ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ମଇଦାନରେ ବିଜେପି ପ୍ରାର୍ଥୀ

ଅର୍ଗସ ବ୍ୟୁରୋ : ଆରମ୍ଭ ହୋଇଗଲାଣି ୨୦୨୪ ମହାଲଢ଼େଇ । ଆଗୁଆ ପ୍ରାର୍ଥୀ ଘୋଷଣା କରି ରାଜ୍ୟର ନିର୍ବାଚନୀ ଦୌଡ଼ରେ ଆଗୁଆ ରହିଛି ବିଜେପି । ଏଥିସହ ପଦ୍ମଦଳର ଛାମୁଆ ନେତାମାନେ ମଧ୍ୟ ଆଗୁଆ ଆରମ୍ଭ କରିଦେଇଛନ୍ତି ପ୍ରଚାର । ସମ୍ବଲପୁର ଲୋକସଭା କ୍ଷେତ୍ରରେ ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଛେଣ୍ଡିପଦାର ମା’ ଡାକେଶ୍ବରୀଙ୍କ ପୀଠରେ ପହଞ୍ଚି ମାଙ୍କର ଆଶିଷ ନେବା ସହ ପ୍ରଚାର ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଛେଣ୍ଡିପଦାରେ ଦଳ ପକ୍ଷରୁ ଧର୍ମେନ୍ଦ୍ରଙ୍କୁ ଦିଆଯାଇଥିଲା ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । ଦଳୀୟ କର୍ମୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ । ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ କରିବା ପାଇଁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସେପଟେ ନୟାଗଡ଼ ବିଧାନସଭା କ୍ଷେତ୍ରରେ ରୋଡ଼ ସୋ କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି । ନୟାଗଡ଼ ବିଜେପୁର ଗେଟଠାରୁ ବାହାରି ସହର ପରିକ୍ରମା କରିଥିଲା ବିଶାଳ ବାଇକ ରାଲି । ଏହାର ନେତୃତ୍ବ ନେଇଥିଲେ ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ନୟାଗଡ଼ ବିଧାନସଭା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ଵରୀ । ସୁନ୍ଦରଗଡ଼ରେ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ପୂଜା କରି ପ୍ରଚାର ମଇଦାନକୁ ବାହାରିଛନ୍ତି ବିଜେପି ପ୍ରାର୍ଥୀ । ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ସଦର ବିଧାୟକ ପ୍ରାର୍ଥୀ କୁସୁମ ଟେଟେ, ତଳସରା ବିଧାୟକ ପ୍ରାର୍ଥୀ ଭବାନୀ ଭୋଇ ମାଙ୍କର ଆଶିଷ ଭିକ୍ଷା କରିବା ସହ ଅଭିଯାନରେ ବାହାରିଛନ୍ତି । ମଙ୍ଗଳବାର ସବଡେଗା ବ୍ଲକର ରାଜପୁରରେ କର୍ମୀ ସମ୍ମିଳନୀ କରିବା ଶହ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ ଜୁଏଲ ଓରାମ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ପଶ୍ଚିମ ଓଡିଶାର ପ୍ରାଚୀନ ତୀର୍ଥ କ୍ଷେତ୍ର ନୃସିଂହନାଥ ଯାଇ ମାର୍ଜାର କେଶରୀ ମହାପ୍ରଭୁ ନୃସିଂଙ୍କ ଠାକୁରଙ୍କୁ ଦର୍ଶନ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବରଗଡ଼ର ବିଜେପି ପ୍ରାର୍ଥୀ । ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସହ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ପଦ୍ମପୁର ପାଇଁ ବିଧାନସଭା ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇ । ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀ ପାଇଁ ସ୍ମୃତିରେଖା ପହିଙ୍କୁ ମିଳିଛି ବିଜେଡି ଟିକେଟ । ସକାଳୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରି ଧର୍ମଶାଳାସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଂଚିଥିଲେ ସ୍ମୃତିରେଖା । ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ଶହ ଶହ ଦଳୀୟ କର୍ମୀ ।