ତେଜୁଛି ବାରବାଟି ବିବାଦ, ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଅର୍ଗସ ବ୍ୟୁରୋ : କଟକର ଐତିହ୍ୟ ବାରବାଟୀ ଷ୍ଟାଡିୟମ ନବୀକରଣକୁ ନେଇ ତେଜୁଛି ରାଜନୀତି । ଆଜି ଏନେଇ ମୁଖ୍ୟମନ୍ତ୍ରୀ ୬୦୦ କୋଟିର ପ୍ରକଳ୍ପ ଘୋଷଣା କରିଥିବା ବେଳେ ଏପଟେ ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ । ବାରବାଟୀ ଷ୍ଟାଡିୟମ ନବୀକରଣ ଓ ବିକାଶ ନାଁରେ ରାଜ୍ୟ ସରକାର ଐତିହ୍ୟର ବିନାଶ ପାଇଁ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି ।
୨୦୧୮ ମସିହାରୁ ବାରବାଟୀ ଷ୍ଟାଡିୟମର ଗ୍ୟାଲେରୀ ଦୁର୍ବଳ ଥିବା ଦର୍ଶାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ମରାମତି କରାଗଲା ନାହିଁ। ସେହିପରି କଟକରେ ଭଲ ତାରକା ହୋଟେଲ ନଥିବାରୁ ଏଠାକୁ ଅନ୍ତର୍ଜାତୀୟ ମ୍ୟାଚ ଆସୁନଥିବା ବେଳେ ଏଠାରେ ହୋଟେଲ ନିର୍ମାଣ ପାଇଁ ମଧ୍ୟ ସରକାରଙ୍କ ଆନ୍ତରିକତା ନାହିଁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କ୍ରୀଡା ଭିତ୍ତିଭୂମିର ବିକାଶ ବଦଳରେ ବାରବାଟୀ ଷ୍ଟାଡିୟମକୁ ବ୍ୟବସାୟରେ ଲଗାଇଛନ୍ତି ରାଜ୍ୟ ସରକାର । ଏବେ ନିର୍ବାଚନ ପାଖେଇ ଆସୁଥିବାବେଳେ ବାରବାଟୀ ଷ୍ଟାଡିୟମ ନବୀକରଣ ନାଁରେ ନିର୍ବାଚନୀ ଷ୍ଟଣ୍ଟ୍ ଖେଳୁଛନ୍ତି ରାଜ୍ୟ ସରକାର । କଟକର ଐତିହ୍ୟ ଓ ଗୌରବକୁ ବିନାଶ ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ ।