ଶୀତ ବଢ଼ୁଛି, ବେପାର ଜମୁଛି

ଅର୍ଗସ ବ୍ୟୁରୋ : ସବୁବର୍ଷ ପରି ରାଜଧାନୀର ଶହୀଦ ନଗର ଦୁର୍ଗାପୂଜା ପଡିଆ, ପଳାଶୁଣି ସମେତ ରାଜଧାନୀର ଅନେକ ସ୍ଥାନରେ ଖୋଲିଛି ଶୀତବସ୍ତ୍ର ବଜାର । ସ୍ୱେଟର, ଜାକେଟ୍, କ୍ୟାପ୍, ଗ୍ଲୋଭ୍ସ୍, ଶାଲ୍, କମ୍ବଳ ଓ ମୋଜା ଆଦିର ପସରା ନେଇ ମେଲାଇଛନ୍ତି ବ୍ୟବସାୟୀ । ପ୍ରତିବର୍ଷ ଶୀତଋତୁ ଆରମ୍ଭରୁ ଶୀତବସ୍ତ୍ର କିଣିବାକୁ ଗ୍ରାହକଙ୍କ ଭିଡ ଲାଗୁଥିବା ବେଳେ ଚଳିତ ବର୍ଷ ଶୀତ ବଢିବା ସହ ବଢୁଛି ଗ୍ରାହକଙ୍କ ଭିଡ଼ । ବାହାର ରାଜ୍ୟର ପ୍ରଡକ୍ସନ ୟୁନିଟରୁ ଆସୁଛି ଭଳିକି ଭଳି ଶୀତ ବସ୍ତ୍ର ।
ଧୀରେଧୀରେ ବଢଛି ଶୀତ । ଫଳରେ ରାଜଧାନୀବାସୀ ପରିବାର ଲୋକଙ୍କ ପାଇଁ ଶୀତବସ୍ତ୍ର କିଣୁଥିବା ଦେଖିବାକୁ ମିଳିଛି । ଗ୍ରାହକଙ୍କ ପସନ୍ଦ ଏବଂ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଲୁଧିଆନା, ଦିଲ୍ଲୀ, ପାନିପଥରୁ ଶୀତବସ୍ତ୍ର ଆଣି ରାଜଧାନୀରେ ବିକ୍ରି କରୁଛନ୍ତି । ଅନ୍ୟପଟେ ରାଜସ୍ଥାନୀ ଶୀତବସ୍ତ୍ରର ସ୍ବତନ୍ତ୍ର ଚାହିଦା ରହିଥିବାରୁ ରାଜସ୍ଥାନୀ ଦୋକାନରେ ମଧ୍ୟ ଲୋକଙ୍କ ଭିଡ଼ ଜମୁଛି । ୫୦ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରରେ ମିଳୁଛି ଭଳିକି ଭଳି ଶୀତବସ୍ତ୍ର । ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚାହିଦା ଅନୁସାରେ ମିଳୁଛି ଶୀତବସ୍ତ୍ର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ୱିଣ୍ଟର ମାର୍କେଟରେ ଦେଖିବାକୁ ମିଳୁଛି ଗ୍ରାହକଙ୍କ ଭିଡ଼ । ଚଳିତ ବର୍ଷ ୱିଣ୍ଟର ମାର୍କେଟରେ ଖୋଲିଛି ୧୦୦ରୁ ଅଧିକ ଷ୍ଟଲ । ତିବତିଆନ୍ ରିଫ୍ୟୁଜି ୱୈଲଫେୟାର୍ ଆସୋସିଏସନ୍ ର ଦେଢ ଶହ ପାଖାପାଖି ସଦସ୍ୟ ନିୟୋଜିତ ହୋଇଛନ୍ତି ବ୍ୟବସାୟରେ । ସେହିପରି ରାଜସ୍ଥାନର ଶହେରୁ ଅଧିକ ବ୍ୟବସାୟୀ ଆସିଛନ୍ତି । ୫୦ଟଙ୍କାର ହ୍ୟାଣ୍ଡ ଗ୍ଲୋବସଠାରୁ ଆରମ୍ଭ କରି ତିନି ହଜାର ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କିସମର ଶୀତବସ୍ତ୍ର ଏଠାରେ ମିଳୁଛି । ଚଳିତ ବର୍ଷ ଟିକେ ବିଳମ୍ବରେ ଶୀତ ଆସିଥିବା ବେଳେ ଆଗକୁ ଭଲ ବିକ୍ରିବଟାର ଆଶା ରଖିଛନ୍ତି ବ୍ୟବସାୟୀ ।