|
logo
Live

Argus News - ୨୩ ବର୍ଷର ନିରୁଙ୍କଶ ଶାସନ ପରେ ବି ଆଜି ଓଡିଶାରେ କାହିଁକି ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି ?

Odisha

୨୩ ବର୍ଷର ନିରୁଙ୍କଶ ଶାସନ ପରେ ବି ଆଜି ଓଡିଶାରେ କାହିଁକି ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି ?

Jitendra Dash
Browse all articles by Jitendra Dash
·2 years ago·2 min read
୨୩ ବର୍ଷର ନିରୁଙ୍କଶ ଶାସନ ପରେ ବି ଆଜି ଓଡିଶାରେ କାହିଁକି ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି ?

ଅର୍ଗସ ବ୍ୟୁରୋ : ଶାନ୍ତିପ୍ରିୟ ଓଡିଶା ରାଜ୍ୟରେ ଦିନକୁ ଦିନ ଅପରାଧ ପ୍ରବଣତା ବଢିଚାଲିଛି । ଅପରାଧିମାନଙ୍କ ଚରାଭୁଇଁ ପାଲଟିବା ସହିତ ଭିତିଭୂମି ସୁଦୃଢ ହେବାରେ ଲାଗିଛି । ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟରେ ଓଡିଶାରେ ବଢିଚାଲିଥିବା ଅପରାଧ ସଂପର୍କିତ ତଥ୍ୟ ଚିନ୍ତାର କାରଣ ସାଜିଛି । ଯେଉଁଠି ପୋଲିସ୍ ନିଜେ ଭୟଭୀତ, ସେଇଠି ସାଧାରଣ ଜନତା କେତେ ଯେ ଭୟଭୀତ ହୋଇନଥିବେ? ସବୁଠୁ ବଡ ପ୍ରଶ୍ନ ହେଉଛି, “ପୋଲିସ୍ ଏତେ ଭୟଭୀତ କାହିଁକି ଏବଂ କାହା ଚାପରେ”? ୨୩ ବର୍ଷର ନିରୁଙ୍କଶ ଶାସନ ପରେ ବି ଆଜି ଓଡିଶାରେ କାହିଁକି ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି? “ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟର ତଥ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି ପୋଲିସ୍ ଏବଂ ଏହାକୁ ପୂର୍ଣ୍ଣ ସହଯୋଗ କରୁଛି ବିଜେଡି ସରକାର” ବୋଲି ରାଜ୍ୟ ସଂପାଦକ ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ତଥା ଭଟ୍‌ଲି ବିଧାୟକ ସୁଶାନ୍ତ ସିଂହଙ୍କ ଉପସ୍ଥିତିରେ ବହୁଚର୍ଚ୍ଚିତ ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ଆଜି ମାସେ ବିତିଲା । ଥାନା ଭିତରେ ପସି ଭଙ୍ଗାରୁଜା କରିବା ସହିତ ସରକାରୀ ସଂପତି ନଷ୍ଟ କରାଗଲା । ଗତ ୫ ନଭେମ୍ବର ଦିନ ଥାନା ଭଙ୍ଗାରୁଜା ଘଟଣାରେ ତଥ୍ୟ, ଭିଡିଓ ଫୁଟେଜ୍ ଆଧାରରେ ୧୦୨ ଜଣ ଅଭିଯୁକ୍ତଙ୍କ ସମେତ ଅନ୍ୟାନ୍ୟ ସଂପୃକ୍ତଙ୍କ ନାମରେ ମାମଲା ରୁଜୁ କରାଗଲା । କାର୍ଯ୍ୟରତ ପୋଲିସ୍ ଅଧିକାରୀମାନଙ୍କୁ ଗାଳି ଓ ମରଣାନ୍ତକ ଆକ୍ରମଣ କରାଗଲା । ମାରାତ୍ମକ ଅସ୍ତ୍ରଶସ୍ତ୍ର ଦ୍ୱାରା ଆକ୍ରମଣ, ହତ୍ୟା ଧମକ ଓ ଉଦ୍ୟମ, ଲୋକ ସେବକଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଡକାୟତି, ଏସ୍‌ଟି ଏସ୍‌ସି ଆଟ୍ରୋସିଟି ଭଳି ବିଭିନ୍ନ ସଙ୍ଗୀନ ଦଫା ଆଧାରରେ ମାମଲା ରୁଜୁ କରାଗଲା । ଚିହ୍ନିତ ୧୦୨ ଜଣଙ୍କ ଭିତରୁ ମାତ୍ର ୪ ଜଣ ଏବଂ ଅନ୍ୟାନ୍ୟଙ୍କ ଭିତରୁ ୧୮ ଜଣ, ଏଭଳି ସର୍ବମୋଟ ୨୨ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । ବର୍ତମାନ ସୁଦ୍ଧା ଅନ୍ୟାନ୍ୟଙ୍କ ଭିତରୁ ୧୩ ଜଣଙ୍କୁ ବେଲ୍ ମିଳିସାରିଲାଣି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଘଟଣାରେ ପୋଲିସ୍ ନିଜେ ଅଭିଯୋଗକାରୀ, ଆକ୍ରମଣରେ ନିଜେ ଆହତ ଏବଂ ନିଜେ ମଧ୍ୟ ସାକ୍ଷୀ । ‘କେଶ ଡାୟରୀ’ ଦାଖଲ ନହେବା ପର୍ଯ୍ୟନ୍ତ ପୋଲିସ୍ କୋର୍ଟରେ ଉପସ୍ଥିତ ରହୁଥିଲେ, କିନ୍ତୁ ‘କେଶ ଡାୟରୀ’ ଦାଖଲ ହେବା ପରେ ନିଜେ ପୋଲିସ୍ ଯିଏକି ଅଭିଯୋଗକାରୀ ଅନୁପସ୍ଥିତ ରହିଲେ । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ପୋଲିସ୍ ହାଜର ହେଲେ ନାହିଁ । ଏହା ହିଁ ପୋଲିସ୍ ପ୍ରଶାସନ ଏବଂ ଶାସକ ବିଜେଡିର ମଧୁଚନ୍ଦ୍ରିକାକୁ ସ୍ପଷ୍ଟ କରିଛି । ଏହି ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ଜାମିନ ଦେବା ପାଇଁ ଖୋଦ୍ ପୋଲିସ୍ ସହାୟତା କରୁଛି । ଏଭଳି ସଙ୍ଗୀନ ଘଟଣାକୁ ଚାପି ଦେବା ପାଇଁ ଶାସକ ବିଜେଡି ଉଦ୍ୟମ କରୁଛି । ‘ମୋ ପୋଲିସ୍‌’ ବର୍ତମାନ ‘ବିଜେଡି ପୋଲିସ୍‌’ରେ ପରିଣତ ହୋଇସାରିଛି । ଏହା କ’ଣ ‘ମୋ ପୋଲିସ୍‌’ର ଦକ୍ଷତା ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ ସିଂହଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇନାହିଁ? ଦଙ୍ଗାରେ ସଂପୃକ୍ତ ଥିବା ଶାସକ ବିଜେଡିର ନେତା ଓ କର୍ମୀ, ଶାସକ ଦଳର ଜନ ପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କୁ କାହିଁକି ଗିରଫ କରାଯାଉନାହିଁ? ସ୍ଥାନୀୟ ପୋଲିସ୍ ପ୍ରଶାସନ ଏବଂ ରାଜ୍ୟ ସରକାର ଯଦି ଅକ୍ଷମ, ତାହେଲେ ଜନସାଧାରଣଙ୍କ ସୁରକ୍ଷା ସ୍ୱାର୍ଥରୁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ଏବଂ ସହମୁଖ୍ୟ ଶ୍ରୀ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Sponsored
୨୩ ବର୍ଷର ନିରୁଙ୍କଶ ଶାସନ ପରେ ବି ଆଜି ଓଡିଶାରେ କାହିଁକି ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି ? | Argus News