Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratha Construction / ରଥନିର୍ମାଣ ଅନୁକୂଳ ପରେ ଚଳଚଞ୍ଚଳ ରଥଖଳା; ଆରମ୍ଭ ହେଲା ରଥ ଗଢା

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ରଥନିର୍ମାଣ ଅନୁକୂଳ ପରେ ଚଳଚଞ୍ଚଳ ରଥଖଳା; ଆରମ୍ଭ ହେଲା ରଥ ଗଢା
Ratha Construction

Key Points

ରଥନିର୍ମାଣ ଅନୁକୂଳ ପରେ ଚଳଚଞ୍ଚଳ ରଥଖଳା
ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥନିର୍ମାଣ କାର୍ଯ୍ୟ
ଏକକାଳୀନ ତିନିବାଡର ତୁମ୍ଭ କାର୍ଯ୍ୟ ଜାରି
ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ଚଳଚଞ୍ଚଳ ହୋଇଉଠିଛି ରଥଖଳା । ସୋମବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥନିର୍ମାଣ ଅନୁକୂଳ ବିଧି ସମ୍ପନ୍ନ ହେବା ପରେ ବିଶ୍ୱକର୍ମା ମହାରଣା କୁରାଢିରେ ଅନୁକୂଳ କରି ରଥଖଳାରେ ଫାସିକାଠରେ ତୁମ୍ଭ ପାଇଁ ଚିହ୍ନ ଦେଇଥିଲେ । ଆଉ ଆଜି ସକାଳେ କରତିଆ ସେବକମାନେ ରଥଖଳାରେ ଆରମ୍ଭ କରିଛନ୍ତି କାଠ ଚିରଟ । ଏବେ ରଥନିର୍ମାଣରେ ୨୦ ଜଣ ସେବକ କାର୍ଯ୍ୟ କରୁଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟମାନେ ଆସି କାର୍ଯ୍ୟରେ ଯୋଗଦେବେ ।

  • ଚଳଚଞ୍ଚଳ ରଥଖଳା
ତିନି ବାଡରେ ୬ ଜଣ କରତିଆ ନାହାକା ତୁମ୍ଭକୁ କରତରେ ଚିରଟ କରିଛନ୍ତି । ବିଶ୍ୱକର୍ମା ମହାରଣା ତୁମ୍ଭରେ ସୂତାବାଡିଆ ଅନୁକୂଳ କରିବା ପରେ ଆରମ୍ଭ ହୋଇଛି ତୁମ୍ଭ ଚଉପଟ କାର୍ଯ୍ୟ । ପ୍ରଥମେ ତାଳଧ୍ଵଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦେବିଦଳନ ରଥ ପାଇଁ ତୁମ୍ବ ହଣା କାର୍ଯ୍ୟ ଅଗ୍ରଗତି କରୁଛି । ସେପଟେ ଏଥର ଯୋଡ଼ା ଜ୍ୟେଷ୍ଠ ରହୁଥିବାରୁ ପ୍ରାୟ ୮୮ ଦିନ ଧରି ଚାଲିବ ରଥ ନିର୍ମାଣ କାର୍ଯ୍ୟ । ଆସନ୍ତା ଜୁଲାଇ ୧୬ରେ ରହିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ।

  • ୧୧ ବଖରା ଚାଳିରେ ରଥ ନିର୍ମାଣ
ରଥନିର୍ମାଣର ଇଷ୍ଟଦେବୀ ମା’ ଚର୍ଚ୍ଚିକାଙ୍କୁ ମୁଣ୍ଡିଆ ମାରି ଓ ନଡିଆ ଫଟାଇ ଆରମ୍ଭ ହୋଇଛି ରଥ ନିର୍ମାଣର ମହାଯଜ୍ଞ । ନନ୍ଦିଘୋଷ ରଥ ପାଇଁ ୧୬ଟି ତୁମ୍ଭ, ତାଳଧ୍ଵଜ ରଥ ପାଇଁ ୧୪ଟି ଓ ଦେବୀଦଳନ ରଥ ପାଇଁ ୧୨ଟି ତୁମ୍ଭ ନିର୍ମାଣ କରାଯିବାର ବିଧି ରହିଛି । ଏହିଭଳି ମୋଟ ୪୨ଟି ତୁମ୍ଭ ପାଇଁ କାଠ ଚିରଟ କରାଯିବ । ଏହାପରେ ସୂତା ବାଡିଆ ହୋଇ ବିନ୍ଧ ହେବ । ଭୋଇ ସେବକ ମାନେ ଆବଶ୍ୟକ ରଥ କାଠକୁ ଆଣି ଖଳାରେ ଯୋଗାଇ ଦେଉଛନ୍ତି । କରତିଆ ସେବକ ଓ ମହାରଣା ସେବକଙ୍କ ଉପସ୍ଥିତିରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ପ୍ରସ୍ତୁତ ହୋଇଥିବା ୧୧ ବଖରା ଚାଳିରେ ଜାରି ରହିବ ରଥ ନିର୍ମାଣ କାର୍ଯ୍ୟ ।

ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ପରେ ପ୍ରାୟ ସନ୍ଧ୍ୟା ୫ଟା ୨୦ରେ ଚନ୍ଦନ ଯାତ୍ରା ପାଇଁ ବିମାନ ଉଠିବା ପରେ ୫ଟା ୪୩ରେ ଆଚାର୍ଯ୍ୟଙ୍କ ଦ୍ଵାରା ତିନି କାଠରେ ସୁନା କୁରାଢୀ ସ୍ପର୍ଶ ବିଧି ସହ ରଥକାଠ ଅନୁକୂଳ ହୋଇଥିଲା । ସେପଟେ ଗତକାଲି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ୨୧ ଦିନର ବାହାର ଚନ୍ଦନ ଯାତ୍ରାର ପ୍ରଥମ ଦିନରେ ଚାପ ଖେଳିଥିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chariot Construction Begins After Akshaya Tritiya for Jagannath Rath Yatra in Puri | Argus News