଯାଇଛି ଜଣେ ମହାନ ଚିକିତ୍ସକଙ୍କ ସ୍ୱର । ଆଉ ନାହାନ୍ତି ସେହି ଦୂରଦ୍ରଷ୍ଟାସମ୍ପନ୍ନ ବ୍ୟକ୍ତିତ୍ଵ, ଯିଏ ଭୁବନେଶ୍ୱର ଏମ୍ସକୁ ଏକ ସ୍ୱପ୍ନରୁ ବାସ୍ତବତାର ରୂପ ଦେଇଥିଲେ । ଆଖିରେ ଲୁହ, ହୃଦୟରେ ଅସୀମ ଶ୍ରଦ୍ଧା ଓ ମନରେ ଅନେକ ସ୍ମୃତିକୁ ନେଇ ନିଜର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ଅଶ୍ରୁଳ ବିଦାୟ ଜଣାଇଛି ଏମ୍ସ ଭୁବନେଶ୍ୱର ପରିବାର ।

ପ୍ରଫେସର ଅଶୋକ ମହାପାତ୍ର ଜଣେ ବିଶିଷ୍ଟ ନ୍ୟୁରୋସର୍ଜନ, ଦୂରଦ୍ରଷ୍ଟା ଅନୁଷ୍ଠାନ ନିର୍ମାତା ଏବଂ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ବିୟୋଗରେ ଚିକିତ୍ସା ଜଗତ ସହ ଏମ୍ସ ଭୁବନେଶ୍ୱରର ଡାକ୍ତର, ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି । ସମସ୍ତେ ତାଙ୍କର ଅନୁପସ୍ଥିତିକୁ ଝୁରି ହେଉଛନ୍ତି । ସ୍ନେହୀ, ସରଳ ବ୍ୟକ୍ତିତ୍ଵର ଅଧିକାରୀ ଡାକ୍ତର ଅଶୋକଙ୍କ ଶ୍ରଦ୍ଧାଭାବକୁ ଏମ୍ସ ଭୁବନେଶ୍ଵର ପ୍ରତିଟି କାନ୍ଥ, କୋଣଅନୁକୋଣ ଆଜି ମନେ ପକାଉଛି । ସୋମବାର ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ୭୪ବର୍ଷ ବୟସରେ ଆଖି ବୁଜିଛନ୍ତି ଡାକ୍ତର ମହାପାତ୍ର । ତାଙ୍କୁ ବ୍ରେନଷ୍ଟୋକ୍ ଆସିଥିବାରୁ ସେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ ।

  • ପ୍ରତିଷ୍ଠାତାଙ୍କ ସ୍ମୃତିରେ ଶୋକସଭା
ଏମ୍ସ ଭୁବନେଶ୍ୱରର ମୁଖ୍ୟ ଅଡିଟୋରିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଶୋକସଭାରେ ସଂସ୍ଥାର ବର୍ତ୍ତମାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଦିବଙ୍ଗତ ପ୍ରଫେସର ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ପ୍ରଫେସର ମହାପାତ୍ରଙ୍କୁ ଏମ୍ସ ଭୁବନେଶ୍ୱରର ମୁଖ୍ୟ ସ୍ଥପତି ଭାବେ ବର୍ଣ୍ଣନା କରିଥିଲେ । ଏହି ଅନୁଷ୍ଠାନର ପରିକଳ୍ପନା, ପ୍ରତିଷ୍ଠା ଓ ବିକାଶରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ଡାକ୍ତର ବିଶ୍ୱାସ କହିଥିଲେ । ତାଙ୍କର ଦୂରଦୃଷ୍ଟି, ନେତୃତ୍ୱ ଓ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ନିଷ୍ଠା ଏମ୍ସ ଭୁବନେଶ୍ୱରକୁ ଦେଶର ଏକ ପ୍ରମୁଖ ଚିକିତ୍ସା, ଶିକ୍ଷା ଓ ଗବେଷଣା କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ମୂଳଦୁଆ ସ୍ଥାପନ କରିଥିଲା ।

  • ନ୍ୟୁରୋସର୍ଜରୀ ଓ ଚିକିତ୍ସା ଶିକ୍ଷାରେ ଅତୁଳନୀୟ ଅବଦାନ
ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅବଦାନ କେବଳ ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠା ମଧ୍ୟରେ ସୀମିତ ନଥିଲା । ନ୍ୟୁରୋସର୍ଜରୀ, ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ବିକାଶରେ ସେ ଏକ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ନୂତନ ପିଢ଼ିର ଡାକ୍ତର ଓ ଚିକିତ୍ସା ବିଶେଷଜ୍ଞଙ୍କୁ ଗଢ଼ି ତୋଳିବାରେ ତାଙ୍କର ଭୂମିକା ମଧ୍ୟ ସ୍ମରଣୀୟ । ଜଣେ ଉତ୍କୃଷ୍ଟ ଚିକିତ୍ସକ ଭାବେ ରୋଗୀଙ୍କ ସେବା କରିବା ସହ ଜଣେ ଶିକ୍ଷକ ଓ ମାର୍ଗଦର୍ଶକ ଭାବେ ସେ ଅନେକ ଡାକ୍ତରଙ୍କୁ ପ୍ରେରଣା ଦେଇଥିଲେ । ତାଙ୍କର ନେତୃତ୍ୱ କେବଳ ଅନୁଷ୍ଠାନର ଭିତ୍ତିଭୂମିକୁ ମଜଭୁତ କରିନଥିଲା, ବରଂ ସେବା, ଶିକ୍ଷା ଓ ଗବେଷଣାକୁ ଏକାଠି କରି ଏକ ଉଚ୍ଚ ଆଦର୍ଶ ସ୍ଥାପନ କରିଥିଲା।

  • ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ
ଶୋକସଭାରେ ଉପସ୍ଥିତ ଅଧ୍ୟାପକ, ଡାକ୍ତର ଓ କର୍ମଚାରୀମାନେ ପ୍ରଫେସର ମହାପାତ୍ରଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗକୁ ସ୍ମରଣ କରିଥିଲେ । ତାଙ୍କର ବୃତ୍ତିଗତ ଦକ୍ଷତା ଓ ଦୂରଦୃଷ୍ଟିମୂଳକ ନେତୃତ୍ୱ ସହିତ ନମ୍ରତା, ସହାନୁଭୂତି, ମାନବିକତା ଓ ଅନ୍ୟମାନଙ୍କୁ ପ୍ରେରିତ କରିବାର ଗୁଣ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା । ଏହି ଶୋକସଭାରେ ଡିନ୍‌ (ଏକାଡେମିକ୍) ଡାକ୍ତର ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ, ଡିନ୍‌ (ପରୀକ୍ଷା) ଡାକ୍ତର ମନସ୍ୱିନୀ ମଙ୍ଗରାଜ ଏବଂ ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାରଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ, ବରିଷ୍ଠ ଅଧ୍ୟାପକ, ଅଧିକାରୀ, ଛାତ୍ରଛାତ୍ରୀ ଓ ରେସିଡେଣ୍ଟ ଡାକ୍ତରମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପଢନ୍ତୁ ଏହି ଖବର: ଆଜି ସନ୍ଧ୍ୟାରେ ଭୁବନେଶ୍ଵର ଆସିବ ସୁନାମଧନ୍ୟ ଡାକ୍ତର ଅଶୋକ ମହାପାତ୍ରଙ୍କ ପାର୍ଥିବ ଶରୀର

  • ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେବ
ଏମ୍ସ ଭୁବନେଶ୍ୱର ପରିବାର ପାଇଁ ପ୍ରଫେସର ମହାପାତ୍ରଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ତାଙ୍କର ଅସାଧାରଣ ଯାତ୍ରା, ରୋଗୀ ସେବା ପ୍ରତି ନିଷ୍ଠା, ଚିକିତ୍ସା ଶିକ୍ଷାରେ ଅବଦାନ ଏବଂ ଏକ ବିଶାଳ ଅନୁଷ୍ଠାନ ଗଢ଼ିବାର ସ୍ୱପ୍ନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଆଜି ଏମ୍ସ ଭୁବନେଶ୍ୱର ଯେଉଁ ସଫଳତାର ଶିଖରରେ ପହଞ୍ଚିଛି, ତାହାର ମୂଳରେ ରହିଛି ଏହି ମହାନ ଚିକିତ୍ସକଙ୍କ ଦୂରଦୃଷ୍ଟି ଓ ଅକ୍ଳାନ୍ତ ପରିଶ୍ରମ । ଜଣେ ମହାନ ଚିକିତ୍ସକଙ୍କୁ ବିଦାୟ ଦେଇଛି ଏମ୍ସ ପରିବାର । କିନ୍ତୁ ତାଙ୍କର ସ୍ୱପ୍ନ, ଆଦର୍ଶ ଓ ଅନୁଷ୍ଠାନ ନିର୍ମାଣର ଅମର ଗାଥା ଆଗାମୀ ପିଢ଼ିର ଡାକ୍ତର, ଗବେଷକ ଓ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ସଦା ପ୍ରେରଣା ଯୋଗାଇବ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: