Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pride of Odisha / ଅଲିଭ୍ ରିଡଲେଙ୍କୁ ବଞ୍ଚାଇବା ପାଇଁ ୩୦ ବର୍ଷ ହେଲା ସମୁଦ୍ର କୂଳରେ...

Sushanta Sahoo
Browse all articles by Sushanta Sahoo
·7 months ago·3 min read
ଅଲିଭ୍ ରିଡଲେଙ୍କୁ ବଞ୍ଚାଇବା ପାଇଁ ୩୦ ବର୍ଷ ହେଲା ସମୁଦ୍ର କୂଳରେ...
Living for Olive Ridleys: Bichitrananda’s Silent Mission

Key Points

ଘର ଭିତରେ ମଣିଷ ଅନେକ ପୋଷା ଜୀବଜନ୍ତୁଙ୍କୁ ରଖୁଥିବା ବେଳେ "ବିଚି ଭାଇ" ହେଉଛନ୍ତି ନିଆରା ବ୍ୟକ୍ତିତ୍ଵ । ଯିଏ ସମୁଦ୍ର କୂଳରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବିତାଇଲେଣି ୩୦ ବର୍ଷ ।

ଭୁବନେଶ୍ଵର: ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷ । ଯେଉଁମାନଙ୍କ ଅବଦାନ ରହିଛି ଆମ ସମାଜ ପାଇଁ, ଲୋକଙ୍କ ଜୀବନକୁ ସରଳ କରି ଭରିଛି ଆନନ୍ଦର ରଙ୍ଗ । ଅର୍ଗସ୍ ନ୍ୟୁଜ୍‌ର 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2 ନେଇ ଆସିଛି ସେଇଭଳି କିଛି 'ସରଳ ମଣିଷର ବିରଳ କାହାଣୀ' ।

ମଣିଷ ପଶୁ ପକ୍ଷୀଙ୍କୁ ପ୍ରେମ କରେ । ଯତ୍ନ ଆଦରରେ ଘରେ କୁକୁର ପାଳେ, ବିଲେଇକୁ ପୋଷେ । ଘର ଭିତରେ ମଣିଷ ଅନେକ ପୋଷା ଜୀବଜନ୍ତୁଙ୍କୁ ରଖୁଥିବା ବେଳେ "ବିଚି ଭାଇ" ହେଉଛନ୍ତି ନିଆରା ବ୍ୟକ୍ତିତ୍ଵ । ଯିଏ ସମୁଦ୍ର କୂଳରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବିତାଇଲେଣି ୩୦ ବର୍ଷ ।

ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2ର ଦ୍ଵିତୀୟ ଅଧ୍ୟାୟରେ ଦେଖିବା ଖେଳିବା ବୁଲିବା ବୟସରେ ଘର ଛାଡ଼ି ସମୁଦ୍ର କୂଳରେ କୁଡ଼ିଆ କରି ବିଦେଶୀ କଇଁଛଙ୍କ ତ୍ରାଣକର୍ତ୍ତା ପାଲଟିଥିବା "ବିଚି ଭାଇ" ତଥା ବିଚିତ୍ରାନନ୍ଦ ବିଶ୍ଵାଳଙ୍କ କାହାଣୀ ।

ଏଥିସହ ପଢ଼ନ୍ତୁ: ଯେବେ ଜଳିଯାଏ ମୁହଁ ଓ ଶରୀର, ସେବେ... ପ୍ରେରଣା ସାଜନ୍ତି ପ୍ରମୋଦିନୀ

ଓଡ଼ିଶାରେ ରହିଛି ସୁଦୀର୍ଘ ବେଳାଭୂମି । ଆଉ ଓଡ଼ିଶା ହେଉଛି ଅଲିଭ୍ ରିଡଲେ କଇଁଛଙ୍କ ପାଇଁ ସ୍ଵତନ୍ତ୍ର ସ୍ଥାନ । ଯେଉଁଠିକୁ ଦୁନିଆବ୍ୟାପି କଇଁଛ ଆସନ୍ତି, ବାଲିରେ ଅଣ୍ଡାଦାନ କରି ପୋତି ଦିଅନ୍ତି । ପ୍ରତିବର୍ଷ ଓଡ଼ିଶାକୁ ଏଭଳି ଲକ୍ଷ ଲକ୍ଷ ଅଲିଭ୍ ରିଡଲେ ଆସୁଥିବା ବେଳେ ଏହି ବିଦେଶୀ ଅତିଥିଙ୍କ ରକ୍ଷା କର୍ତ୍ତା ହେଉଛନ୍ତି "ବିଚି ଭାଇ" ।

