ଏସିଆର ୨୮ ପ୍ରତିଷ୍ଠିତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟରେ ଏମ୍ସ ଭୁବନେଶ୍ୱରକୁ ପ୍ରଥମ ସ୍ଥାନ

ଅର୍ଗସ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ ସମ୍ମାନିତ ହୋଇଛି ଏମ୍ସ ଭୁବନେଶ୍ୱର। ହସ୍ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ ପ୍ରକ୍ରିୟାକରଣକୁ ନେଇ ହେଉଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏମ୍ସ ଏହି ସମ୍ମାନଜନକ ପୁରସ୍କାର ପାଇଛି। ହସ୍ପିଟାଲର ସେଣ୍ଟ୍ରାଲ୍ ଷ୍ଟେରାଇଲ୍ ସେବା ବିଭାଗ (ସିଏସ୍ଏସ୍ଡି) ରେ ବିଭିନ୍ନ ଯନ୍ତ୍ର ଏବଂ ପ୍ରତିରୋପଣର ପୁନଃପ୍ରକ୍ରିୟାକରଣ ପାଇଁ ସର୍ବୋଚ୍ଚ ମାନ ନିର୍ଧାରଣ ଏବଂ ତଦାରଖ କରିବାର ପ୍ରକ୍ରିୟା ସ୍ବରୂପ ଏହି ଚୟନ କରାଯାଇଥିଲା।
ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ସମଗ୍ର ଏସିଆରୁ ଅଠେଇଶ ସୁପ୍ରତିଷ୍ଠିତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲେ। ମାତ୍ର ଏମ୍ସ ଭୁବନେଶ୍ୱର ସର୍ବୋତ୍ତମ ଡାକ୍ତରଖାନା ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ପୁରସ୍କାର ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ସମଗ୍ର ଭାରତରୁ ଏମ୍ସ ଭୁବନେଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଛି।
ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ସମେତ ମେଡିକାଲ୍ ଅଧୀକ୍ଷକ, ଓଟି କମିଟି ଅଧ୍ୟକ୍ଷ, ଡିନ୍ ଅଧ୍ୟାପକ, ଅଧ୍ୟାପିକା, ସିଏସ୍ଏସ୍ଡିର କର୍ମଚାରୀ, ବିଭିନ୍ନ ଓଟିର ନର୍ସିଂ ଇନ୍ ଚାର୍ଜ ଏବଂ ସଂକ୍ରମଣ ନିୟନ୍ତ୍ରଣ କମିଟିର ସଦସ୍ୟମାନେ ମିଳିତ ଭାବେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଫେସର ସେଟୋ ୱିଙ୍ଗ୍ ହଙ୍ଗ୍, ପାଟ୍ରିସିଆ ସିଙ୍ଗ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଉଲ୍ଲେଖଯୋଗ୍ୟଯେ ଏମ୍ସ ଭୁବନେଶ୍ୱରର ସିଏସ୍ଏସ୍ଡି ୟୁନିଟ୍ରେ ଦୈନିକ ପ୍ରାୟ ୨୫ଶହ ପ୍ୟାକେଟ୍ ପ୍ରକ୍ରିୟାକରଣ କରାଯାଇଥାଏ। ଏମ୍ସର ଏହି ସିଏସ୍ଏସ୍ଡି ୟୁନିଟ୍ ହେଉଛି ଖ୍ୟାତିସମ୍ପନ୍ନ କାହୋ ସ୍ୱୀକୃତିପ୍ରାପ୍ତ। ବିଧିସମ୍ମତ ବୈଜ୍ଞାନିକ ପଦ୍ଧତିର ଉପଯୋଗ ପୂର୍ବକ ଏଠାରେ ପ୍ରକ୍ରିୟାକରଣ କରାଯାଇଥାଏ। ଯାହାକି ରୋଗୀସେବା ନିରାପତ୍ତାକୁ ସୁନିଶ୍ଚିତ କରିଥାଏ। ସର୍ଜିକାଲ୍ ନିରାପତ୍ତା ଏବଂ ହସ୍ପିଟାଲରେ ପ୍ରାପ୍ତ ସଂକ୍ରମଣ ନିରାକରଣରେ ସିଏସ୍ଏସ୍ଡି ୟୁନିଟ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରୋଗୀସେବା ନିରାପତ୍ତାର ମାନ ବଜାୟ ରଖିବା ପାଇଁ ଏହି ପୁରସ୍କାର ନିଶ୍ଚିତ ଭାବରେ ଆମକୁ ଉତ୍ସାହିତ କରିବ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମତବ୍ୟକ୍ତ କରିଛନ୍ତି।