ରାଜ୍ୟ ସରକାରଙ୍କ ଅସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ପାଇଁ ଭୁବନେଶ୍ୱର ଦୁର୍ଗନ୍ଧମୟ ସହରରେ ପରିଣତ ହୋଇଛି

ଅର୍ଗସ ବ୍ୟୁରୋ : “ସ୍ୱାସ୍ଥ୍ୟ ହିଁ ସଂପଦ” ! ବିଜେଡି ସରକାରର ୨୩ ବର୍ଷ ଶାସନରେ ଏହା ବର୍ତମାନ ରାଜ୍ୟବାସୀଙ୍କ ପାଇଁ ଦୁଃସ୍ୱପ୍ନ ପାଲଟିଛି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସହରାଂଚଳରେ ପୈାରନିଗମ ଆଜି ସଠିକ ଭାବେ କାର୍ଯ୍ୟ କରୁନାହିଁ । ରାଜ୍ୟ ରାଜଧାନୀ ତଥା ସ୍ମାର୍ଟ ସିଟି ଭୁବନେଶ୍ୱରବାସୀଙ୍କ ଜୀବନ ଆଜି ଅତ୍ୟନ୍ତ ଦୟନୀୟ ହୋଇପଡିଛି । ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଅସ୍ଥାୟୀ ଡମ୍ପିଂ ୟାର୍ଡ’ ଆଜି ‘ସ୍ଥାୟୀ ଡମ୍ପିଂ ୟାର୍ଡ’ରେ ପରିଣତ ହୋଇ କୃତ୍ରିମ ପାହାଡର ଭ୍ରମ ସୃଷ୍ଟି କରିଛି । ଅଳିଆ ଆବର୍ଜନାପୂର୍ଣ୍ଣ ଏହି କୃତ୍ରିମ ପାହାଡରୁ ନିର୍ଗତ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଗାଡକଣ, ରଙ୍ଗମାଟିଆ, ଡମଣା, ମଂଚେଶ୍ୱରବାସିନ୍ଦାଙ୍କ ଜୀବନ ଅତିଷ୍ଠ ହୋଇପଡିଛି । ଏହି ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ଉତ୍କଳ ବିଶ୍ୱବିଦ୍ୟାଳୟ, ଇଷ୍ଟକୋଷ୍ଟ ରେଲୱେ ଅଫିସ, ମେଡିକାଲ, ସରକାରୀ ଓ ଘରୋଇ କଲୋନୀ, ଅପୋଲ ହସ୍ପିଟାଲ ରହିଛି । ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧାମାନେ ଅସୁସ୍ଥ ହୋଇପଡୁଛନ୍ତି । ଅସୁସ୍ଥକର ପରିବେଶ ପାଇଁ ଭକ୍ତମାନେ ସେଠାରେ ଥିବା ସର୍ବେଶ୍ୱର ମହାଦେବ ମନ୍ଦିର, ଦାସରାଜ ମନ୍ଦିରକୁ ଆସୁନଥିବାରୁ ଏହା ବନ୍ଦ ରହିଛି । ଅସୁସ୍ଥ ପରିବେଶ, ବାୟୁ ପ୍ରଦ୍ୟୁଷଣ ଓ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଅଂଚଳବାସୀ ଘରର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏପରିକି ଚର୍ମରୋଗ, ଶ୍ୱାସରୋଗ ଓ କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି । ସ୍ଥାନୀୟବାସିନ୍ଦାଙ୍କ ସମେତ ଭାରତୀୟ ଜନତା ପାର୍ଟୀ ତରଫରୁ ଏହାର ପ୍ରତିକାର ନିମନ୍ତେ ବାରମ୍ବାର ଦାବୀ କରାଯାଉଥିବା ସତ୍ୱେ ବିଏମସି ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ସମସ୍ୟାର ସମାଧାନ ନିମନ୍ତେ ଆଦୈା ଚିନ୍ତା ନାହିଁ । ବର୍ତମାନ ପରିସ୍ଥିତି ସଙ୍ଗୀନ ହୋଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି । ୨୩ ବର୍ଷର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି । ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
📱 Get Argus News App
