Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / ଅନୁଗୁଳରେ ସମ୍ବଳର ଅଭାବ ନାହିଁ, କେବଳ ସଠିକ୍ ଯୋଜନାର ଆବଶ୍ୟକତା ଅଛି: ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଅନୁଗୁଳରେ ସମ୍ବଳର ଅଭାବ ନାହିଁ, କେବଳ ସଠିକ୍ ଯୋଜନାର ଆବଶ୍ୟକତା ଅଛି: ଧର୍ମେନ୍ଦ୍ର ପ୍ରଧାନ
Students Are the Key to Angul’s Future, Says Pradhan

Key Points

  • ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁମୁଖୀ ସଭାଗୃହ ଛାତ୍ରଛାତ୍ରୀଙ୍କ କଳାତ୍ମକ ପ୍ରତିଭା ଓ ବୌଦ୍ଧିକ କ୍ଷମତାକୁ ବିକଶିତ କରିବ
  • ୨୪ ଡିସେମ୍ବର ୨୦୨୩ରେ ଏହି ହଲ୍‌ର ପରିକଳ୍ପନା କରାଯାଇଥିଲା, ଯାହା ବାସ୍ତବର ରୂପ ନେଇଛି
  • 'ବିବେକାନନ୍ଦ ପାର୍କ'ର ଉଦଘାଟନ କରିବା ସହ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିର ଅନାବରଣ
  • ଏହି ପ୍ରତିମା ଛାତ୍ରଛାତ୍ରୀଙ୍କୁ ଦେଶସେବା ଓ ଜ୍ଞାନ ଆହରଣ ପାଇଁ ସଦାସର୍ବଦା ଉତ୍ସାହିତ କରିବ
ଅନୁଗୁଳ: ସରକାରୀ ସ୍ତରରେ ଶିକ୍ଷାର ମାନ ବୃଦ୍ଧି କରିବା ସହ ପ୍ରତିଟି ପିଲାଙ୍କୁ ବୈଜ୍ଞାନିକ ଓ ବୌଦ୍ଧିକ ଶିକ୍ଷା ସହ ଯୋଡ଼ିବା ଆମର ସଂକଳ୍ପ । ବୁଧବାର ଅନୁଗୁଳ ଗସ୍ତ ଅବସରରେ ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ନବନିର୍ମିତ ବହୁମୁଖୀ ସଭାଗୃହ ଓ 'ବିବେକାନନ୍ଦ ପାର୍କ'ର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ କହିଛନ୍ତି, "ଠିକ୍ ଦୁଇ ବର୍ଷ ପୂର୍ବେ ୨୪ ଡିସେମ୍ବର ୨୦୨୩ରେ ଏହି ବହୁମୁଖୀ ହଲ୍‌ର ପରିକଳ୍ପନା କରାଯାଇଥିଲା । ଯାହା ଆଜି ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଏହି ଅତ୍ୟାଧୁନିକ ସଭାଗୃହ ଛାତ୍ରଛାତ୍ରୀଙ୍କ କଳାତ୍ମକ ପ୍ରତିଭା ଓ ବୌଦ୍ଧିକ କ୍ଷମତାକୁ ବିକଶିତ କରିବାରେ ଏକ ମୁଖ୍ୟ ମାଧ୍ୟମ ହେବ ।"

ଏଥିସହ ପଢ଼ନ୍ତୁ: ଫାଟି ଯାଇଥିଲା ମୁଖ୍ୟ ରକ୍ତନଳୀ; ମାଗଣାରେ ହେଲା ବିରଳ ଅପରେସନ୍

ବିଦ୍ୟାଳୟରେ ପିଲାମାନଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନ ପାଇଁ ପ୍ରସ୍ତୁତ କରିବାକୁ ସ୍କିଲ୍ ଲ୍ୟାବ୍ ଓ ଅଟଳ ଟିଙ୍କରିଂ ଲ୍ୟାବ୍ ସ୍ଥାପିତ ହୋଇଛି । ଆଗାମୀ ଦିନରେ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବଢାଇବା ଉଦ୍ଦେଶ୍ୟରେ ଡିଏମଏଫ ଓ ସିଏସଆର ପାଣ୍ଠି ସହାୟତାରେ ଅନୁଗୋଳ ଜିଲ୍ଲାରେ ଅଧିକରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍ ସ୍ଥାପନ କରାଯିବ ।

ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ମାତୃଭାଷାରେ ଶିକ୍ଷାଦାନ ହିଁ ବିକଶିତ ଭାରତର ମୂଳଦୁଆ । ମାକାଉଲେଙ୍କ ଦ୍ୱାରା ପ୍ରସ୍ତୁତ ଶିକ୍ଷା ପଦ୍ଧତି ଭାରତୀୟ ସଂସ୍କୃତିକୁ ଧ୍ୱଂସ କରିବାକୁ ଚେଷ୍ଟା କରିଥିବା ବେଳେ ଆଜିର ଜାତୀୟ ଶିକ୍ଷା ନୀତି ପିଲାମାନଙ୍କୁ ମାତୃଭାଷା ମାଧ୍ୟମରେ ଆତ୍ମବିଶ୍ୱାସୀ କରୁଛି ।" ତାଳଚେର ଓ ଅନୁଗୁଳର ସମୃଦ୍ଧ ସାହିତ୍ୟିକ ଓ ସାଂସ୍କୃତିକ ଐତିହ୍ୟକୁ ସ୍ମରଣ କରି ସେ କହିଛନ୍ତି, "ମାତୃଭାଷା ସଶକ୍ତ ହେଲେ ହିଁ ଆମେ ସବୁ ଭାଷାକୁ ବୁଝିପାରିବା ।"

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଅନୁଗୋଳରେ ସମ୍ବଳର ଅଭାବ ନାହିଁ, କେବଳ ସଠିକ୍ ଯୋଜନାର ଆବଶ୍ୟକତା ଅଛି । ଅନୁଗୁଳର ବିକାଶର ଚାବିକାଠି ଆମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତର୍ନିହିତ । ନବୋଦୟ ବିଦ୍ୟାଳୟ ଗୁଡ଼ିକରେ କୌଣସି ପକ୍ଷପାତିତା ନାହିଁ ଏବଂ ଏଠାରେ ପଢୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ହିଁ ଆଗାମୀ ଦିନରେ ବିଶ୍ୱ ଦରବାରରେ ଭାରତର ନେତୃତ୍ୱ ନେବେ ।"

ଏଥିସହ ପଢ଼ନ୍ତୁ: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ବିବେକାନନ୍ଦ ପାର୍କ ପରିସରରେ ଯୁବଶକ୍ତିର ପ୍ରେରଣାଦାତା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିଥିଲେ । ସ୍ୱାମୀଜୀ କହୁଥିଲେ- "ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ଯାଏଁ ସ୍ଥିର ହୋଇ ବସିରୁହ ନାହିଁ ।" ଏହି ପ୍ରତିମା ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କୁ ଦେଶସେବା ଓ ଜ୍ଞାନ ଆହରଣ ପାଇଁ ସଦାସର୍ବଦା ଉତ୍ସାହିତ କରିବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି । ଏହାବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଦ୍ୟାଳୟ ପରିସରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ସହ 'ଏକ ପେଡ୍ ମାଆ କେ ନାମ' ଅଭିଯାନରେ ବୃକ୍ଷରୋପଣ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Angul Has Resources, Needs Right Planning: Pradhan | Argus News | Argus News