|
logo
Live

Argus News - ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନ ଭଳି ‘ମାଇଣ୍ଡ ସେଟ୍‌’ ଯୋଗୁଁ ରାଜ୍ୟରେ ଅରାଜକତା କାୟାବିସ୍ତାର କରିଚାଲିଛି

Odisha

ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନ ଭଳି ‘ମାଇଣ୍ଡ ସେଟ୍‌’ ଯୋଗୁଁ ରାଜ୍ୟରେ ଅରାଜକତା କାୟାବିସ୍ତାର କରିଚାଲିଛି

Jitendra Dash
Browse all articles by Jitendra Dash
·2 years ago·3 min read
ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନ ଭଳି ‘ମାଇଣ୍ଡ ସେଟ୍‌’ ଯୋଗୁଁ ରାଜ୍ୟରେ ଅରାଜକତା କାୟାବିସ୍ତାର କରିଚାଲିଛି

ଅର୍ଗସ ବ୍ୟୁରୋ : ‘ଲ ଲେସ୍ ନେସ\' ଓଡିଶା ରାଜ୍ୟ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବାରମ୍ବାର ସତର୍କ କରାଇ ଆସୁଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଆଦୌ କର୍ଣ୍ଣପାତ କରୁନାହାନ୍ତି । ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନ ଭଳି ‘ମାଇଣ୍ଡ ସେଟ୍‌’ ଯୋଗୁଁ ରାଜ୍ୟରେ ଅରାଜକତା କାୟାବିସ୍ତାର କରିଚାଲିଛି । ବାରମ୍ବାର ନିଜ ରଙ୍ଗ ବଦଳାଉଥିବା ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜି ବିଭିନ୍ନ ଅପରାଧରେ ସଂପୃକ୍ତ ନିଜ ଦଳର ନେତା ଓ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଥିବାରୁ ଆଜି ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ୩୦୦ରୁ ଉର୍ଦ୍ଧ୍ୱ ବିଜେଡି ସମର୍ଥକ, କର୍ମୀ ଓ ନେତାଙ୍କ ଉପରେ ଏତଲା ରୁଜୁ ହୋଇଛି । ଏମାନେ ସମସ୍ତେ ଶାସକ ବିଜୁ ଜନତା ଦଳର ବିଭିନ୍ନ ପଦପଦବୀରେ ଅଛନ୍ତି । ଏମାନଙ୍କ ନେତୃତ୍ୱ ନେଉଥିଲେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ । ସେମାନଙ୍କ ବିରୁଦ୍ଧରେ ୧୨୦-ବି ଅପରାଧୀକ ଷଡଯନ୍ତ୍ର, ୩୦୭-ହତ୍ୟା ଉଦ୍ୟମ, ୩୯୫-ଡକାୟତି, ୪୫୫-ବେଆଇନ ଭାବେ ଗୃହରେ ପ୍ରବେଶ ଭଳି ସଙ୍ଗୀନ ଦଫା ଲାଗିଛି । ସିସିଟିଭି ଫୁଟେଜ ସହ ଅନେକ ଫଟୋ ଚିତ୍ରର ସବୁ ପ୍ରମାଣ ଥାଇ ବି ମାତ୍ର ୧୦୨ଜଣଙ୍କ ନାଁରେ ପୋଲିସ ମାମଲାରେ ରୁଜୁ କରିଛି ଏବଂ ମାତ୍ର ୬ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ କାହିଁକି ଓ କାହା ଚାପରେ ଗିରଫ କରାଯାଉନାହିଁ ? ପୋଲିସର ଶକ୍ତିକୁ କିଏ ଓ କାହା ନିର୍ଦ୍ଦେଶରେ ନିଷ୍କ୍ରିୟ କରାଯାଇଛି ? ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏ ଘଟଣା ସଂପର୍କରେ କିଛି ଜାଣିନଥିବାର କହି ହାତ ଟେକି ବସିଛନ୍ତି କାହିଁକି ? ବାହୁବଳୀ ବିଧାୟକ ସୁଶାନ୍ତ ସିଂହ କଣ ଆଇନର ଉର୍ଦ୍ଧ୍ୱରେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଗଂଜେଇ ଚାଲାଣ ହେଉଥିବାର ଗୁଇନ୍ଦା ବିଭାଗରୁ ସୁଚନା ପାଇ ଆମ୍ବାଭୋନା ପୋଲିସ ରେଡ୍ ପାଇଁ ଯାଇଥିବାବେଳେ ଅଭିଯୁକ୍ତମାନେ ବାଧା ସୃଷ୍ଟି କରିଥିଲେ ଏବଂ ୨ ଘଂଟା ପରେ ସଂଘବଦ୍ଧ ହୋଇ ଥାନାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଥାନାଧିକାରୀ ଆଦିବାସୀ ବର୍ଗର ହୋଇଥିବାରୁ ତାଙ୍କୁ ଆକ୍ଷେପ କରି ଗାଳିଗୁଲଜ ଓ ଧମକ୍ ଦେବାକୁ ପଛାଇନାହାନ୍ତି ସୁଶାନ୍ତ ସିଂହ ଓ ତାଙ୍କ ଟିମ୍ । ଦୀର୍ଘ ସମୟ ଧରି ଥାନାରେ ଆତଙ୍କରାଜ ଚଲାଇଥିବା ଏହି ବିଜେଡି ଗୁଣ୍ଡାମାନଙ୍କ କାର୍ଯ୍ୟକଳାପ କୈାଣସି ଗୁଣରେ ମାଓକାର୍ଯ୍ୟକଳାପଠୁଁ କମ୍ ନଥିଲା । ଅନ୍ୟ ପଟେ ଏହି ଦଙ୍ଗାର ନେତୃତ୍ୱ ନେଇଥିବା ଶ୍ରୀ ସିଂହ ପୋଲିସ ଉପରେ ଦୋଷ ଲଦି ଦେଇ ପ୍ରତ୍ୟକ୍ଷ ଭାବେ ରାଜ୍ୟର ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥାକୁ ଖୁଲାସା କରିଦେଇଛନ୍ତି । ଏପରିକି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଥିବାର କହୁଥିବା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚ ସୃଷ୍ଟି କରିଛନ୍ତି । ପୋଲିସ ବିଭାଗକୁ ପଙ୍ଗୁ ବୋଲି କହି ଶ୍ରୀ ସିଂହ ସିଧାସଳଖ ଗୃହ ବିଭାଗର ମୁଖ୍ୟଙ୍କୁ ପଙ୍ଗୁ ବୋଲି କହିଥିବାର ଶ୍ରୀ ମହାପାତ୍ର କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ସର୍ବସାଧାରଣରେ ନିନ୍ଦିତ କରାଇବା ପାଇଁ ‘ପୋଲିସ ସଂଘ’ ସାମ୍ବାଦିକ ସମ୍ମିଳନୀ କରି ନିନ୍ଦା କରିଥିଲେ । ଏ ଆଦିବାସୀ ଏସ୍‌ଆଇ ପୋଲିସ ସଂଘର ସଦସ୍ୟ ନୁହନ୍ତି କି ? ତାଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗରେ ପୋଲିସ ସଂଘ ଗଲା କୁଆଡେ? କାହିଁକି ମୁହଁ ଲୁଚାଇଛି ପୋଲିସ ସଂଘ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜ କ୍ୟାବିନେଟ୍ ସହଯୋଗୀକୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ । ଆଜି ନିଜ ଦଳର ବିଧାୟକ, ନେତାଙ୍କ ପାଇଁ ତାଙ୍କୁ ସୁରକ୍ଷା ଦେଉଥିବା ପୋଲିସ ବିଭାଗ ନିଜକୁ ଅସୁରକ୍ଷିତ ମଣୁଛି । ରାଜ୍ୟକୁ ଅରାଜକତା କବଳରୁ ମୁକ୍ତି ଦିଅନ୍ତୁ । ତୁରନ୍ତ ଷଡଯନ୍ତ୍ରକାରୀ ଭଟଲୀ ବିଧାୟକଙ୍କ ସମେତ ସମସ୍ତ ଅପରାଧିକୁ ଗିରଫ କରିବା ପାଇଁ ଗୃହବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । ଯଦି ନକରନ୍ତି ତାହାଲେ ଗୃହବିଭାଗ ଛାଡନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।  


 

Sponsored
ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନ ଭଳି ‘ମାଇଣ୍ଡ ସେଟ୍‌’ ଯୋଗୁଁ ରାଜ୍ୟରେ ଅରାଜକତା କାୟାବିସ୍ତାର କରିଚାଲିଛି | Argus News