Flag March in Cuttack / ଶୋଭାଯାତ୍ରା ବାହାରିବା ନେଇ ଗୁଜବ ପରେ କଟକରେ ପୋଲିସର ଫ୍ଲାଗମାର୍ଚ୍ଚ, ଗୁଜବକାରୀଙ୍କୁ CPଙ୍କ କଡ଼ା ଚେତାବନୀ

Key Points
କଡା ସୁରକ୍ଷା ବଳୟରେ କଟକ। ଶୋଭାଯାତ୍ରା ବାହାରିବା ନେଇ ଗୁଜବ ପରେ ପୋଲିସର ଫ୍ଲାଗ ମାର୍ଚ୍ଚ। ଗୁଜବକାରୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ।
ଦୁର୍ଗାପୂଜା ଭଷାଣୀ ସମୟରେ ହୋଇଥିବା ଗୋଷ୍ଠୀ ବିବାଦ ପରଠୁ କଡ଼ା ସୁରକ୍ଷା ବଳୟରେ ରହିଛି କଟକ । ସହରରେ ଏବେ ସ୍ବାଭାବିକ ରହିଛି ସ୍ଥିତି । ସୋସିଆଲ ମିଡିଆରେ ଶୋଭାଯାତ୍ରା ବାହାରିବା ନେଇ ଗୁଜବ ସୃଷ୍ଟି ହେଉଥିବାରୁ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଛକ ଛକରେ ପୋଲିସ୍ ଜଗିଛି ।
ସେପଟେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ମିଛ ଗୁଜବକୁ ବିଶ୍ଵାସ ନ କରିବାକୁ ଅପିଲ୍ କଲେ ପୋଲିସ କମିଶନର । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଛି । ଯେଉଁମାନେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି, ସେମାନଙ୍କ ଅଭିଭାବକମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସିପି । ନିଜ ପିଲାଙ୍କୁ ଏହି ସବୁ କାର୍ଯ୍ୟରୁ ନିବୃତ ରଖନ୍ତୁ, ନଚେତ ସେମାନଙ୍କ ଭବିଷ୍ୟତ ଖରାପ ହେବା ସହିତ ଚାକିରି ମିଳିବାରେ ଅସୁବିଧା ହୋଇପାରେ ବୋଲି କହିଛନ୍ତି ପୋଲିସ୍ କମିଶନର ।
ସେପଟେ ସିଲଭର ସିଟିରେ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଗୁରୁବାର ହାତୀ ପୋଖରୀ ଓ କଦମ ଏ ରସୁଲ ଅଞ୍ଚଳରେ ପୋଲିସ ଘରେ ଘରେ ଯାଇ ସର୍ଚ୍ଚ ଅପରେସନ କରିଥିଲା । କେନ୍ଦ୍ରୀୟ ପୋଲିସ ଫୋର୍ସ ସହ ଓଡ଼ିଶା ପୋଲିସ ପକ୍ଷରୁ ବିଭିନ୍ନ ଘରେ ଯାଞ୍ଚ କରାଯାଇଥିଲା ।
📱 Get Argus News App
✨ଅଧିକ ପଢ଼ନ୍ତୁ: ପୋଲିସ୍ SI ନିଯୁକ୍ତି ଘୋଟାଲା, କ୍ରାଇମବ୍ରାଞ୍ଚରେ ହାଜର ହେଲେ 'ବଣିକ୍' ଅଧିକାରୀ
ସେହିପରି ଦଶହରା ଭସାଣି ଗଣ୍ଡଗୋଳ ଓ ପରବର୍ତ୍ତୀ ହିଂସାକାଣ୍ଡ ତାତି ଏବେ ବି ଥିମିନଥିବା ବେଳେ କାଳୀ ପୂଜା ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ପୂଜା କମିଟି । ପୂଜା କମିଟି ପକ୍ଷରୁ ମା'ଙ୍କ ମୂର୍ତ୍ତି ପାଇଁ ନଡ଼ା ବନ୍ଧା ଓ ମାଟି କାମ ଆରମ୍ଭ ହୋଇଛି । କିନ୍ତୁ ଏସବୁ ମଧ୍ୟରେ କଟକ ସହରରେ ଘଟିଯାଇଥିବା ହିଂସାକୁ ନେଇ ସମସ୍ତେ ସଙ୍କା ଭିତରେ ରହିଛନ୍ତି । କଟକ ଡିସିପିଙ୍କ ତରଫରୁ ସହରବାସୀଙ୍କ ପାଇଁ ୨ଟି ମୋବାଇଲ୍ ନଂ ଜାରି କରାଯାଇଛି । କୌଣସି ସନ୍ଦେହଜନକ ବାର୍ତ୍ତା ପାଇଲେ ୭୩୨୮୦୭୭୩୨୪ / ୮୪୮୦୫୧୩୦୦୭ ମୋବାଇଲ୍ ନମ୍ବରରେ ଜଣାଇବାକୁ କୁହାଯାଇଛି । ସେଭଳି ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ବାସ ନ କରିବାକୁ ପରାମର୍ଶ ଦିଆଯାଇଛି ।
ସୂଚନା ଅନୁସାରେ, ଦଶହରା ପରେ ମାଆ ଦୁର୍ଗାଙ୍କ ଭସାଣି ବେଳେ ହାତୀ ପୋଖରୀ ଛକରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଏହା ପରେ କଟକ ଅଶାନ୍ତ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗିଥିଲା । ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏଁ କର୍ଫ୍ୟୁ ଲାଗିଥିଲା । ଅନ୍ୟପଟେ କଟକରେ ସ୍ୱାଭାବିକ ହୋଇଛି ଜୀବନ ଯାତ୍ରା । ଭାଇଚାରାର ସହରରେ ଫେରିଛି ଶାନ୍ତି । ୩୬ ଘଣ୍ଟା ପରେ କଟକରୁ କର୍ଫ୍ୟୁ ହଟିଛି । ତେବେ ଜାରି ରହିଛି ପୋଲିସ ପାଟ୍ରୋଲିଂ, ସମ୍ବେଦନଶୀଳ ସ୍ଥାନରେ ଏବେ ବି ଫୋର୍ସ ମୁତୟନ ଅଛନ୍ତି । ପୋଲିସ କମିଶନର କହିଥିଲେ, କଟକଣା ସମୟରେ କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟିନାହିଁ। ସ୍ଥିତି ଉପରେ ନଜର ରଖାଯାଇଛି ।
Related Topics
Explore more stories