Videos
|
Odisha

Cyclone Preparedness / ମନରୁ ଲିଭିନି 'ଅର୍ଣ୍ଣବ'; ଆସୁଛି 'ମୁରାସୁ'...ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ମନରୁ ଲିଭିନି 'ଅର୍ଣ୍ଣବ'; ଆସୁଛି 'ମୁରାସୁ'...ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର
Cyclone Murasu Preparedness

Key Points

ପୁଣି ଆସୁଛି ଆଉ ଏକ ବାତ୍ୟା
ମୁରାସୁକୁ ନେଇ ପ୍ରସ୍ତୁତି ଜୋରଦାର
ଗଞ୍ଜାମ ଓ ଗଜପତି ପ୍ରଶାସନ ସଜାଗ
ଗଞ୍ଜାମ/ଗଜପତି: ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନେଲ୍ଲୋର ଓ ନରସାପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବାର ଆକଳନ କରାଯାଇଛି । ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ଭୋର ୪ଟା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିପାରେ । ଲ୍ୟାଣ୍ଡଫଲ୍ ସମୟରେ ବାତ୍ୟାର ରୂପ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରହିବା ଆଶଙ୍କା ରହିଛି । ଗୋଟିଏ ପଟେ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଦୁଃଖ ମନରୁ ନ ଲିଭୁଣୁ, ପୁଣି ମାଡ଼ ହେବ ଆଉ ଏକ ବାତ୍ୟା । ତେବେ ବାତ୍ୟା ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ରହିଛି ।

ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ୨୦ରୁ ୩୦ ସେଣ୍ଟିମିଟର କିମ୍ବା ତାଠାରୁ ଅଧିକ ବର୍ଷା ହୋଇପାରେ । ଉତ୍ତର ତାମିଲନାଡୁର ଉପକୂଳ ଅଞ୍ଚଳରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏପଟେ ଓଡ଼ିଶାରେ ମଧ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେବ । ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତିରେ ବର୍ଷା ଆରମ୍ଭ ହୋଇଛି । ନଭେମ୍ବର ୩ ଓ ୪ ତାରିଖରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଞ୍ଜାମ ଓ ଗଜପତି ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ।

  • ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ପ୍ରଶାସନ
ବାତ୍ୟା ପାଇଁ ମୋଟ ୨,୯୪,୭୫୨ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବାର ଲକ୍ଷ୍ୟ ରହିଥିବା ବେଳେ, ଇତିମଧ୍ୟରେ ୧,୫୧,୪୩୪ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଜିଲ୍ଲାରେ ୧୧୦ଟି ସ୍ଥାୟୀ ଆଶ୍ରୟସ୍ଥଳୀ ଏବଂ ୧୦୨୯ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି । ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ମୋଟ ୩,୪୧,୭୦୦ ଜଣଙ୍କ ରହିବା ପାଇଁ କ୍ଷମତା ରହିଛି । ସ୍ଥାନାନ୍ତରଣ କେନ୍ଦ୍ରଗୁଡ଼ିକରେ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ମେଡିକାଲ୍ ଟିମ୍ ମୁତୟନ କରାଯାଇଛି ।

  • ପାଣି ଟ୍ୟାଙ୍କରର ବ୍ୟବସ୍ଥା ହୋଇଛି
ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ(ULB) ଗୁଡ଼ିକରେ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀର ମହଜୁଦ ସୁନିଶ୍ଚିତ କରାଯାଇଛି । ଅତିରିକ୍ତ ଆବଶ୍ୟକତା ମଧ୍ୟ ଜଣାଇ ଦିଆଯାଇଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ଏହାର ଯୋଗାଣ କରାଯିବ । ସ୍ଥାନାନ୍ତରିତ ଲୋକମାନଙ୍କ ରହିବା ସ୍ଥାନରେ ଜେନେରେଟର୍ ଓ ପାଣି ଟ୍ୟାଙ୍କର୍‌ର ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ସମସ୍ତ ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ପ୍ରତ୍ୟେକ ଗ୍ରାମ ପାଇଁ ଜଣେ ଲେଖାଏଁ ନୋଡାଲ୍ ଅଧିକାରୀ ନିଯୁକ୍ତ କରାଯାଇଛନ୍ତି । ସେମାନେ ସମନ୍ୱୟ ରକ୍ଷା କରିବା ସହ ଗ୍ରାମବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଣ ସୁନିଶ୍ଚିତ କରିବେ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସଡ଼କ ଓ ବିଦ୍ୟୁତ୍ ସଂଯୋଗ ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି।

