Videos
|
Odisha

ଗୋଣ୍ଡ ସମାଜକୁ ଭାଗଭାଗ କରିବା ନେଇ ବିଜେଡି ଚାଲର ପର୍ଦ୍ଦାଫାଶ

Jitendra Dash
Browse all articles by Jitendra Dash
·2 years ago·2 min read
ଗୋଣ୍ଡ ସମାଜକୁ ଭାଗଭାଗ କରିବା ନେଇ ବିଜେଡି ଚାଲର ପର୍ଦ୍ଦାଫାଶ

ଅର୍ଗସ ବ୍ୟୁରୋ : ନିରୀହ ଜନଜାତିଙ୍କୁ ନେଇ ରାଜନୈତିକ ଚାଲ ଖେଳିବା ବିଜେଡିକୁ ପଡ଼ିଛି ମହଙ୍ଗା । ଆଠମଲ୍ଲିକ ଗୋଣ୍ଡ ସମାଜକୁ ଧୋକା ଦେଇ ସମର୍ଥନ ହାସଲ କରିବାକୁ ବିଜେଡିର ଚାଲ ଫସର ଫାଟିଛି । ସୋମବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେଟିବା ପରେ ଗୋଣ୍ଡ ସମାଜ ସଭାପତି ଯେଉଁ ପ୍ରତିକ୍ରିୟା ରଖିଥିଲେ ଆଜି ସେଥିରୁ ଓହରି ଯାଇଛନ୍ତି । ଗୋଣ୍ଡ ସମାଜ ଆଠମଲ୍ଲିକରେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବ, ଏହା କହିବାକୁ ତାଙ୍କୁ ବାଧ୍ୟ କରାଯାଇଥିବା କହିଛନ୍ତି ଗୋଣ୍ଡ ସମାଜ ସଭାପତି । 

