Videos
|
Odisha

Dussehra Heavy Traffic / ଦଶହରା ବୁଲାକୁ ଫିକା କରୁଛି ରାଜଧାନୀର ଟ୍ରାଫିକ୍‌; ଯାତ୍ରୀଙ୍କଠୁ ବେପାରୀ ସମସ୍ତେ ହନ୍ତସନ୍ତ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଦଶହରା ବୁଲାକୁ ଫିକା କରୁଛି ରାଜଧାନୀର ଟ୍ରାଫିକ୍‌; ଯାତ୍ରୀଙ୍କଠୁ ବେପାରୀ ସମସ୍ତେ ହନ୍ତସନ୍ତ
Dussehra Heavy Traffic

Key Points

ମହାଷ୍ଟମୀରୁ ଟେନସନ୍‌ ଦେଲାଣି ଟ୍ରାଫିକ୍
ନୟାପଲ୍ଲୀଠୁ ରସୁଲଗଡ଼ ଓ ବାଣୀବିହାରଠୁ ରାଜମହଲ,
ସବୁଠି କଲବଲ ଯାତ୍ରୀଙ୍କଠୁ ବେପାରୀ
ଭୁବନେଶ୍ଵର: ଦଶହରାରେ ମା'ଙ୍କ ଦର୍ଶନ ପାଇଁ ଜମୁଛି ଲୋକଙ୍କ ଭିଡ଼ । ହେଲେ ପୂଜା ମଣ୍ଡପ ବୁଲିବାର ଆନନ୍ଦ ଉପରେ ଭାରି ପଡ଼ୁଛି ଟ୍ରାଫିକ୍ ଟେନସନ୍ । ରାଜଧାନୀର ରାସ୍ତାଘାଟରେ ଯେଉଁଠି ଦେଖିବ, ସେଠି ଗାଡ଼ିର ଲମ୍ବା ଧାଡ଼ି । ଫଳରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଭିଡ଼ରେ ଫସି ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ନୟାପଲ୍ଲୀଠାରୁ ରସୁଲଗଡ଼ ଏବଂ ବାଣୀବିହାରଠାରୁ ରାଜମହଲ ଛକ, ସବୁଠି ଟ୍ରାଫିକ୍ ସ୍ଥିତି ପ୍ରାୟ ସମାନ ଦେଖିବାକୁ ମିଳିଛି ।

ପୂଜା ମଣ୍ଡପ ଗୁଡ଼ିକରେ ଭିଡ଼ ବଢ଼ିବା ସହ ରାସ୍ତାରେ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ୁଛି । ଗାଡ଼ି ଗଡ଼ୁଛି ସତ, ହେଲେ ଗତି ଏତେ ମନ୍ଥର ଯେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଲାଗୁଛି ଅଧିକ ସମୟ । ଫଳରେ ଅଫିସ୍ କାମ ହେଉ କି ଅନ୍ୟ ଜରୁରୀ କାମ, ସବୁକିଛି ବିଳମ୍ବିତ ହେବା ଏକପ୍ରକାର ନିଶ୍ଚିତ ।

  • ବେପାରୀ ବି ହନ୍ତସନ୍ତ
କେବଳ ସାଧାରଣ ଲୋକ ନୁହନ୍ତି, ଟ୍ରାଫିକ୍ ଭିଡ଼ର ପ୍ରଭାବ ପଡ଼ୁଛି ଜୀବିକା ଉପରେ ମଧ୍ୟ । ଜଣେ ଅଟୋ ଚାଳକଙ୍କ କହିବା ଅନୁସାରେ, ଭିଡ଼ ଯୋଗୁଁ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ଅଧିକ ସମୟ ଲାଗୁଛି । ଏପଟେ ଗାଡ଼ିର ତେଲ ଖର୍ଚ୍ଚ ବଢ଼ୁଥିବା ବେଳେ ରୋଜଗାର କିନ୍ତୁ ସେହି ଅନୁପାତରେ ବଢ଼ୁନାହିଁ । ଏଭଳି ସ୍ଥିତିରେ ଦଶହରା ବୁଲା ରାଜଧାନୀବାସୀଙ୍କ ପାଇଁ ଆନନ୍ଦ ସହ ଟ୍ରାଫିକ୍ ଯନ୍ତ୍ରଣା ମଧ୍ୟ ଆଣିଦେଇଛି ।

