Videos
|
Odisha

Cyclone Akvan / ଓଡ଼ିଶାକୁ ରେଡ୍ ଆଲର୍ଟ, ସ୍ଥଳଭାଗ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା

Sushanta Sahoo
Browse all articles by Sushanta Sahoo
·59 mins ago·2 min read
ଓଡ଼ିଶାକୁ ରେଡ୍ ଆଲର୍ଟ, ସ୍ଥଳଭାଗ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା
Cyclone Akvan Landfall Near Gopalpur

Key Points

ବାତ୍ୟା 'ଅକଭାନ' ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ବହିପାରେ । ବାତ୍ୟା ଆନ୍ଧ୍ରର କଳିଙ୍ଗପାଟ୍ଟଣମରୁ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଇଛି ।
ଭୁବନେଶ୍ଵର: ଦକ୍ଷିଣ ମଧ୍ୟ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା 'ଅକଭାନ' ରହିଛି । ଯାହାକି ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି । 'ଅକଭାନ' ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟରେ ରଖାଯାଇଛି ।

ଏବେ ଅତି ଭୀଷଣ ବାତ୍ୟା 'ଅକଭାନ' ଆନ୍ଧ୍ରର ନର୍ସାପୁର ଠାରୁ ଦକ୍ଷିଣ-ପୂର୍ବରେ ୫୪୦ କିଲୋମିଟର, ଚେନ୍ନାଇ ଠାରୁ ପୂର୍ବରେ ୫୭୦ କିଲୋମିଟର, କଳିଙ୍ଗପାଟ୍ଟଣମ୍ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୦୦ କିଲୋମିଟର, ଗୋପାଳପୁର ଠାରୁ ଦକ୍ଷିଣରେ ୬୯୦ କିଲୋମିଟର ଓ ପୁରୀ ଠାରୁ ଦକ୍ଷିଣରେ ୭୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।

ଏଥିସହ ପଢ଼ନ୍ତୁ: କେଉଁଠି ମାଡ଼ ହେବ ଭୀଷଣ ବାତ୍ୟା 'ଅକ୍ବାନ୍‌' ? ପାଣିପାଗ ବିଭାଗ ଜାରି କଲା ନୂଆ ଗତିପଥ

'ଅକଭାନ' କ୍ରମଶଃ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶର ୟାନମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳର ପୁରୀ ପାଖାପାଖି ପହଞ୍ଚିବ । ୨୦ ତାରିଖ ମଧ୍ୟାହ୍ନରେ 'ଅକଭାନ' ଦୁର୍ବଳ ହୋଇ ଏକ ଭୀଷଣ ବାତ୍ୟା ଭାବେ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାତ୍ୟା ଉପକୂଳ ଅତିକ୍ରମ ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ଏବଂ ଝଟ୍‌କା ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିପାରେ । ଏହାପରେ 'ଅକଭାନ' ଆହୁରି ଦୁର୍ବଳ ହୋଇ ଏକ ବାତ୍ୟାକୁ ଖସି ଆସିବ । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଏବଂ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୮୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

ଓଡ଼ିଶାରେ ପ୍ରବଳ ବର୍ଷିବ

ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପ୍ରବଳ ବର୍ଷା ନେଇ ବୁଧବାର ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

୧୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି ଏବଂ କନ୍ଧମାଳକୁ ରେଡ୍ ୱାର୍ଣ୍ଣିଂ ରହିଛି । ସେହିଭଳି ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।

୨୦ ତାରିଖରେ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାକୁ ରେଡ୍ ଆଲର୍ଟ ରହିଛି । କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଓଡ଼ିଶାକୁ ବାତ୍ୟା ଭୟ ! ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା, ଜାରି ହେଲା ରେଡ୍ ଆଲର୍ଟ 

ଅଶାନ୍ତ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ବାରଣ

ବାତ୍ୟା ପାଇଁ ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ବଢ଼ିବା ସହ ସମୁଦ୍ରରେ ୦.୫ରୁ ୧.୦ ମିଟର ଉତ୍ତର ଢେଉ ଆସିପାରେ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ୨୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ଦୂର ସତର୍କ ସଂକେତ ୨ ଦିଆଯାଇଛି ।