ଗୋଣ୍ଡ ସମାଜ ସଭାପତିଙ୍କ କହିବା ହେଲା ପୁରୀ ବୁଲେଇନେବାର ବାହାନା କରି ଗୋଣ୍ଡ ସମାଜ ଲୋକଙ୍କୁ ଶଙ୍ଖ ଭବନ ନେଇଯାଇଥିଲେ ବିଜେଡି ନେତା । ମିଛସତ କହି ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ ନିବାସରେ ଫୋଟୋ ବି ଉଠେଇଦେଲେ । ଆଉ ଏସବୁ ଷଡ଼ଯନ୍ତ୍ର ପଛରେ ବିଜେଡି ନେତା ନଳିନୀ ପ୍ରଧାନ ଥିବା କହିଛନ୍ତି ସଦାଶିବ ନାଏକ । ଏଥିସହ ସୋମବାର ନବୀନ ନିବାସରେ ଦେଇଥିବା ମନ୍ତବ୍ୟ ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୂର୍ବରୁ ବି ଆଠମଲ୍ଲିକ ଆମ୍ବ ସରମୁଣ୍ଡା ଠାରେ ଆୟୋଜିତ ଗୋଁଣ୍ଡ ସମାଜର “ସର୍ବୋଚ୍ଚ ପ୍ରକୃତି ଶକ୍ତି ଜଂଘା ପେନଠାନା ପ୍ରତିଷ୍ଠା ଉତ୍ସବ”ର ରାଜନୀତିକରଣ ପାଇଁ ଉଦ୍ୟମ କରିଥିଲେ ବିଜେଡି ନେତା ନଳିନୀ ପ୍ରଧାନ । ପ୍ରତିଷ୍ଠା ଉତ୍ସବର ଶେଷ ଦିନରେ ଅତିଥୀ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ବିନା ନିମନ୍ତ୍ରଣରେ ଚାଲିଆସିଥିଲେ ବିଜେଡି ନେତା ନଳିନୀ ପ୍ରଧାନ । ନଳିନୀଙ୍କ ସମର୍ଥକମାନେ ମଦପିଇ ଡିଜେ ବଜାଇ ସ୍ଥାନୀୟ ବିଧାୟକ ରମେଶ ସାଏଙ୍କ ବିରୋଧରେ ସ୍ଲୋଗାନ ଦେଇ ପ୍ରତିଷ୍ଠା ଉତ୍ସବକୁ ଆସୁଥିଲେ । ଏହାକୁ ବିରୋଧ କରିଥିଲେ ଗୋଣ୍ଡ ସମାଜ ଏବଂ ନଳିନୀ ଗୋ ବ୍ୟାକ୍ ସ୍ଲୋଗାନ ଦେଇଥିଲେ । ତେବେ ନଳିନୀଙ୍କ ସମର୍ଥକ ଗୋଣ୍ଡ ସମାଜ ମହିଳାଙ୍କ ପ୍ରତି ଅସଦାଚରଣ କରିବା ସହ ଧସ୍ତାଧସ୍ତି କରିଥିବା ଅଭିଯୋଗ ହୋଇଥିଲା । ଏହା ବିରୋଧରେ ନିଆଁବାଣ ହୋଇଥିଲା ଅଖିଳ ଭାରତୀୟ ଗୋଣ୍ଡୱାନା ସମାଜ । ନଳିନୀ ପ୍ରଧାନଙ୍କ ପୋଷ୍ଟର ଜାଳିବା ସହ ଆଗାମୀ ଦିନରେ ବି ତାଙ୍କୁ ବିରୋଧ ଜାରି ରହିବ ବୋଲି ଘୋଷଣା କରିଥିଲା ଗୋଣ୍ଡୱାନା ସମାଜ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଣ୍ଡ ସମାଜ ପକ୍ଷରୁ ନଳିନୀ ପ୍ରଧାନଙ୍କୁ ବିରୋଧ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିଜେ ନଳିନୀ, ଅନୁଗୁଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ କୁନୁ ବିହାରୀ ଦାସ, ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବବି ଦାସ ଗଣ୍ଡ ସମାଜର ଜିଲ୍ଲା ସଭାପତି ସଦାଶିବ ନାଏକଙ୍କ ଭୁତେଇ ସମର୍ଥନ ହାସଲ ପାଇଁ ଉଦ୍ୟମ କରିଥିଲେ ।  ଯାହାର ଏବେ ଖୋଲିଯାଇଛି ପୋଲ । ଜାନୁୟାରୀ ୧୪ରେ ଜଂଘା ବଳଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟପାଳ ରଘୁବର ଦାସ ଅତିଥି ଭାବେ ଯୋଗ ଦେଇଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଗୋଣ୍ଡ ସମାଜର ଆଗ ଧାଡ଼ିର ନେତାମାନେ ବିଭିନ୍ନ ଦାବି ଜଣାଇଥିଲେ। ଆଠମଲ୍ଲିକରେ ବିଧାୟକ ପ୍ରାର୍ଥୀଙ୍କ ହାର ଜିତରେ ଗୋଣ୍ଡ ସମାଜର ଭୋଟ୍ ନିର୍ଣ୍ଣାୟକ ହୋଇଥାଏ । କାଳେ ଆଗାମୀ ନିର୍ବାଚନରେ ବିଜେପି ପ୍ରତି ଗୋଣ୍ଡ ସମାଜର ସମର୍ଥନ ଚାଲିଯିବ ସେହି ଆଶଙ୍କାରେ ଗୋଣ୍ଡ ସମାଜକୁ ଭାଗଭାଗ କରିବାକୁ ଷଡ଼ଯନ୍ତ୍ର ଚରିଥିଲା ବିଜେଡି ଯାହା ଏବେ ଫସର ଫାଟି ଯାଇଛି । ପୂର୍ବରୁ ନଳିନୀ ପ୍ରଧାନଙ୍କ ଜାତିଆଣ ଆକ୍ଷେପକୁ ନେଇ ଗୋଣ୍ଡ ସମାଜ ଖପ୍ପା ଥିବା ବେଳେ ଏବେ ସେମାନଙ୍କୁ ଧୋକ୍କା ଦେବା ବିଜେଡିକୁ ପଡ଼ିବନି ତ ମହଙ୍ଗା ?