Videos
|
Odisha

Cyclone Akvan / ବାତ୍ୟା 'ଅକଭାନ'କୁ ନେଇ ଆଗୁଆ ପ୍ରସ୍ତୁତି, ଜିଲ୍ଲାପାଳଙ୍କୁ ଜାରି ହେଲା ଜରୁରୀ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·18 mins ago·2 min read
ବାତ୍ୟା 'ଅକଭାନ'କୁ ନେଇ ଆଗୁଆ ପ୍ରସ୍ତୁତି, ଜିଲ୍ଲାପାଳଙ୍କୁ ଜାରି ହେଲା ଜରୁରୀ ନିର୍ଦ୍ଦେଶ
Odisha Issues Emergency Instructions to Collectors

Key Points

ବାତ୍ୟା 'ଅକଭାନ' ମୁକାବିଲା ପାଇଁ ୧୪ କୋଟି ଟଙ୍କା ମଞ୍ଜୁର
୧୪ ଜିଲ୍ଲାରେ ରିଲିଫ୍ କ୍ୟାମ୍ପ ପରିଚାଳନା ପାଇଁ ଅର୍ଥ ପ୍ରଦାନ
ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର
କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ
ନୟାଗଡ଼, ପୁରୀ ଓ ରାୟଗଡ଼ା ଜିଲ୍ଲାକୁ କୋଟିଏ ଲେଖାଏଁ ପ୍ରଦାନ
ଭୁବନେଶ୍ଵର: ବାତ୍ୟା 'ଅକଭାନ'ର ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି । ଏହି କ୍ରମରେ, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା, ରିଲିଫ୍ ବ୍ୟବସ୍ଥା ଓ ଅନ୍ୟାନ୍ୟ ଜରୁରୀକାଳୀନ ପ୍ରତିକ୍ରିୟାମୂଳକ କାର୍ଯ୍ୟ ପାଇଁ ୧୪ଟି ଜିଲ୍ଲାକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)ରୁ ମୋଟ ୧୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ପ୍ରତ୍ୟେକ ଜିଲ୍ଲା ପାଇଁ ୧ କୋଟି ଟଙ୍କା ଲେଖାଏଁ ଆବଣ୍ଟନ ହୋଇଛି । ଏହି ଆର୍ଥିକ ସହାୟତା ଜରିଆରେ ଜିଲ୍ଲାସ୍ତରରେ ରିଲିଫ୍ ଶିବିର ପରିଚାଳନା ଓ ବାତ୍ୟା ମୁକାବିଲା ସମ୍ପର୍କିତ ଆବଶ୍ୟକୀୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇପାରିବ ।

ଏଥିସହ ପଢ଼ନ୍ତୁ: ଓଡ଼ିଶାକୁ ରେଡ୍ ଆଲର୍ଟ, ସ୍ଥଳଭାଗ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା 

ପାଣ୍ଠି ଆବଣ୍ଟନ ପାଇଥିବା ୧୪ଟି ଜିଲ୍ଲା ହେଉଛି- ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ ଓ ରାୟଗଡ଼ା । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରିଲିଫ୍ କ୍ୟାମ୍ପ ପରିଚାଳନା, ଉଦ୍ଧାର ଓ ଜରୁରୀକାଳୀନ ପ୍ରତିକ୍ରିୟା ସହ ଜଡ଼ିତ ଖର୍ଚ୍ଚ ପାଇଁ ଏହି ଅର୍ଥ ବ୍ୟବହାର କରାଯିବ ।

ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାତ୍ୟା 'ଅକଭାନ'କୁ ନେଇ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ରଖିବା ସହ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ କୁହାଯାଇଛି । ସମ୍ପୃକ୍ତ ଅଧିକାରୀଙ୍କ ନାମ, ପଦବୀ ଓ ଯୋଗାଯୋଗ ନମ୍ବର ରାଜ୍ୟ କଣ୍ଟ୍ରୋଲ ରୁମ୍‌କୁ ପଠାଇବାକୁ ନିର୍ଦ୍ଦେଶ ରହିଛି ।

