ରାଜାବଗିଚା ପଟୁ ବସ୍ଷ୍ଟାଣ୍ଡ ଭିତରକୁ ପ୍ରବେଶ ପାଇଁ ମିଳୁନି ଅନୁମତି, ନାନାଦି ସମସ୍ୟା ଭୋଗୁଛନ୍ତି ଯାତ୍ରୀ

ଅର୍ଗସ ବ୍ୟୁରୋ : କଟକ ନେତାଜୀ ବସ୍ ଟର୍ମିନାଲରେ ପୁଣି ସମସ୍ୟା । ବସ୍ଷ୍ଟାଣ୍ଡର ପ୍ରବେଶ ପଥକୁ ନେଇ ଯାତ୍ରୀ ଅସନ୍ତୋଷ । ରାଜାବଗିଚା ପଟୁ ବସ୍ଷ୍ଟାଣ୍ଡ ଭିତରକୁ ପ୍ରବେଶ ପାଇଁ ମିଳୁନି ଅନୁମତି ନାନାଦି ସମସ୍ୟା ଭୋଗୁଛନ୍ତି ଯାତ୍ରୀ । ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ମାନଙ୍କୁ ଖାନନଗର ନଦୀବନ୍ଧ ମୁଖ୍ୟ ଦ୍ବାର ଦେଇ ଯିବାକୁ ହେଲେ ଅଧ କିମି ବା 500 ମିଟର ଚାଲିବାକୁ ପଡୁଛି । ଫଳରେ ଛୋଟ ପିଲାଠାରୁ ଵୟସ୍କ ଯାତ୍ରୀ ପର୍ଯ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବସଷ୍ଟାଣ୍ଡ କର୍ତ୍ତୃପକ୍ଷଙ୍କ ଏଭଳି ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ । ଲୋକଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ କରି ଯାତ୍ରୀଙ୍କୁ ଜାଣିଶୁଣି ହଇରାଣ ହରକତ କରାଯାଉଥିବା କହିଛନ୍ତି । ତେବେ ରାଜାବଗିଚା ପଟୁ ଖାନନଗର ନଦୀବନ୍ଧ ପଟ ମୁଖ୍ୟ ଗେଟ କୁ ପ୍ରାୟ ୫୦୦ ମିଟର ରାସ୍ତା ହେବ । ଯାତ୍ରୀମାନେ ବସଷ୍ଟାଣ୍ଡକୁ ପ୍ରବେଶ କରିବାକୁ ହେଲେ ସେହି ଗୋଟିଏ ଗେଟ ଦେଇ ଯିବାକୁ କେବଳ ଅନୁମତି ଦିଆଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାତ୍ରୀଙ୍କ ଏଭଳି ସମସ୍ୟାକୁ ନେଇ କଟକ ଘରୋଇ ବସ ମାଲିକ ସଂଘ ପକ୍ଷରୁ ବସଷ୍ଟାଣ୍ଡ କର୍ତ୍ତୃପକ୍ଷ ଏବଂ ସିଏମସି କମିଶନରଙ୍କୁ ଅବଗତ କରାଇବା ସହ ଯାତ୍ରୀଙ୍କ ପାଇଁ ପାଦଚଲା ରାସ୍ତା ସହ ରାଜବଗିଚା ପଟୁ ଚାଲି ଚାଲି ଯିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଯାତ୍ରୀଙ୍କ ସମସ୍ୟାର କେବେ ହେବ ସମାଧାନ, ତାହା ଦେଖିବାକୁ ବାକି ରହିଲା ।