Videos
|
Odisha

Odisha Mining Expo 2027 / ଓଡ଼ିଶାରେ ଜମିବ ଶିଳ୍ପର ମହାକୁମ୍ଭ, ୩୦୦ କମ୍ପାନୀଙ୍କୁ ନେଇ ହେବ ଇଣ୍ଟରନ୍ୟାସନାଲ ଏକ୍ସପୋ

Debashree Debasmita Sahoo
Browse all articles by Debashree Debasmita Sahoo
·59 mins ago·2 min read
ଓଡ଼ିଶାରେ ଜମିବ ଶିଳ୍ପର ମହାକୁମ୍ଭ, ୩୦୦ କମ୍ପାନୀଙ୍କୁ ନେଇ ହେବ ଇଣ୍ଟରନ୍ୟାସନାଲ ଏକ୍ସପୋ
Odisha Mining Expo 2027

Key Points

ପଞ୍ଚମ ମାଇନିଂ, ଇଣ୍ଡଷ୍ଟ୍ରି ଓ ଇନଫ୍ରାଷ୍ଟ୍ରକଚର ଇଣ୍ଟରନ୍ୟାସନାଲ କନକ୍ଲେଭ୍ ଆଣ୍ଡ ଏକ୍ସପୋ ୨୦୨୭ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି । ଭାଗନେବେ ୩୦୦ କମ୍ପାନୀ । ଅଧିକ ପଢନ୍ତୁ
ଭୁବନେଶ୍ଵର: ଶିଳ୍ପ ଓ ଖଣି କ୍ଷେତ୍ରରେ ଓଡ଼ିଶାର ବଡ଼ ପ୍ରସ୍ତୁତି । ରାଜ୍ୟକୁ ବିଶ୍ୱ ଖଣି ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ କରିବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଯାଉଛି ପଞ୍ଚମ ମାଇନିଂ, ଇଣ୍ଡଷ୍ଟ୍ରି ଓ ଇନଫ୍ରାଷ୍ଟ୍ରକଚର ଇଣ୍ଟରନ୍ୟାସନାଲ କନକ୍ଲେଭ୍ ଆଣ୍ଡ ଏକ୍ସପୋ ୨୦୨୭ । ଆସନ୍ତା ଜାନୁଆରୀ ୭ରୁ ୧୦ ତାରିଖ ଯାଏଁ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ୪ଦିନ ଧରି ଚାଲିବ ଏହି ଅନ୍ତର୍ଜାତୀୟ କନକ୍ଲେଭ୍ ଓ ପ୍ରଦର୍ଶନୀ ।

ଏହି ଏକ୍ସପୋର ବିବରଣୀ ପୁସ୍ତିକାକୁ ନଭେମ୍ବର ୨୦ ତାରିଖରେ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ । କାର୍ଯ୍ୟକ୍ରମରେ ଖଣି ଓ ଶିଳ୍ପ କ୍ଷେତ୍ରର ବହୁ ବରିଷ୍ଠ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଓଡ଼ିଶାକୁ ଖଣି ସମ୍ମିଳନୀର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଉଦ୍ୟୋଗୀ ଓ ବିଶେଷଜ୍ଞଙ୍କ ପ୍ରୟାସକୁ ଉପମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

  • ୩୦୦ କମ୍ପାନୀ, ୨୦ ହଜାରରୁ ଅଧିକ ଲୋକଙ୍କ ସମାଗମ
ପୂର୍ବରୁ ଆୟୋଜିତ ୪ଟି ସଂସ୍କରଣରେ ବ୍ୟାପକ ସଫଳତା ପରେ ଏଥର ପ୍ରଦର୍ଶନୀର ପରିସର ୨୫ ହଜାର ବର୍ଗମିଟରରୁ ଅଧିକ ରହିବ । ଭାରତ ଓ ବିଦେଶର ପ୍ରାୟ ୩୦୦ କମ୍ପାନୀ ଅଂଶଗ୍ରହଣ କରିବା ସହ ୨୦ ହଜାରରୁ ଅଧିକ ଲୋକ ଏଥିରେ ଯୋଗଦେବେ । ଖଣି ଯନ୍ତ୍ରପାତି, ଆଧୁନିକ ପ୍ରଯୁକ୍ତି, ମିନେରାଲ୍ ପ୍ରୋସେସିଂ, ଅଟୋମେସନ୍ ଓ ପରିବେଶ ଅନୁକୂଳ ଖଣି କାର୍ଯ୍ୟକୁ ଏଠାରେ ପ୍ରଦର୍ଶିତ କରାଯିବ । ପ୍ରମୁଖ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରୋପେଲ୍, ସାନି, ଭଲଭୋ, ଟାଟା ହିଟାଚି, ବିଇଏମଏଲ, ଆଇଆରଇଏଲ, ସିଆଇଏଲ, ଏଚଏଏଲ, ଏମସିଏଲ, ଏନସିଏଲ, ଏଚପିସିଏଲ ଓ ଅନ୍ୟାନ୍ୟ କମ୍ପାନୀ ସାମିଲ ହେବେ ।