କେନ୍ଦ୍ରାପଡ଼ାର ଗହୀରମଥା ଓ ଗଞ୍ଜାମର ଋଷିକୁଲ୍ୟା ମୁହାଣରେ ଅଣ୍ଡାଦାନ କରନ୍ତି ଅଲିଭ୍ ରିଡଲେ । ପୁରୀ ନିକଟସ୍ଥ ସମୁଦ୍ର ବେଳାଭୂମିରେ ବି ଅଲିଭ୍ ରିଡଲେ ଅଣ୍ଡା ଦିଅନ୍ତି । ଅଲିଭ୍ ରିଡଲେ କେବଳ ଅଣ୍ଡା ଦିଅନ୍ତି ତା ନୁହେଁ ମାଛ ପ୍ରତି ବିପଦ ଜେଲି ଫିସ୍‌କୁ ଖାଇ ଯାଆନ୍ତି ।

ସେହି ଅଲିଭ୍ ରିଡଲେଙ୍କ ରକ୍ଷାରେ ଅଧା ଜୀବନ କାଟି ସାରିଲେଣି ବିଚି ଭାଇ । ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ବିଚି ଭାଇ ୧୯୯୬ରୁ ଅଲିଭ୍ ରିଡଲେଙ୍କ ଅଣ୍ଡାକୁ ସୁରକ୍ଷା ଦେଇ ଆସୁଛନ୍ତି ।

ବିଚି ଭାଇଙ୍କ ଅଲିଭ୍ ରିଡଲେ ଯାତ୍ରା ଆରମ୍ଭ ହୁଏ ଶୈଶବରୁ । ପାଠପଢ଼ା ଖେଳିବା ବୁଲିବା ବୟସରେ ବିଚି ଭାଇ ପରିବେଶ ପାଇଁ କିଛି ବଡ଼ ଚିନ୍ତା କରିଥିଲେ । ଆଉ ବିଦେଶରୁ ସମୁଦ୍ରରେ ଭାସି ଆସୁଥିବା ଲକ୍ଷ ଲକ୍ଷ ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ନିଜକୁ ସମର୍ପି ଦେଇଥିଲେ ।


ଏହା ଭିତରେ ୩୦ ବର୍ଷ ବିତିଗଲାଣି । ସେଦିନର ଶୈଶବ ବିଚି ଭାଇ ଏବେ ବି ସେମିତି ସମୁଦ୍ର କୂଳ କୁଡ଼ିଆରେ ରହୁଛନ୍ତି ଆଉ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା କରୁଛନ୍ତି । ଉଚ୍ଚ ରକ୍ତଚାପ ଯୋଗୁଁ ବିଚି ଛୋଟେଇ ଛୋଟେଇ ଚାଲୁଥିଲେ ବି ତାଙ୍କ ପାଇଁ ଦିନ କି ରାତି କିଛି ଫରକ୍ ପଡ଼େନି । କେବଳ ଅଲିଭ୍ ରିଡଲେ ଏବଂ ସେମାନଙ୍କ ଅଣ୍ଡା ଏବେ ବିଚି ଭାଇଙ୍କ ଜୀବନ ସାଥୀ ।

ଏଥିସହ ପଢ଼ନ୍ତୁ: ସ୍କୁଲ୍ ଆଗରେ କଳା ରଙ୍ଗର କାର୍... ଚାଲାଣ ହେଉଥିଲା ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ

ଅଲିଭ୍ ରିଡଲେଙ୍କ ସାଥୀ ବିଚି ଭାଇ କେବଳ କଇଁଛଙ୍କ ଅଣ୍ଡାକୁ ନିଜ ହାତରେ ସୁରକ୍ଷା ଦିଅନ୍ତି ତା' ନୁହେଁ । ଆଖପାଖ ଗାଁ ବୁଲି ସେ ଲୋକଙ୍କୁ ସଚେତନ ବି କରାନ୍ତି । ବିଚିଙ୍କ ଉଦ୍ୟମରେ ଏବେ ଆଖପାଖ ଗାଁର ମହିଳା ଏବଂ ଯୁବପିଢ଼ି ମଧ୍ୟ ଅଲିଭ୍ ରିଡଲେଙ୍କ ସୁରକ୍ଷା ସହ ପରିବେଶ ରକ୍ଷା ଦିଗରେ କାମ କରୁଛନ୍ତି ।

ବିଚି ଭାଇଙ୍କ ଭଳି ଓଡ଼ିଶାର ଅନ୍ୟ ବ୍ୟକ୍ତି ବିଶେଷଙ୍କ ସଫଳ କାହାଣୀ 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2 ଦେଖି ପାରିବେ ଅର୍ଗସ୍ ନ୍ୟୁଜ୍‌ରେ । ପ୍ରତି ଶନିବାର ରାତି ୮ଟା ୩୦ ଓ ରବିବାର ଦିନ ସାଢ଼େ ଗୋଟାଏ (ପୁନଃ ପ୍ରସାରଣ) ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pride of Odisha: Man Who Protected Turtles for 30 Years | Argus News | Argus News