  • ୩ ତାରିଖ ଯାଏଁ ସ୍କୁଲ ବନ୍ଦ
ଅସୁରକ୍ଷିତ ଓ ବିପଦପୂର୍ଣ୍ଣ କୋଠାଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ୪ଟି ବ୍ଲକ୍‌ରେ ଭୂସ୍ଖଳନପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ସେହି ଅନୁଯାୟୀ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

  • ଗଜପତି ଜିଲ୍ଲାର ପୂର୍ବ-ପ୍ରସ୍ତୁତି
ଜିଲ୍ଲାରେ ପ୍ରାୟ ୫୧୨ଟି ବିକଳ୍ପ ସୁରକ୍ଷିତ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଥିବାବେଳେ ୬ଟି ସ୍ଥାୟୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଏହି ସମସ୍ତ ଆଶ୍ରୟସ୍ଥଳୀର ମୋଟ ଧାରଣ କ୍ଷମତା ପ୍ରାୟ ୩୫,୦୦୦ ରହିଛି । ଆବଶ୍ୟକତା ଅନୁଯାୟୀ ଜନସାଧାରଣଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ଏହି ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ବଂଶଧାରା ନଦୀର ଜଳସ୍ତର ଉପରେ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ମହେନ୍ଦ୍ରତନୟା ନଦୀର ଜଳସ୍ତର ବର୍ତ୍ତମାନ ସତର୍କ ସୂଚନା ସ୍ତର ଓ ବିପଦ ସଙ୍କେତ ସ୍ତରଠାରୁ ଯଥେଷ୍ଟ ତଳେ ରହିଛି। ଜନସାଧାରଣଙ୍କୁ ସଚେତନ କରିବା ଏବଂ ଆବଶ୍ୟକୀୟ ସତର୍କତା ସୂଚନା ପ୍ରଦାନ ପାଇଁ ମାଇକ୍ ଯୋଗେ ପ୍ରଚାର କାର୍ଯ୍ୟ ଆରମ୍ଭ କରାଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବନ୍ୟା ପରେ ପୁଣି ଆଲୋକିତ ହେଲା ଆସିକା; ସହରରରେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ

ଆଶ୍ରୟସ୍ଥଳୀ ଏବଂ ବିଭିନ୍ନ ଗ୍ରାମରେ ଆବଶ୍ୟକତା ଅନୁଯାୟୀ ନିୟୋଜିତ ହେବା ପାଇଁ ଡାକ୍ତରୀ ଦଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ କରାଯାଇନାହିଁ। ଆଜିର ବର୍ଷାର ପରିମାଣ ଏବଂ ଆଗାମୀ ଦୁଇ ଦିନର ପାଣିପାଗ ପୂର୍ବାନୁମାନକୁ ଆଧାର କରି ଏ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ସମୟରେ ରାସ୍ତାଘାଟ, ପୋଲ ଆଦିର ପ୍ରମୁଖ ପୁନରୁଦ୍ଧାର କାର୍ଯ୍ୟ ପ୍ରାୟତଃ ସମ୍ପନ୍ନ ହୋଇଛି। ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ଏଥିସହ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ଆବଶ୍ୟକୀୟ ଟିମ୍ ଗଠନ କରାଯାଇ କାର୍ଯ୍ୟକ୍ଷମ ରଖାଯାଇଛି।