  • ରେୟାର ଆର୍ଥ ଓ କ୍ରିଟିକାଲ ମିନେରାଲ୍ସ ଉପରେ ଗୁରୁତ୍ୱ
ଏକ୍ସପୋରେ ରେୟାର ଆର୍ଥ (୧୭ଟି ବିଶେଷ ରାସାୟନିକ ମୌଳିକର ସମୂହ) ଓ କ୍ରିଟିକାଲ ମିନେରାଲ୍ସ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଭାରତର ରେୟାର ଆର୍ଥ କରିଡରରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭାଗିଦାରି ଥିବାରୁ ଏହି କନକ୍ଲେଭ୍ ଦେଶରେ ରଣନୀତିକ ଖଣିଜ ସମ୍ପଦର ବିକାଶ ଓ ଆତ୍ମନିର୍ଭରତାକୁ ଆଗକୁ ବଢ଼ାଇବାରେ ସହାୟକ ହେବ । ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଏହି ପ୍ଲାଟଫର୍ମ ଗୁରୁତ୍ୱ ବହନ କରିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଆଧୁନିକ ଖଣି ପ୍ରଯୁକ୍ତି ଓ ସୁରକ୍ଷା ଉପରେ ଆଲୋଚନା
ଖଣି କ୍ଷେତ୍ରରେ ମେକାନାଇଜେସନ୍, ଡିଜିଟାଲାଇଜେସନ୍, ଏଆଇ, ସ୍ମାର୍ଟ ଟେକ୍ନୋଲୋଜି, ଖଣି ସୁରକ୍ଷା, ଶ୍ରମିକ ସୁରକ୍ଷା, ଶକ୍ତି ସଞ୍ଚୟକାରୀ ଯନ୍ତ୍ରପାତି ଓ ପରିବେଶ ସୁରକ୍ଷା ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ । ଖଣିଜ ପ୍ରକ୍ରିୟାକରଣ, ବର୍ଜ୍ୟବସ୍ତୁ ପରିଚାଳନା, ଖଣି ପୁନରୁଦ୍ଧାର ଓ ପରିବେଶ ନିରୀକ୍ଷଣ ଭଳି କ୍ଷେତ୍ରରେ ନୂତନ ସମାଧାନ ମଧ୍ୟ ପ୍ରଦର୍ଶିତ ହେବ । ଏହା ଖଣି ଶିଳ୍ପକୁ ଅଧିକ ଦକ୍ଷ, ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ଲାଟଫର୍ମ ହେବ ।

ପଢନ୍ତୁ ଏହି ଖବର: ଓଡ଼ିଶାରେ ଭୂସ୍ଖଳନ ରୋକିବାକୁ ବଡ଼ ପ୍ଲାନ୍‌, ଉତ୍ତରାଖଣ୍ଡ ସହ ହାତ ମିଳାଇଲା ଓଡ଼ିଶା

  • ଶିଳ୍ପ ନିବେଶକୁ ମିଳିବ ନୂଆ ଦିଗ
IPICOL ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି ଅନ୍ତର୍ଜାତୀୟ ଏକ୍ସପୋ ମାଧ୍ୟମରେ ଖଣି ଶିଳ୍ପ ସହ ଜଡ଼ିତ କମ୍ପାନୀ, ନିବେଶକ, ଉତ୍ପାଦକ, ଟେକ୍ନୋଲୋଜି ପ୍ରଦାନକାରୀ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ଶିଳ୍ପ ବିଶେଷଜ୍ଞଙ୍କୁ ଏକ ମଞ୍ଚରେ ଏକତ୍ରିତ ହେବେ । ଓଡ଼ିଶାର ଖଣିଜ ସମ୍ପଦ, ଶିଳ୍ପ ସମ୍ଭାବନା ଓ ଆଧୁନିକ ପ୍ରଯୁକ୍ତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ରାଜ୍ୟକୁ ଅନ୍ତର୍ଜାତୀୟ ନିବେଶ ଓ ଶିଳ୍ପ ସହଯୋଗର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ଏହି ଏକ୍ସପୋର ମୁଖ୍ୟ ଲକ୍ଷ୍ୟ ରହିଛି । ଏହି ଏକ୍ସପୋ ମାଧ୍ୟମରେ ଓଡ଼ିଶା, ଗ୍ଲୋବାଲ୍ ମାଇନିଂ ଓ ଇଣ୍ଡଷ୍ଟ୍ରି ମାନଚିତ୍ରରେ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ।