Videos
|
Odisha

Ama Bus Service / ଯାତ୍ରୀଙ୍କ ସୁବିଧାକୁ ଗୁରୁତ୍ଵ; ବାତ୍ୟା ‘ଅକ୍ଵାନ୍’ ସମୟରେ ଆମ ବସ୍ ସେବା ସୁନିଶ୍ଚିତ କଲା CRUT

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଯାତ୍ରୀଙ୍କ ସୁବିଧାକୁ ଗୁରୁତ୍ଵ; ବାତ୍ୟା ‘ଅକ୍ଵାନ୍’ ସମୟରେ ଆମ ବସ୍ ସେବା ସୁନିଶ୍ଚିତ କଲା CRUT
CRUT Ensures Ama Bus Services During Cyclone Akvan

Key Points

ଥମିଲାନି ଚକ, ବାତ୍ୟା ବେଳେ ବି ଗଡ଼ିଲା ଆମ ବସ୍
ଅଧିକାଂଶ ସହରରେ ଜାରି ରହିଛି ଆମ ବସ୍ ସେବା
ବାତ୍ୟା ପରବର୍ତ୍ତୀ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ବସ୍ ପ୍ରସ୍ତୁତ
ଭୁବନେଶ୍ୱର: ଜନସାଧାରଣଙ୍କୁ ନିର୍ଭରଯୋଗ୍ୟ ପରିବହନ ସେବା ଯୋଗାଇଦେବା ସହ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ବାତ୍ୟା ‘ଅକ୍ଵାନ୍’ ସମୟରେ ବି ଗଡ଼ିଲା ଆମ ବସ୍ । ସାରା ରାଜ୍ୟରେ ଆମ ବସ୍ ସୁବିଧା ପାଇଲେ ଯାତ୍ରୀ । ତେବେ ପୂର୍ବରୁ ବାତ୍ୟାର ମୁକାବିଲା ପାଇଁ କ୍ରୁଟ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ବାତ୍ୟା ସମୟରେ ପାଣିପାଗ ଓ ରାସ୍ତାଘାଟର ସ୍ଥିତି ଅନୁକୂଳ ଥିବା ସ୍ଥାନଗୁଡ଼ିକରେ ଆମ ବସ୍ ସେବା ଜାରି ରଖିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା । ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଓ ପୁରୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସହରରେ ଆମ ବସ୍ ସେବା ନିୟମିତ ସମୟସୂଚୀ ଅନୁଯାୟୀ ଜାରି ରହିଛି ।

  • ରିଲିଫ କାର୍ଯ୍ୟରେ ଲାଗିବ ଆମ ବସ୍
ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଜନସାଧାରଣଙ୍କ ଯାତାୟାତ ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ବ୍ରହ୍ମପୁର ଓ ପୁରୀରେ ଥିବା ଆମ ବସ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ପାଣିପାଗର ସ୍ଥିତି ସୁଧୁରିବା ପରେ ଏବଂ ଜିଲ୍ଲା ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଏହି ବସ୍‌ଗୁଡ଼ିକୁ ତୁରନ୍ତ ନିୟୋଜିତ କରାଯିବ । ଏଥିସହ ଜନ ପରିବହନ ସେବାର ପୁନଃସ୍ଥାପନ ଓ ଜରୁରୀକାଳୀନ ସହାୟତା କାର୍ଯ୍ୟରେ ମଧ୍ୟ ଏହି ବସ୍‌ଗୁଡ଼ିକ ସହାୟକ ହେବ ।

  • ଆମ ବସ୍‌ ଆପ୍‌ରେ ନଜର ରଖନ୍ତୁ ଯାତ୍ରୀ
କ୍ୟାପିଟାଲ୍ ରିଜିଅନ୍‌ରେ ଆବଶ୍ୟକ ପରିଚାଳନାଗତ ପରିବର୍ତ୍ତନ ସହ ଆମ ବସ୍ ସେବା ଜାରି ରହିଛି । କେତେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ଏଣୁ କିଛି ବସ୍‌ର ନିୟମିତ ରୁଟ୍‌କୁ ପରିବର୍ତ୍ତନ କରାଯାଇପାରେ । ଏଣୁ ଯାତ୍ରୀମାନେ ରୁଟ୍‌ରେ ସାମୟିକ ପରିବର୍ତ୍ତନ କିମ୍ବା ବସ୍‌ରେ ଚଢ଼ିବା ସ୍ଥାନ ସମ୍ପର୍କିତ ସୂଚନା ପାଇଁ ଆମ ବସ୍ ମୋବାଇଲ୍ ଆପ୍ ଏବଂ କ୍ରୁଟ୍‌ ଅଧିକୃତ ସାମାଜିକ ଗଣମାଧ୍ୟମ ପୃଷ୍ଠାଗୁଡ଼ିକ ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି ।

ପଢନ୍ତୁ ଏହି ଖବର: ଦୁର୍ବଳ ହେଲା ବାତ୍ୟା; ତଥାପି ଟଳିନି ବିପଦ, ପ୍ରେସମିଟ୍‌ରେ ସତର୍କ କରାଇଲେ ମନ୍ତ୍ରୀ ସୁରେଶ ପୂଜାରୀ

  • ପାଣିପାଗ ଉପରେ କ୍ରୁଟ୍‌ର ନଜର
ବାତ୍ୟାର ପରବର୍ତ୍ତୀ ସ୍ଥିତି ଓ ପାଣିପାଗରେ ହେଉଥିବା ପରିବର୍ତ୍ତନ ଉପରେ କ୍ରୁଟ୍‌ର କେନ୍ଦ୍ରୀୟ ପରିଚାଳନା ଟିମ୍ ପକ୍ଷରୁ ୨୪ ଘଣ୍ଟିଆ ନଜର ରଖାଯାଇଛି । ଡିପୋ ଟିମ୍, କ୍ଷେତ୍ରୀୟ ସୁପରଭାଇଜର, କ୍ୟାପ୍ଟେନ୍ ଓ ଗାଇଡ୍‌ମାନଙ୍କୁ ସତର୍କ ରଖାଯାଇଛି । ସୁରକ୍ଷିତ ଭାବେ ବସ୍ ଚଳାଚଳ ସମ୍ଭବ ଥିବା ସ୍ଥାନଗୁଡ଼ିକରେ ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ପରିବହନ ସେବା ଜାରି ରଖିବା ସହ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ସହାୟତା କରିବା ପାଇଁ ନିଜର ବସ୍ ଓ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରଖିଛି କ୍ରୁଟ୍ । ଆଗକୁ ପାଣିପାଗର ସ୍ଥିତି ଅନୁଯାୟୀ ବସ୍ ଚଳାଚଳରେ ଆଗକୁ କୌଣସି ପରିବର୍ତ୍ତନ ହେଲେ ତୁରନ୍ତ ଏ ସମ୍ପର୍କରେ ସୂଚନା ଦିଆଯିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: