Videos
|
Odisha

Crime In Odisha / କିଏ ରଚିଥିଲା ରିଂ ବନ୍ଧ ହିଂସାର ବ୍ଳୁ-ପ୍ରିଣ୍ଟ ?

Sushanta Sahoo
Browse all articles by Sushanta Sahoo
·Published on: 28 Nov 2026, 20:37:47 IST·2 min read
କିଏ ରଚିଥିଲା ରିଂ ବନ୍ଧ ହିଂସାର ବ୍ଳୁ-ପ୍ରିଣ୍ଟ ?
Cuttack two groups clash over past enmity

Key Points

ଶୁକ୍ରବାର ସନ୍ଧ୍ୟା ୭ଟାରେ ଅଶାନ୍ତ ହୋଇଥିଲା ପୁରୀଘାଟ ରିଂ ବନ୍ଧ
ଢେଲା ପଥର, କାଚ ବୋତଲ ମାଡ଼ ସାଙ୍ଗକୁ ଖଣ୍ଡାରେ ଆକ୍ରମଣ
ଅଟକଙ୍କ ମଧ୍ୟରେ ନାବାଳକ ସାମିଲ ଥିବା ସୂଚନା
କଟକ: କଟକ ସହରରେ ପୁଣି ରକ୍ତର ଛିଟା । ପୂର୍ବ ଶତ୍ରୁତାରୁ ରଣକ୍ଷେତ୍ର ପାଲଟିଲା କାଠଯୋଡ଼ି ରିଂ ବନ୍ଧ । ଢେଲା ପଥର, କାଚ ବୋତଲ ଓ ଠେଙ୍ଗାବାଡ଼ି ମାଡ଼ ସାଙ୍ଗକୁ ଖଣ୍ଡାରେ ହଣାକଟା । ଏହି ଭୟଙ୍କର ସଂଘର୍ଷରେ ଗଣେଶ ଘାଟ ସାହି ସଭାପତି ଅମରେନ୍ଦ୍ର ସାମଲ ଓରଫ ବୁଲୁଙ୍କ ଜୀବନ ଯାଇଥିବା ବେଳେ ନିରଞ୍ଜନ ସାମଲ ଓରଫ ନିଲୁଆ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଘଟଣାରେ ଉଭୟ ପକ୍ଷରୁ ୨୧ରୁ ଅଧିକଙ୍କୁ ଅଟକ ରଖିଛି ପୋଲିସ ।

ଶୁକ୍ରବାର ସନ୍ଧ୍ୟା, ସମୟ ସନ୍ଧ୍ୟା ୭ଟାରୁ ୭ଟା ୩୦ । ହଠାତ୍ ଅଶାନ୍ତ ହୋଇ ପଡ଼ିଥିଲା ପୁରୀଘାଟ ନିକଟ ରିଂବନ୍ଧ । ପୁରୀଘାଟ ବୁରୁଜ ସାହି ଓ ଗଣେଶ ଘାଟ ସାମଲ ସାହି ମଧ୍ୟରେ ଆରମ୍ଭ ହୋଇଗଲା ଭୟଙ୍କର ରକ୍ତାକ୍ତ ସଂଘର୍ଷ । ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଦୁଇ ପକ୍ଷ ମଧ୍ୟରେ ଜମିଲା ରକ୍ତାକ୍ତ ଲଢ଼େଇ ।

ଏଥିସହ ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ଠେଲାପେଲାରୁ ଗଣ୍ଡଗୋଳ, ଚାଲିଗଲା ଜୀବନ 

କେବଳ ଗାଳିଗୁଲଜ କି ଧସ୍ତାଧସ୍ତି ନୁହେଁ, ଆରମ୍ଭ ହୋଇଗଲା ମାରଣାସ୍ତ୍ରରେ ଆକ୍ରମଣ । ଢେଲା ପଥର, କାଚ ବୋତଲ ମାଡ଼ ସାଙ୍ଗକୁ ଠେଙ୍ଗାବାଡ଼ିରେ ପିଟାପିଟି । ଏପରିକି ଖଣ୍ଡାରେ ହଣାକଟା ଯାଏ କଥା ପହଞ୍ଚିଥିଲା । ଏହି ଆକ୍ରମଣରେ ଗଣେଶ ଘାଟ ସାହି ସଭାପତି ଅମରେନ୍ଦ୍ର ସାମଲ ଓରଫ ବୁଲୁଙ୍କ ମୃତ୍ୟୁ ହୋଇଥିବା ବେଳେ ନିରଞ୍ଜନ ସାମଲ ଓରଫ ନିଲୁଆଙ୍କ ଅବସ୍ଥା ଗୁରୁତର ରହିଛି ।

ଉଭୟ ପକ୍ଷରୁ ୨୧ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଅଟକଙ୍କ ମଧ୍ୟରେ ଜଣେ ଦୁଇ ଜଣ ନାବାଳକ ଥିବା ମଧ୍ୟ ସୂଚନା ମିଳିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୃତ ଅମରେନ୍ଦ୍ର ସାମଲ ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିଲେ । ଏହାସହ ସେ ଜଣେ ବରିଷ୍ଠ ଫୁଟବଲ୍ ଖେଳାଳି ମଧ୍ୟ ଥିଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି ।

ଏଥିସହ ପଢ଼ନ୍ତୁ: ସଂସାର ଆରମ୍ଭ ପୂର୍ବରୁ ଲିଭିଗଲା ଜୀବନ ଦୀପ; ୨ ପରିବାରରେ ଶୋକର ଛାୟା 

ଅନ୍ୟପଟେ ପୋଲିସ ସିସିଟିଭି ଫୁଟେଜ୍ ଜବତ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରୁଛି । ଏହି ହିଂସା ପଛରେ କେଉଁମାନଙ୍କ ଭୂମିକା ରହିଛି, ଆକ୍ରମଣରେ କେଉଁମାନେ ସାମିଲ ଥିଲେ, ସେନେଇ ଖୋଳତାଡ଼ ଜାରି ରହିଛି ।

ପୂର୍ବ ଶତ୍ରୁତାରୁ ଆରମ୍ଭ ହୋଇଥିବା ଏହି ବିବାଦ ଶେଷରେ ନେଇଛି ଏକ ଅମୂଲ୍ୟ ଜୀବନ । ତେବେ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କ'ଣ ଏବଂ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।