  • ଆଜି ମହାମାୟାଙ୍କ ମହା ସପ୍ତମୀ ପୂଜା
ଆଜି ମହାସପ୍ତମୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜଗତ ଜନନୀ ମା' ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ । ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପରେ ବ୍ୟାପକ ଭିଡ଼ ଦେଖିବାକୁ ମିଳିଛି । ଭକ୍ତିମୟ ଭାବଧାରାରେ ନିଜକୁ ଯୋଡ଼ି ମହାମାୟାଙ୍କ ସପ୍ତମୀ ପୂଜାର ଆନନ୍ଦ ନେଉଛନ୍ତି ଭକ୍ତ। ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପରେ ପ୍ରାୟ ୮୦ ଲକ୍ଷ ଟଙ୍କା ବଜେଟ୍‌ରେ ନିର୍ମାଣ ହୋଇଛି ରୋମର ଭାଟିକାନ୍ ସିଟି। ଯାହାର ଉଚ୍ଚତା ରହିଛି ୮୦ ଫୁଟ ଏବଂ ଚଉଡ଼ା ରହିଛି ୧୪୦ ଫୁଟ । ଦୂରରୁ ଦେଖିଲେ ଯେମିତି ଲାଗିବ ଭୁବନେଶ୍ୱର ନୁହେଁ, ଭାଟିକାନ୍ ସିଟିର କୌଣସି ସ୍ଥାପତ୍ୟ ସାମ୍ନାରେ ଠିଆ ହୋଇଛନ୍ତି ଦର୍ଶକ। ସେହିପରି ସହିଦ ନଗର ଦୁର୍ଗାପୂଜା ସମିତି ପ୍ରାୟ ୪୦ ଲକ୍ଷ ଟଙ୍କା ବଜେଟ୍‌ରେ ନିର୍ମାଣ ହୋଇଛି ତୋରଣ ।ଯେଉଁଥିରେ ରହିଛି ଓଡ଼ିଆ ପରମ୍ପରାର ଛାପ । ମୁଖ୍ୟ ଆକର୍ଷଣ ରହିବ ମା ଙ୍କ ମୁକୁଟ ଓ ଚାନ୍ଦି ମେଢ଼ ସହ ୮୦ ଫୁଟ୍ ଉଚ୍ଚ ଓ ୧୨୦ ଫୁଟ୍ ଚଉଡ଼ା ତୋରଣ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଦଶହରା, କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା ତିଥିକୁ ନେଇ ଦ୍ୱନ୍ଦ୍ୱ ରହିଛି…କେଉଁ ଦିନ କଣ ପାଳିବେ ଜାଣିନିଅନ୍ତୁ?

ପଳାଶୁଣୀ ଦୁର୍ଗାପୂଜା ସମିତି ପକ୍ଷରୁ ରାଜସ୍ଥାନର ପ୍ରସିଦ୍ଧ ହୱା ମହଲ ଶୈଳୀରେ ନିର୍ମାଣ ହେଉଛି ଭବ୍ୟ ତୋରଣ।ପ୍ରାୟ ୪୦ ଲକ୍ଷ ଟଙ୍କା ବଜେଟ୍‌ରେ ନିର୍ମାଣ ହୋଇଛି ଏହି ତୋରଣ । ସେହିପରି ବମିଖାଲ ଦୁର୍ଗାପୂଜା ସମିତିରେ ପ୍ରାୟ ୭୦ ଲକ୍ଷ ଟଙ୍କା ବଜେଟ୍‌ରେ ନିର୍ମାଣ ହୋଇଛି ଦୁବାଇର ବୁର୍ଜ ଖଲିଫା ଢାଞ୍ଚାର ମଣ୍ଡପ । ମା’ଙ୍କ ଆଗମନରେ ଉତ୍ସବମୁଖର ରାଜଧାନୀ । ଭବ୍ୟ ମଣ୍ଡପ, ଆକର୍ଷଣୀୟ ତୋରଣ ଓ ଆଲୋକସଜ୍ଜା ସାଙ୍ଗକୁ ବଡ଼ ବଜେଟ୍‌ର ପୂଜା ଆୟୋଜନ ଏଥର ଦୁର୍ଗାପୂଜାକୁ ଆହୁରି ଆକର୍ଷଣୀୟ କରିଛି ।