Videos
|
Odisha

New Cyclone Threat / ବଙ୍ଗୋପସାଗରରେ ପୁଣି ବାତ୍ୟା; ୧୫ରେ ଅବପାତ ଓ ୧୬ରେ ନେଇପାରେ ବାତ୍ୟା ରୂପ

Debashree Debasmita Sahoo
Browse all articles by Debashree Debasmita Sahoo
·57 mins ago·2 min read
ବଙ୍ଗୋପସାଗରରେ ପୁଣି ବାତ୍ୟା; ୧୫ରେ ଅବପାତ ଓ ୧୬ରେ ନେଇପାରେ ବାତ୍ୟା ରୂପ
New Cyclone Threat

Key Points

ପୁଣି ମାଡ଼ି ଆସୁଛି ଆଉ ଏକ ବାତ୍ୟା
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
୧୬ ତାରିଖ ସନ୍ଧ୍ୟା ସୁଦ୍ଧା ନେଇପାରେ ବାତ୍ୟା ରୂପ
ଭୁବନେଶ୍ଵର: ଚଳିତ ବର୍ଷ ପିଛା ଛାଡୁନି ବାତ୍ୟା । ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ନଭେମ୍ବର ୧୬ ତାରିଖ ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ନେଇପାରେ ବାତ୍ୟାର ରୂପ । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ନଭେମ୍ବର ୧୫ରେ ଅବପାତ ଓ ୧୬ରେ ବାତ୍ୟା ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେଉଛି ଲଘୁଚାପ ।

  • ୧୪ ତାରିଖରେ ସ୍ପଷ୍ଟ ଚିହ୍ନିତ ହେବ
କେନ୍ଦ୍ରୀୟ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଉପରିଭାଗ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ୫ଟା ୩୦ ମିନିଟ୍ ସମୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସକାଳ ୮ଟା ୩୦ ମିନିଟ୍ ସୁଦ୍ଧା ଏହା ସେହି ସମାନ ଅଞ୍ଚଳରେ ସକ୍ରିୟ ରହିଥିଲା । ଏହି ଲଘୁଚାପ କ୍ଷେତ୍ରଟି ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୪ ତାରିଖ ସୁଦ୍ଧା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

  • ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା !
ପରବର୍ତ୍ତୀ ସମୟରେ ଏହା ସେହି ଅଞ୍ଚଳରେ ଅଧିକ ଘନୀଭୂତ ହୋଇ ନଭେମ୍ବର ୧୫ ତାରିଖ ସକାଳ ସୁଦ୍ଧା ଏକ ଅବପାତର ରୂପ ନେବ । ଏହାପରେ, ଏହି ସିଷ୍ଟମ୍ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବା ସହ ଆସନ୍ତା ନଭେମ୍ବର ୧୬ ତାରିଖ ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଲଘୁଚାପ, ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ !

  • ପିଛା ଛାଡୁନି ବାତ୍ୟା
ଚଳିତ ବର୍ଷ ଉପକୂଳବାସୀଙ୍କ ପିଛା ଛାଡୁନି ବାତ୍ୟା । ଅକ୍ଟୋବର ଶେଷ ଆଡ଼କୁ ଦୁଇଟି ବାତ୍ୟା 'ଅର୍ଣ୍ଣବ' ଓ 'ମୁରାସୁ' ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଏହି ଦୁଇଟି ଭୀଷଣ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁଥିବାବେଳେ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିଲା । ବିଶେଷ କରି ବାତ୍ୟା ଅର୍ଣ୍ଣବ ଯୋଗୁଁ ଏମିତି ବନ୍ୟା ଆସିଥିଲା, ଯାହାକୁ ଆଗରୁ କେବେ ଦେଖିନଥିଲା ଗଞ୍ଜାମ । ରାଜ୍ୟର ଏହି ଦକ୍ଷିଣାଞ୍ଚଳ ଜିଲ୍ଲାରେ ଜଳପ୍ରଳୟ ଆସିଥିଲା । ଏବେ ବି ବାତ୍ୟା ପରେ ଆସିଥିବା ବନ୍ୟାର ଚିହ୍ନବର୍ଣ୍ଣ ନ ଲିଭୁଣୁ ଆଉ ଏକ ବାତ୍ୟା ଆସୁଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: