ବିଏମ୍ସି ଅଫିସ ଘେରିବା ସହ ହଲ୍ଲାବୋଲ କଲେ ସଫେଇ କର୍ମଚାରୀ

ଅର୍ଗସ ବ୍ୟୁରୋ : ହକ୍ ପାଇଁ ସଫେଇ କର୍ମଚାରୀଙ୍କ ଗର୍ଜନ । ଦାବି ପୂରଣ ନେଇ ଘେରିଲେ ଭୁବନେଶ୍ଵର ମହାନଗର ନିଗମ ମୁଖ୍ୟାଳୟ । ଠିକା ଶ୍ରମିକ ପ୍ରଥା ଉଚ୍ଛେଦ କରି ସିଏଲଆର, ଡିଏଲଆର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ । ରାଜଧାନୀରେ କାମ କରୁଥିବା ପ୍ରତ୍ୟେକ ସଫେଇ କର୍ମଚାରୀଙ୍କୁ ଇପିଏଫ, ଇଏସଆଇରେ ଅନ୍ତର୍ଭୁକ୍ତ କରାଯିବା ସହିତ ବୋନସ ଏବଂ ସବୈତନିକ ଛୁଟି ଦିଆଯାଉ ।
ଏଥି ସହିତ ମହିଳା ସଫେଇ କର୍ମଚାରୀଙ୍କୁ ଆଇନଗତ ପ୍ରସବ କାଳୀନ ଛୁଟି ପ୍ରଦାନ କରିବାକୁ ଦାବି ଜୋର ଧରିଛି । ବିଏମ୍ସି ଓ୍ଵାର୍କର୍ସ ୟୁନିଅନ ପକ୍ଷରୁ ବିଏମ୍ସି କାର୍ଯ୍ୟାଳୟ ଘେରାଉ କରାଯାଇଛି । ବର୍ଷ ବର୍ଷ ଧରି ସଫେଇ କର୍ମଚାରୀମାନେ ଖରା, ବର୍ଷା, ଶୀତ, କାକରକୁ ଖାତିର ନ କରି ରାଜଧାନୀକୁ ସ୍ଵଚ୍ଛ ଆଉ ସୁନ୍ଦର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଦୈନିକ ଭୋର ୫ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅଳିଆ ଆବର୍ଜନା ସଫା କରିବା ସହ ଦୂଷିତ ପରିବେଶରୁ ରାଜଧାନୀବାସୀଙ୍କୁ ସୁରକ୍ଷା ଦେଇଥାଆନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨କୋଭିଡ ମହାମାରୀ ସମୟରେ ମଧ୍ୟ ଏମାନେ ନିଜର କାମରେ ଲାଗିଥିଲେ । ମାତ୍ର କେଇ ଟଙ୍କା ମଜୁରୀ ଦେଇ ଏମାନଙ୍କ ବୃହତର ସ୍ଵାର୍ଥକୁ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଦାବି ପୂରଣ ନ ହେଲେ ରାଜଧାନୀରୁ ଅଳିଆ ଉଠିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ସଫେଇ କର୍ମଚାରୀ । ଏମାନଙ୍କ ଦାବିକୁ ନେଇ ଆଗାମୀ ଦିନରେ ବିଏମ୍ସି କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।