Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରକାରୀ କଳ,ବଳ, ହିଂସା ପ୍ରୟୋଗ କରି ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି ବିଜେଡି : ଡ.ଲେଖାଶ୍ରୀ

Odisha

ସରକାରୀ କଳ,ବଳ, ହିଂସା ପ୍ରୟୋଗ କରି ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି ବିଜେଡି : ଡ.ଲେଖାଶ୍ରୀ

Jitendra Dash
Browse all articles by Jitendra Dash
·2 years ago·4 min read
ସରକାରୀ କଳ,ବଳ, ହିଂସା ପ୍ରୟୋଗ କରି ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି ବିଜେଡି : ଡ.ଲେଖାଶ୍ରୀ

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦୀର୍ଘ ୨୪ବର୍ଷ ବିଜୁ ଜନତା ଦଳ ସରକାରରେ ରହିବା ହେତୁ ଅହଂକାର ବଢ଼ିବା ସହ କ୍ଷମତା ଅପବ୍ୟବହାର କରିବାରେ ସୀମା ଟପିଛି । ବିଜେଡି ସରକାରୀ କଳକୁ ଅପବ୍ୟବହାର କରିବା, କ୍ଷମତାର ଦବ୍‌ଦବା ଦେଖାଇ ବିରୋଧୀଙ୍କୁ ଚାପଗ୍ରସ୍ତ କରିବା, ବିଜେଡିର ନେତା ଓ ମନ୍ତ୍ରୀମାନଙ୍କ ପ୍ରାଦୃଭାବରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନର ପକ୍ଷପାତିତା କାରଣରୁ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ବେଫିକର ହୋଇ ବିରୋଧୀଙ୍କୁ ଦମନ କରିବାର ଅପପ୍ରୟାସ କରୁଛନ୍ତି । ବିଜେପିର କର୍ମୀମାନଙ୍କୁ ମରଣାନ୍ତକ ଆକ୍ରମଣ କରି ନିର୍ବାଚନ ବୈତରଣୀ ପାରି ହେବାକୁ ଅନବରତ ପ୍ରଚେଷ୍ଟା ଜାରୀ ରଖିଥିବା ଶାସକ ବିଜେଡି ପୋଲିସ ଓ ପ୍ରଶାସନକୁ ମଧ୍ୟ ବ୍ୟବହାର କରି ହିଂସାକାଣ୍ଡ ଭିଆଇବାକୁ ପଛାଉନାହିଁ । ଶାସକ ଦଳର ଗୁଣ୍ଡାରାଜ ଏବଂ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ନେଇ ବିଜେପି ତରଫରୁ ବାରମ୍ବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଚିନ୍ତାଜନକ । ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ, ଭୟମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏଭଳି ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ କାର୍ଯ୍ୟ ବାରମ୍ବାର ହେବ । ଆଜି ରାଜ୍ୟ ଉପସଭାନେତ୍ରୀ  ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ ।

“ଆଦର୍ଶ ଆଚରଣ ବିଧି” ଲାଗୁ ହେବା ପରେ ମଧ୍ୟ ରାଜ୍ୟ ସରକାର ମହିଳା ଏସ୍‌ଏଚଜି ଗ୍ରୁପର ନେତ୍ରୀମାନଙ୍କୁ ବିଦେଶ ଯାତ୍ରାର ବ୍ୟବସ୍ଥା କରିଛନ୍ତି । ଯାହା ଖୋଲାଖୋଲି “ଆଦର୍ଶ ଆଚରଣ ବିଧି”ର ଉଲଘଂନ । ଏସ୍‌ଏଚଜି ଗ୍ରୁପର ମହିଳାଙ୍କୁ ବିଜେଡି ସରକାର ଗତ ୨୩ତାରିଖରେ ଏକ୍ସପେଣ୍ଡିଟୁର (ଓଟଡିସି) ନାଁରେ ଦୁବାଇ ନେଇ ବୁଲାଇଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜୁ ଜନତା ଦଳ ଏସ୍‌ଏଚଜି ମହିଳାଙ୍କୁ ପ୍ରଲୋଭନ ଦେଖାଇ କର୍ମୀଭଳି କାର୍ଯ୍ୟ କରାଇବା ପାଇଁ ଏଭଳି କାର୍ଯ୍ୟ କରିଛି । ବିଜେଡି ଏଭଳି ହୀନ କାର୍ଯ୍ୟ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଡ. ଲେଖାଶ୍ରୀ ଦାବି କରିଛନ୍ତି ।

ପ୍ରତ୍ୟେକ ନିର୍ବାଚନ ଭଳି ବିଜୁ ଜନତା ଦଳ କଳ, ବଳର ଅପବ୍ୟବହାର କରିବା ଆରମ୍ଭ କଲାଣି । ଗତ ନିର୍ବାଚନରେ ଓଡ଼ିଶାରେ ୧୮ଟି ରାଜନୈତିକ ହତ୍ୟା ହୋଇଥିଲା । ହିଂସା, ମାରପିଟ୍‌ରେ ଗଣତନ୍ତ୍ରରେ କୌଣସି ସ୍ଥାନ ନାହିଁ । ମୁଖ୍ୟମନ୍ତ୍ରୀ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ରଖିବା ପାଇଁ ବଡ ବଡ କଥା କହି ମହାପୁରୁଷ ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ନିଜ ଦଳର ଲୋକମାନେ ଭାରତୀୟ ଜନତା ପାର୍ଟିର କର୍ମୀମାନଙ୍କୁ ବିଭିନ୍ନ ଜାଗାରେ ମାରପିଟ୍ କରିବା ଆରମ୍ଭ କରିଛନ୍ତି । ଉଦାହରଣ ସ୍ୱରୂପ, କେନ୍ଦୁଝରର ବଡବିଲ ଶ୍ରୀରାମନଗରର ବିଜେପିର କର୍ମୀ ଶ୍ରୀ କିଷାନ ସିଂହଙ୍କ ଉପରେ ମରଣାନ୍ତ୍ରକ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ବିଜୁ ଜନତା ଦଳର କର୍ମୀ ଇଶ୍ୱର ନାଇଡୁ, ବିଜୟ ସାହୁ ଏବଂ ତାଙ୍କ ସହ ଆଉ ଦୁଇ ଜଣ । ଏହି ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାମଲା ପରେ ଏମାନଙ୍କୁ ଥାନାରେ ଅଟକ ରଖାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଯେ, ସେମାନେ ବିଜୁ ଜନତା ଦଳ କର୍ମୀ ବୋଲି ଜାଣିଲା ପରେ ତାଙ୍କୁ ପୋଲିସ ଛାଡି ଦେଇଛି । ଏଥିରୁ ସ୍ପଷ୍ଟ ପୋଲିସ, ପ୍ରଶାସନ ବିଜୁ ଜନତା ଦଳର କର୍ମୀ ଓ ଗୁଣ୍ଡାମାନଙ୍କ ସହ ମଧୁଚନ୍ଦ୍ରିକା ଚାଲିଛି । ଏଭଳି ପରିସ୍ଥିତିରେ ଅବାଧ ଓ ଭୟମୁକ୍ତ ନିର୍ବାଚନ ହେଲାଭଳି ଲାଗୁ ନାହିଁ । ୨୦୨୪ ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ଡ.ଲେଖାଶ୍ରୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର, ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ସେଥିପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ । ଭଦ୍ରକ, କଟକ ଓ ଗଞ୍ଜାମରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି । ସେମାନେ ହେଲେ କଟକ ଜିଲ୍ଲାର ତହସିଲଦାର ମଧୁସୂଦନ ନାୟକ, ତୁଷାର ରଞ୍ଜନ ସେଠୀ, ଓଏଏସ୍ ସ୍ନେହାରତନ ମହାନ୍ତି, ଉପଜିଲ୍ଲାପାଳ ପ୍ରଶାନ୍ତ ରାୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିଚାଳକ ପ୍ରକାଶ ରାଉଳଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ ।

ସେହିପରି ଭଦ୍ରକ ଜିଲ୍ଲାର ପିଇଓ ରାଜେନ୍ଦ୍ର ପ୍ରଧାସ ଦାସ, ନିରଞ୍ଜନ ଶଙ୍ଖୁଆ, ରାଜକିଶୋର ଦାସ, ବବ୍ରୁ ବାହନ ମଲ୍ଲିକ, ପିୟୁସକାନ୍ତି ଦାସ, ସର୍ବେଶ୍ରୀ ପଟ୍ଟନାୟକ, କମଳାକାନ୍ତ କର, ଧୀରେନ୍ଦ୍ର ନାୟକ, ଜେଇ ପ୍ରଭାତ ବେହେରା, ବିଶ୍ୱଜିତ୍ ଦାସ, ଗୋବିନ୍ଦ ସାମଲ, ଜାଡୁ ଟୁଡୁ, ଅମିୟ କୁମାର ପଲେଇ, ବିଏଲଏଫ ସଭାପତି ମାନସୀ ପାଢ଼ୀ, ମିଶନଶକ୍ତିର ବ୍ଲକ ପ୍ରୋଗ୍ରାମ ସଭାପତି ଷ୍ଟାଲିନ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ । ଗଞ୍ଜାମର ବ୍ଲକ ଏଇ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବ୍ଲକ ଜେଇ ପ୍ରକାଶ ଚନ୍ଦ୍ର ଜେନା, ନିତ୍ୟାନନ୍ଦ ପାତ୍ର, ସୁନୀତା କୁମାରୀ ଦାସ, ଏସ୍ ଶଙ୍କର ନାରାୟଣ ସୁବୁଧି, ଶରତ କୁମାର ମଲ୍ଲ, ମିନତୀ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ ।

ଏପରିକି ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିଜ ଗୃହ ଜିଲ୍ଲାରେ ମଧ୍ୟ ଅବସ୍ଥାପିତ ହୋଇପାରିବେ ନାହିଁ । ଏପରି ଆହୁରି ଅନେକ ଅଧିକାରୀ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ଦଳୀୟ କାର୍ଯ୍ୟରେ ଏମାନଙ୍କୁ ରାଜ୍ୟ ସରକାର ଜାଣିଶୁଣି ବ୍ୟବହାର କରୁଥିବାର ଅନେକ ନଜିର ରହିଛି । ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାରେ ଆଶଙ୍କା ରହିଛି । ସରକାରୀ ଅଧିକାରୀମାନେ ନିଜ କର୍ତବ୍ୟ ଓ ଦାୟିତ୍ୱ ଭୁଲି ଶାସକ ଦଳର ଏଜେଂଟ ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ । ତେଣୁ ଯଥାଶୀଘ୍ର ସେମାନଙ୍କୁ ବଦଳି କରାଯାଉ ବୋଲି ଡ.ଲେଖାଶ୍ରୀ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ,  ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । 

Raja Festival
Sponsored
BJP meets state Chief Electoral Officer | Argus News