Maoist / ବୌଦ୍ଧ ପୋଲିସ ପକ୍ଷରୁ ଟଙ୍କା ବର୍ଷା; ମାଓବାଦୀଙ୍କୁ ଧରାଇ ଦେଲେ ହୋଇଯିବେ କୋଟିପତି

Key Points
ମାଓବାଦୀଙ୍କୁ ଧରାନ୍ତୁ, ଆଉ କୋଟିପତି ହୁଅନ୍ତୁ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ମରାଯାଇଛି । ୧୦ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୪ କୋଟି ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।
କଣ୍ଟାମାଳ (ବୌଦ୍ଧ): ପୋଲିସ ପକ୍ଷରୁ ପୁରସ୍କାର ବର୍ଷା । ମାଓବାଦୀଙ୍କୁ ଧରାନ୍ତୁ, ଆଉ କୋଟିପତି ହୁଅନ୍ତୁ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ମରାଯାଇଛି । ଜିଲ୍ଲା ପୋଲିସ ପକ୍ଷରୁ ଏହି ପୋଷ୍ଟର ମରା ଯାଇଥିବା ବେଳେ ୧୦ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୪ କୋଟି ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।
ଜିଲ୍ଲାର ସିଗାଡ଼ି, ତିଲପଙ୍ଗା, ଉଡ଼ାମୁଣ୍ଡା, ମାତାଗାଡ଼ୁ, ଖଣ୍ଡିଖନପା, ଲୁହାରପଡ଼ା, ନାଳିକୁମ୍ପା, ପଲମ ଆଦି ୯ରୁ ଅଧିକ ସ୍ଥାନରେ ଜିଲ୍ଲା ପୋଲିସ ପକ୍ଷରୁ ଏଭଳି ପୋଷ୍ଟର ଲଗା ଯାଇଛି । ଏସବୁ ସ୍ଥାନ ବୌଦ୍ଧ, କଣ୍ଟାମାଳ, ବାଉଁଶୁଣି ଓ ମନମୁଣ୍ଡା ଥାନା ଅଧିନରେ ଆସୁଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ପୋଲିସ ପୋଷ୍ଟର ଲଗାଇଛି । ଯେଉଁଥିରେ ମାଓବାଦୀଙ୍କ ନାଁ ସହ ପୁରସ୍କାର ରାଶି ଉଲ୍ଲେଖ ରହିଛି ।
ଏଥିସହ ପଢ଼ନ୍ତୁ: ବିକାଶରେ ଯୋଡ଼ିହେବେ ମାଓବାଦୀ; ୧୫ ସୁଦ୍ଧା ଅସ୍ତ୍ର ଛାଡ଼ିବାକୁ ମାଡ଼ ଡିଭିଜନର ଘୋଷଣା
ପୋଲିସ ପକ୍ଷରୁ ଲଗା ଯାଇଥିବା ପୋଷ୍ଟରରେ ଲେଖା ଯାଇଛି, ମାଓବାଦୀ ଆତ୍ମସମର୍ପଣ କଲେ ତାଙ୍କୁ କ'ଣ କ'ଣ ସୁବିଧା ମିଳିବ । ମାଓବାଦୀଙ୍କୁ ଧରାଇବା ଲାଗି ସର୍ବାଧିକ ପୁରସ୍କାର ରାଶି ୧ କୋଟି ରହିଥିବା ବେଳେ ସର୍ବନିମ୍ନ ୨୦ ଲକ୍ଷ ରହିଛି । ୫ ଜଣ ହାର୍ଡୋକର ମାଓବାଦୀଙ୍କ ମୁଣ୍ଡରେ ରହିଛି ୫୦ ଲକ୍ଷ ଟଙ୍କାର ପୁରସ୍କାର ।
📱 Get Argus News App
✨ବୌଦ୍ଧ ପୋଲିସ ପକ୍ଷରୁ ଜାରି ପୋଷ୍ଟରରେ ଲେଖା ଯାଇଛି, "ମାଓବାଦୀ ଧରାନ୍ତୁ, ପୁରସ୍କାର ପାଆନ୍ତୁ । ପୋଷ୍ଟରରେ ମରା ଯାଇଥିବା ନାଁ ସହ ଅନ୍ୟ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଲେ ମଧ୍ୟ ପୁରସ୍କାର ମିଳିବ । ସୂଚନାଦାତାଙ୍କ ପରିଚୟ ପୋଲିସ ଗୋପନ ରଖିବ । ସୂଚନା ଦେବା ପାଇଁ ୯୪୩୭୬୪୩୮୩୯ ନମ୍ବରରେ ଯୋଗାଯୋଗ କରାଯାଇ ପାରିବ ।"
ଏଥିସହ ପଢ଼ନ୍ତୁ: ଅମିତ ଶାହଙ୍କ କଡା ଆଭିମୁଖ୍ୟ ପରେ ମାଓବାଦୀଙ୍କ ମଧ୍ୟରେ ଛନକା
ପୋଲିସ ପୁରସ୍କାର ରାଶି ଘୋଷଣା କରିଥିବା ହାର୍ଡକୋର ମାଓବାଦୀ ମାନେ କେକେବିଏନ୍ ସଂଗଠନ ସହ ଜଡ଼ିତ । ଓଡ଼ିଆ ସହ ପୋଲିସ ହିନ୍ଦୀ ଭାଷାରେ ମଧ୍ୟ ଘଞ୍ଚ ଜଙ୍ଗଲରେ ଏହି ପୋଷ୍ଟର ଲଗାଇଛି । ୨୦୨୪ ମାର୍ଚ୍ଚରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ମାଓ ପ୍ରଭାବିତ ଜିଲ୍ଲା ତାଲିକାରେ ବୌଦ୍ଧ ସହ କୋରାପୁଟ ଓ ବରଗଡ଼କୁ ରଖିଥିଲା ।
କେନ୍ଦ୍ର ସରକାରଙ୍କ ୨୦୨୪ ମାର୍ଚ୍ଚ ରିପୋର୍ଟ ଅନୁସାରେ, ଏବେ ରାଜ୍ୟର ୧୦ ଜିଲ୍ଲାରେ ରହିଛି ମାଓବାଦୀଙ୍କ ଗତିବିଧି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ସହ ବୌଦ୍ଧ, କୋରାପୁଟ ଏବଂ ବରଗଡ଼ ଜିଲ୍ଲା ଏହି ତାଲିକାରେ ରହିଛି । ଦେଶର ୧୦ ରାଜ୍ୟର ୩୮ ଜିଲ୍ଲାରେ ରହିଛି ମାଓବାଦୀଙ୍କ କାର୍ଯ୍ୟକଳାପ ।