✨ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗାଡକଣ ଡମ୍ପିଂ ୟାର୍ଡକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କରିବା ସହ ସ୍ଥାନୀୟବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ସେଠାରେ ଉପସ୍ଥିତ ଥିବା ବିଏମସି ଡେପୁଟି କମିଶନର ଗତ କାଲି କାର୍ଯ୍ୟରେ ଯୋଗ ଦେଇଛି ଓ କିଛି ଜାଣିନଥିବା କହି ହାତ ଟେକିଦେଲେ । ସର୍ବସାଧାରଣରେ ସ୍ୱଚ୍ଛତା ରକ୍ଷା ପାଇଁ ସାଧାରଣଜନତାଙ୍କଠାରୁ ଟିକସ ନେଉଛନ୍ତି ପ୍ରଶାସନ ଓ ରାଜ୍ୟ ସରକାର । ଟିକସ ନେଇ ନିଜ ଦାୟୀତ୍ୱ ଭୁଲି ଯାଉଛି ବିଏମସି । ବିଏମସି ମେୟର ଦେଖା ଦେଉନାହାନ୍ତି, ଅଫିସର କିଛି ଜାଣିନାହାନ୍ତି ବୋଲି କହୁଛନ୍ତି । ତାହେଲେ ସାଧାରଣ ଲୋକେ ଗୁହାରି କାହାକୁ କରିବେ? ଦାୟିତ୍ୱହୀନତା ଥିବା ଅଧିକାରୀମାନଙ୍କୁ ବିଏମ୍ସି ଦାୟିତ୍ୱ ଦେଇଛି । ଅତୀତରେ ତତ୍କାଳୀନ ବିଏମସି କମିଶନର ଏହି ସମସ୍ୟାର ସମାଧାନ କରାଯିବ ବୋଲି ଘୋଷଣା କରିଥିଲେ, ତାଙ୍କର ବଦଳି ହୋଇଗଲା କିନ୍ତୁ ସମସ୍ୟାର ସମାଧାନ କରିପାରିଲେ ନାହିଁ । ଆଗାମୀ ୭ ମାସ ଭିତରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହୁଥିବା ବର୍ତମାନର ବିଏମସି କମିଶନର ସେ ପର୍ଯ୍ୟନ୍ତ ନିଜ ପଦବୀରେ ଥିବେ ନା ନାହିଁ ବୋଲି ଶ୍ରୀ ମହାନ୍ତି ସନ୍ଦେହ ପ୍ରକାଶ କରିଛନ୍ତି ।
ସେ ସ୍ଥାନକୁ ନଗଲେ ବାସ୍ତବ ସ୍ଥିତି ଜାଣିବା ଅସମ୍ଭବ । ନବୀନ ନିବାସରୁ ବାହାରକୁ ଆସୁ ନଥିବା ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ କଷ୍ଟ ବୁଝିବେ କିପରି ? ମୁଖ୍ୟମନ୍ତ୍ରୀ, ବିଏମସି ମେୟର, କମିଶନରଙ୍କ ସହ ସେହି ଅଂଚଳରେ ଗୋଟିଏ ଦିନ ବିତାଇଲେ ଯାଇ ତାଙ୍କ ଶାସନରେ ଲୋକେ କିଭଳି ରହୁଛନ୍ତି ତାହା ଭଲ ଭାବେ ଜାଣିପାରିବେ । ସ୍ମାର୍ଟସିଟି ଭୁବନେଶ୍ୱରର ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତୃପକ୍ଷ ମିଳିତ ଭାବେ ଦାୟୀତ୍ୱ ନିଅନ୍ତୁ । ଏଥି ସହ ଏଭଳି ଦୂଷିତ ପରିବେଶ ପାଇଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବିଏମସି ଓ ରାଜ୍ୟ ସରକାର ବହନ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଏମିସିର ଅପାରଗତା ଓ କୁପରିଚାଳନା ବିରୁଦ୍ଧରେ ଆସନ୍ତା କାଲିଠାରୁ ବିଜେପି ଆନ୍ଦୋଳନ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜେନ୍ଦ୍ର ପଣ୍ଡା, ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ମଣ୍ଡଳ ସଭାପତି ଦାମୋଦର ବେହେରା, ଅଶୋକ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।