ଗାଡକଣସ୍ଥିତ ‘କୃତ୍ରିମ ଅଳିଆ ପାହାଡ’ ଯେ ପଯ୍ୟନ୍ତ ଉଚ୍ଛେଦ ହୋଇନାହିଁ ସେ ପଯ୍ୟନ୍ତ ଏହି ସତ୍ୟାଗ୍ରହ ଚାଲିଥିବ : ବିଜେପି

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି, କିନ୍ତୁ ଓଡ଼ିଶାରେ ତାହାର କୌଣସି ସୁଫଳ ମିଳୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ ଓ ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ସାରା ସହର ଗନ୍ଧମୟ । ହଜାର ହଜାର ଲୋକ ଡେଙ୍ଗୁରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସରକାରଙ୍କ ଜୀବନ ଦେବାର ଅଧିକାର ନାହିଁ କିନ୍ତୁ ଜୀବନ ନେବାର ଅଧିକାର କେଉଁଠୁ ଆସିଲା ? ରାଜ୍ୟ ସରକାର ସାମାଜିକ ଅପରାଧ କରିଛନ୍ତି ଏବଂ ବିଧିବ୍ୟବସ୍ଥା ଅନୁଯାୟୀ ଦଣ୍ଡିତ ହେବା ଉଚିତ୍ । ରାଜ୍ୟ ସରକାର ତୁରନ୍ତ ଏହି ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ସ୍ଥାୟୀ ସମାଧାନ କରନ୍ତୁ । ରାଜ୍ୟ ସରକାର ଓଡିଶାବାସୀଙ୍କ ଜୀବନ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହାକୁ ବନ୍ଦ କରନ୍ତୁ ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ; ସତ୍ୟାଗ୍ରହକୁ ୭ଦିନ ବିତିଲେବି ରାଜ୍ୟ ସରକାର,ମେୟର,ବିଧାୟକ ଏବଂ ଭୁବନେଶ୍ୱର ମହାନଗର ନିଗମ ନିଦାବିଷ୍ଣୁ । ଓଡ଼ିଶାରେ ସରକାର ନାହିଁ ଏଠାକାର ନିର୍ବାଚିତ ଶାସକ ଦଳର ନେତା ଙ୍କର ଦେଖା ମିଳୁନି। ମେୟର ଦୃଶ୍ୟମାନ ହେଉନାହାନ୍ତି । ଭଗବାନ ଭରସାରେ ଭୁବନେଶ୍ୱର ମହାନଗର ନିଗମ ଚାଲିଛି । ମେୟର ମହୋଦୟା ଯଦି ଶାସନ ଚଳାଇବାରେ ସକ୍ଷମ ନୁହନ୍ତି, ତାହେଲେ ଗାଦି ଛାଡିଦେବା ଉଚିତ୍ । ଯେଉଁ ସରକାରଙ୍କ ନିଜ ସ୍ୱାସ୍ଥ୍ୟ ଖରାପ୍, ସେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଚିନ୍ତା କରିବାରେ ଅକ୍ଷମ ।ସ୍ମାର୍ଟ ସିଟିର ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରର ମଧ୍ୟବର୍ତୀ ଅଂଚଳରେ ଅଳିଆ ଗଦାର ପାହାଡ ସୃଷ୍ଟି କରାଯାଇ ପରିବେଶକୁ ଦୁଷିତ ଓ ଗନ୍ଧମୟ କରାଯାଉଛି । ଦୁଷିତ ଓ ଗନ୍ଧମୟ ପରିବେଶ କାରଣରୁ ସ୍ଥାନୀୟ ଅଂଚଳରେ ଚର୍ମ, ଶ୍ୱାସ ଭଳି ବିଭିନ୍ନ ରୋଗ ବ୍ୟାପକ ଭାବେ ବଢିଚାଲିଛି । ଅଳିଆ ଅବର୍ଜନାପୂର୍ଣ୍ଣ ପାହାଡର ଦୁର୍ଗନ୍ଧ ଧୀରେ ଧୀରେ ସମଗ୍ର ରାଜଧାନୀ ତଥା ଏହାର ଆଶ୍ୱପାଶ୍ୱର୍କୁ ବ୍ୟାପିଗଲାଣି । ଘରୁ ବାହାରିବା ଅସହ୍ୟ ହୋଇପଡିଲାଣି । ଆଖପାଖ ମନ୍ଦିରକୁ ଭକ୍ତ ଯାଉନାହାନ୍ତି । ଶିକ୍ଷାନୁଷ୍ଠାନ, ଡାକ୍ତରଖାନାକୁ ଆସୁଥିବା ଛାତ୍ରଛାତ୍ରୀ ଓ ରୋଗୀ ହନ୍ତସନ୍ତ ହେଉଛନ୍ତି । ବୃଦ୍ଧବୃଦ୍ଧାଙ୍କ ସମେତ ସମସ୍ତଙ୍କ ଜୀବନ ଅଭିଶପ୍ତ ହୋଇଲାଣି । ରାଜ୍ୟ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ନାକରେ ହାତ ଦେଇ, ମୁହଁରେ ମାସ୍କ ପିନ୍ଧି ବୁଲୁଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ସିଂ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି । ଟିକସ ନେଇ ନିଜ ଦାୟୀତ୍ୱ ଭୁଲି ଯାଉଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱରର ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତୃପକ୍ଷ ମିଳିତ ଭାବେ ଦାୟୀତ୍ୱ ନିଅନ୍ତୁ।‘ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାରର ପାହାଡ’ ରାଜ୍ୟର ଶାସନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିସାରିଛି, ଯାହାକି ସାଧାରଣ ଜନତାଙ୍କୁ ଅତ୍ୟବ୍ୟସ୍ତ କରିସାରିଲାଣି । ଗୋଟିଏ ପଟେ ରାଜଧାନୀରେ ବିଏମସି ପ୍ରଶାସନ ସ୍ଥାଣୁ ପାଲଟି ସାରିଥିବାବେଳେ ଅନ୍ୟ ପଟେ ରାଜ୍ୟ ସରକାର ଅନ୍ଧ, ମୁକ, ବଧିର ପାଲଟିଛନ୍ତି । ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ଏହିପରି ଚାଲିବ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହିଛନ୍ତି।
ଏହି ସତ୍ୟାଗ୍ରହ ସ୍ଥଳରେ ବିଜେପି ନେତା ମହେଶ ସାହୁ, ସୁନିଲ ପ୍ରଧାନ,ରାଜେନ୍ଦ୍ର ଦାସ, ଦିଲ୍ଲୀପ ବେହେରା, ନିରଞ୍ଜନ ରାଉତରାୟ,ସ୍ଵଂୟ ସେବକ ରାୟ, ବିନ୍ଧୁଲତା ବଳିୟାରସିଂ, ଯଯାତି କେଶରୀ ବିଶ୍ଵାଳ, ପ୍ରଶାନ୍ତ ମହାନ୍ତି, ସ୍ଵପ୍ନେନ୍ଦୁ ମହାନ୍ତି,ସ୍ୱୟମ୍ଭୁ ପଟ୍ଟନାୟକ, ସଂଗ୍ରାମ ନାୟକ, ଜୟନ୍ତୀ କର, ସୁରେଶ ସାହୁ,ସ୍ମିତା ପଟ୍ଟନାୟକ, ଅର୍ଚ୍ଚନା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।