|
logo
Live
Argus News App
GET APP

Argus News - ହଷ୍ଟେଲରେ ଫ୍ୟାନ୍ ବୁଲୁ ନଥିବାରୁ ରାତି ଅଧରେ କୁଆଡ଼େ ପଳାଇଲେ ୨ ଦଶମ ଶ୍ରେଣୀ ଛାତ୍ର

Odisha

Students Missing / ହଷ୍ଟେଲରେ ଫ୍ୟାନ୍ ବୁଲୁ ନଥିବାରୁ ରାତି ଅଧରେ କୁଆଡ଼େ ପଳାଇଲେ ୨ ଦଶମ ଶ୍ରେଣୀ ଛାତ୍ର

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ହଷ୍ଟେଲରେ ଫ୍ୟାନ୍ ବୁଲୁ ନଥିବାରୁ ରାତି ଅଧରେ କୁଆଡ଼େ ପଳାଇଲେ ୨ ଦଶମ ଶ୍ରେଣୀ ଛାତ୍ର
Bhadrak Hostel Incident

Key Points

ଫ୍ୟାନ୍ ନ ବୁଲିବାରୁ ହଷ୍ଟେଲ୍ ଛାଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକରେ । ରାତି ଅଧରେ ୨ ଜଣ ଛାତ୍ର ସ୍କୁଲ୍ ହଷ୍ଟେଲ ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି ।
ଭଦ୍ରକ: ରାତି ସହ ବଢ଼ୁଥିଲା ଗରମ । ଗମ୍ ଗମ୍ ଝାଳରେ ଗାଧୋଇ ପଡ଼ୁଥିଲେ ଛାତ୍ର । ଗରମ ସାଙ୍ଗକୁ ଅସ୍ତବ୍ୟସ୍ତ କରି ପକାଉଥିଲା ମଶା । ଏନେଇ ଘର ଲୋକଙ୍କୁ ଫୋନ୍‌ରେ ଜଣାଇଥିଲେ ଛାତ୍ର । ହେଲେ ସ୍କୁଲ୍ ହଷ୍ଟେଲ୍‌ରେ ଫ୍ୟାନ୍ ସଜଡ଼ା ଯିବା ପୂର୍ବରୁ କେଉଁ ଆଡ଼େ ପଳାଇଛନ୍ତି ୨ ଜଣ ଦଶମ ଶ୍ରେଣୀ ଛାତ୍ର ।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଡ଼ି ଛକ ସମରାଇପୁର ଠାରେ ଥିବା ରୟାଲ ଆବାସିକ ମାଧ୍ୟମିକ ବିଦ୍ୟାଳୟର ୨ ଛାତ୍ର ନିଖୋଜ ହୋଇ ଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ରାତିରେ ଛାତ୍ରମାନଙ୍କୁ ଖାଇବା ଦିଆଯାଇଥିଲା । ଖାଦ୍ୟ ଖାଇବା ପରେ ରାତି ସାଢ଼େ ୯ଟାରେ ହଷ୍ଟେଲ ୱାର୍ଡେନ୍‌ ପିଲା ଗଣତି କରିଥିଲେ ।

ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ନିର୍ଦ୍ଦେଶ...ଏଣିକି ପ୍ରତିବର୍ଷ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ

ପିଲା ଗଣନା କରିବା ସମୟରେ ୨ ଜଣ ଛାତ୍ର ନଥିବା ଜଣାପଡ଼ିଥିଲା । ଏନେଇ ସଙ୍ଗେ ସଙ୍ଗେ ସ୍କୁଲ୍ କର୍ତ୍ତୃପକ୍ଷ ୨ ଛାତ୍ରଙ୍କ ପରିବାରକୁ ଅବଗତ କରିବା ସହ ଖୋଜାଖୋଜି କରିଥିଲେ । ହେଲେ କିଛି ସୁଫଳ ମିଳି ନଥିଲା । ଶେଷରେ ଶୁକର୍ବାର ସକାଳେ ଥାନାରେ ୨ ଛାତ୍ର ନିଖୋଜ ନେଇ ଏତଲା ଦେଇଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ ।

ନିଖୋଜ ୨ ଛାତ୍ର ହେଲେ ଦଶମ ଶ୍ରେଣୀର ସୌରଭ କୁମାର ନାଥ ଏବଂ ସେକ ଦୟାଭର ରେହମାନ । ଖବର ଲେଖାଯିବା ପର୍ଯ୍ୟନ୍ତ ୨ ଛାତ୍ରଙ୍କ ସନ୍ଧାନ ମିଳି ନାହିଁ । ଏତଲା କ୍ରମେ ଗ୍ରାମାଞ୍ଚଳ ଥାନା ପୋଲିସର ଏକ ଟିମ୍ ସ୍କୁଲ୍ ହଷ୍ଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନିଖୋଜ ସୌରଭଙ୍କ ମାଆ ଜ୍ୟୋସ୍ନାରାଣୀ ନାଥଙ୍କ କହିବା ଅନୁସାରେ, "ହଷ୍ଟେଲକୁ ପୁଅ ଦୁଇ ଦିନ ତଳେ ଆସିଥିଲା । ବୁଧବାର ଫୋନ୍ କରି କହିଥିଲା ମାଆ ଫ୍ୟାନ୍ ଜୋର୍‌ରେ ବୁଲୁ ନାହିଁ । ପ୍ରବଳ ଗରମ ସହ ମଶା ବେଢ଼ି ଯାଉଛନ୍ତି । ଗୁରୁବାର ରାତି ସାଢ଼େ ୧୧ଟାରେ ଫୋନ୍ ପାଇଲୁ ହଷ୍ଟେଲ୍ ଛାଡ଼ି ସୌରଭ କୁଆଡ଼େ ପଳାଇଛି ।"

ଏଥିସହ ପଢ଼ନ୍ତୁ: ଉଦ୍ଧାର ହେଲେ ନିଖୋଜ ନାବାଳିକା,ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଦୁଇ ନାବାଳିକା

ହଷ୍ଟେଲରେ ନାହିଁ ପାଚେରୀ, ନାହାନ୍ତି ସିକ୍ୟୁରିଟି ଗାର୍ଡ

ରୟାଲ ସ୍କୁଲର ଶିକ୍ଷକ ଅଭିମନ୍ୟୁ ଦାସଙ୍କ ଅନୁସାରେ, "ରାତିରେ ଗଣତି ବେଳେ ୨ ଜଣ ନଥିବା ଜଣାପଡ଼ିଥିଲା । ଏନେଇ ୱାର୍ଡେନଙ୍କ ଠାରୁ ଖବର ପାଇବା ପରେ ମୁଁ ପହଞ୍ଚିବା ସହ ଖୋଜାଖୋଜି କରିଥିଲୁ । ହେଲେ ସନ୍ଧାନ ନ ମିଳିବାରୁ ସକାଳେ ଥାନାରେ ନିଖୋଜ ନେଇ ଅଭିଯୋଗ କରିଛୁ ।"

ରୟାଲ ଆବାସିକ ମାଧ୍ୟମିକ ବିଦ୍ୟାଳୟ ହଷ୍ଟେଲରେ କୌଣସି ପାଚେରୀ ନାହିଁ । ଏପରିକି ସ୍କୁଲ୍ ହଷ୍ଟେଲକୁ କୌଣସି ସିକ୍ୟୁରିଟି ଗାର୍ଡ ଜଗି ରହୁନଥିବା ଶିକ୍ଷକ ଅଭିମନ୍ୟୁ ଦାସ ମାନିଛନ୍ତି । ଯାହା ସ୍କୁଲ୍ ହଷ୍ଟେଲର ଗୁରୁତ୍ଵର ସୁରକ୍ଷା ତ୍ରୁଟିକୁ ଦର୍ଶାଉଛି । ଏନେଇ ଦୁଇ ନିଖୋଜ ଛାତ୍ରଙ୍କ ପରିବାର ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଛାନଭିନ୍ ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Students Missing: ହଷ୍ଟେଲରେ ଫ୍ୟାନ୍ ବୁଲୁ ନଥିବାରୁ ରାତି ଅଧରେ କୁଆଡ଼େ ପଳାଇଲେ ୨ ଦଶମ ଶ୍ରେଣୀ ଛାତ୍ର | Argus News