ବନ୍ଧୁକ ଦେଖେଇ ଲୁଟି ନେଲେ ଟଙ୍କା ଓ ସୁନା ଗହଣା

ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ସଶସ୍ତ୍ର ଡ଼କାୟତି । ବନ୍ଧୁକ ମୁନରେ ଲୁଟି ନେଲେ ଟଙ୍କା ଓ ସୁନା ଗହଣା । ଗ୍ରାମର ମନୋରଞ୍ଜନ ସାହୁଙ୍କ ଘରେ ଲୁଟ । ନଗଦ ୮୫ ହଜାର ଟଙ୍କା ସହିତ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିଥିବା ସୂଚନା । ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଅନ୍ତର୍ଗତ ବାର୍ଡୋଲ ଗ୍ରାମରେ ବିଳମ୍ବିତ ରାତ୍ରୀରେ ସଶସ୍ତ୍ର ଡକାୟତି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ବାର୍ଡୋଲ ଗ୍ରାମର ମନରଂଜନ ସାହୁଙ୍କ ଘରକୁ ଗତ ରାତ୍ରିରେ ୬ ଜଣ ମୁଖା ପିନ୍ଧା ଡକାୟତ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ପଶିଥିଲେ । ସ୍ୱାମୀ ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ନାବାଳିକା ଝିଅର ମୁଣ୍ଡରେ ପିସ୍ତଲ ଲଗାଇ ମାରିଦେବାକୁ ଧମକ ଦେଇଥିଲେ । ଘରର ବିଭିନ୍ନ ଆଲମାରି ବାକ୍ସ ଓ ଘରେ ଥିବା ଟଙ୍କା ପଇସା ସବୁ ଲୁଟି ନେଇ ପଳାଇଥିଲେ । ଡକାୟତ ମାନେ ୮୫ ହଜାର ନଗଦ ଟଙ୍କା ସହ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ଲୁଟିନେଇଥିବା ଅଭିଯୋଗ ହୋଇଛି । ତେବେ ଡକାୟତ ମାନଙ୍କୁ ଗ୍ରାମବାସୀମାନେ ଅଟକାଇବାକୁ ଚେଷ୍ଟା କରିବାରୁ ବୋମା ମାଡ କରି ସମସ୍ତେ ସେଠାରୁ ଫେରାର ମାରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଡକାୟତ ମାନଙ୍କ ମାଡରେ ମନରଂଜନ ସାହୁଙ୍କ ସହ ପତ୍ନୀ ସାବିତ୍ରୀ ସାହୁ, ଅନ୍ୟ ଜଣେ ଗ୍ରାମବାସୀ ନିଳକଣ୍ଠ ପ୍ରଧାନ ଆହାତ ହୋଇ ମନମୁଣ୍ଡା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ଏ ପର୍ଯ୍ୟନ୍ତ କୌଣସି ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ ମନମୁଣ୍ଡା ପୋଲିସ । ସେପଟେ ତଦନ୍ତ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଲୁଟେରା ମାନେ ଗିରଫ ହେବେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।