ବାତ୍ୟା ବେଳେ ବିଦ୍ୟୁତ୍

ବାତ୍ୟା ସମୟରେ ସ୍ୱାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ହସ୍ପିଟାଲଗୁଡ଼ିକରେ ଜେନେରେଟର, ଇନ୍‌ଭର୍ଟର, ବ୍ୟାକ୍‌ଅପ୍‌ ବିଦ୍ୟୁତ୍‌, ଇନ୍ଧନ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଆବଶ୍ୟକ ପରିମାଣରେ ଜରୁରୀ ଔଷଧ, ଆଣ୍ଟିବାୟୋଟିକ୍‌, ଜ୍ୱର ଓ ଝାଡ଼ା ଔଷଧ, ORS, ସାପ କାମୁଡ଼ା ଇଞ୍ଜେକ୍ସନ୍‌ ଏବଂ ଶିରାରେ ଦିଆଯାଉଥିବା ତରଳ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିମ୍ନାଞ୍ଚଳ ଓ ବିପଦପ୍ରବଣ ଅଞ୍ଚଳରେ ମେଡିକାଲ ରିଲିଫ୍‌ ସେଣ୍ଟର ଖୋଲିବା, ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ପ୍ରସବ କେନ୍ଦ୍ର ଓ ମା’ ଗୃହକୁ ସ୍ଥାନାନ୍ତର କରିବା, ଆମ୍ବୁଲାନ୍ସ ଓ ରେଫରାଲ୍‌ ସେବାକୁ ସମନ୍ୱିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଏହାସହ ମୋବାଇଲ୍‌ ହେଲ୍‌ଥ ୟୁନିଟ୍‌, ମୋବାଇଲ୍‌ ହେଲ୍‌ଥ ଟିମ୍‌ ଓ ରାପିଡ୍‌ ରେସପନ୍ସ ଟିମ୍‌କୁ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବାର ଆଶଙ୍କା ଥିବାରୁ ପ୍ରଭାବିତ ଜିଲ୍ଲାର ପ୍ରମୁଖ ହସ୍ପିଟାଲଗୁଡ଼ିକରେ ସାଟେଲାଇଟ୍‌ ଫୋନ୍‌ ଓ HAM ରେଡିଓ ବ୍ୟବସ୍ଥା ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

ପରିମଳ ଉପରେ ଗୁରୁତ୍ଵ

ଅନ୍ୟପକ୍ଷରେ ନିମ୍ନାଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଓ ଭୂତଳ ଭଣ୍ଡାରରେ ରଖାଯାଇଥିବା ଔଷଧପତ୍ରକୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବା, ବିଶୁଦ୍ଧ ପାନୀୟ ଜଳ, ପରିମଳ, ହାତଧୁଆ ଓ ଜଳ ଉତ୍ସର ବିଶୋଧନ ଉପରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ଜଳବାହିତ ଓ ଭେକ୍ଟରବାହିତ ରୋଗର ସଂକ୍ରମଣ ରୋକିବାକୁ ନିୟମିତ ରୋଗ ନିରୀକ୍ଷଣ ଓ ଦୈନିକ ରିପୋର୍ଟିଂ କରିବାକୁ କୁହାଯାଇଛି ।

ଏଥିସହ ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ଏହି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ 

ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା, ଜରୁରୀ ଚିକିତ୍ସା, ଟିକାକରଣ ଏବଂ ଅତ୍ୟାବଶ୍ୟକ ଔଷଧ ଯୋଗାଣ ଯେପରି ବାତ୍ୟା ସମୟରେ ଓ ପରବର୍ତ୍ତୀ ଅବସ୍ଥାରେ ଅବ୍ୟାହତ ରହେ, ସେଥିପାଇଁ ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।