Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମସ୍ତ ଥାନା ଅଞ୍ଚଳରେ ଆହୁରି କଡ଼ାକଡ଼ି ହେବ ବିଟ୍ ପେଟ୍ରୋଲିଂ; DGPଙ୍କ ନିର୍ଦ୍ଦେଶ

Odisha

Police Briefing Parade / ସମସ୍ତ ଥାନା ଅଞ୍ଚଳରେ ଆହୁରି କଡ଼ାକଡ଼ି ହେବ ବିଟ୍ ପେଟ୍ରୋଲିଂ; DGPଙ୍କ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ସମସ୍ତ ଥାନା ଅଞ୍ଚଳରେ ଆହୁରି କଡ଼ାକଡ଼ି ହେବ ବିଟ୍ ପେଟ୍ରୋଲିଂ; DGPଙ୍କ ନିର୍ଦ୍ଦେଶ
Big Action Plan by Odisha Police

Key Points

ଥାନା ଅଞ୍ଚଳରେ ଆଇନ୍-ଶୃଙ୍ଖଳା, ଅପରାଧ, ଅପରାଧୀଙ୍କ କାର୍ଯ୍ୟକଳାପ ଓ ଜାରି ରହିଥିବା ତଦନ୍ତର ହେବ ସମୀକ୍ଷା । ପ୍ରତିଦିନ ପୂର୍ବାହ୍ନ ୯ଟା ପୂର୍ବରୁ ରାଜ୍ୟର ସମସ୍ତ ଥାନାରେ ନିୟମିତ ଭାବେ ହେବ 'ବ୍ରିଫିଂ ପରେଡ୍' ।
ଭୁବନେଶ୍ଵର: ପ୍ରତିଦିନ ଥାନାରେ ହେବ 'ବ୍ରିଫିଂ ପରେଡ୍' । ସିଠକ୍ ପାଳନ ଓ ନିୟମିତ କରିବେ ଉଚ୍ଚ ଅଧିକାରୀ । ଥାନା ଅଞ୍ଚଳରେ ଆଇନ୍-ଶୃଙ୍ଖଳା, ଅପରାଧ, ଅପରାଧୀଙ୍କ କାର୍ଯ୍ୟକଳାପ ଓ ଜାରି ରହିଥିବା ତଦନ୍ତର ହେବ ସମୀକ୍ଷା । ରବିବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ସାଧାରଣ ଲୋକଙ୍କ ସହ ପୋଲିସର ସମନ୍ୱୟ ଏବଂ ପୋଲିସିଂ ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଲୋକାଭିମୁଖୀ କରିବା ନେଇ ବିସ୍ତୃତ ସମୀକ୍ଷା କରାଯାଇଛି ।

ଏଥିସହ ପଢ଼ନ୍ତୁ: ବାଲିଅନ୍ତା ପିଟି ପିଟି ହତ୍ୟା ଘଟଣାରେ ବଡ଼ ଆକ୍ସନ; ୪ ପୋଲିସ ସସପେଣ୍ଡ୍ 

ଡିଜିପି ସମସ୍ତ ଜିଲ୍ଲାର ଏସପି ଏବଂ ରେଞ୍ଜ ଆଇଜି/ଡିଆଇଜିମାନଙ୍କୁ ଅପରାଧ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଓ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ସହ ପୋଲିସର ଆସ୍ଥା ଓ ସମନ୍ଵୟକୁ ଆହୁରି ମଜଭୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜରୁରୀକାଳୀନ ସହାୟତା ଯାନ (ERV)ରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ବୃତ୍ତିଗତ ଓ ବ୍ୟବହାରିକ ତାଲିମ ପ୍ରଦାନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏପରି ତାଲିମ ଦ୍ୱାରା ଜଟିଳ ଓ ଜରୁରୀ ପରିସ୍ଥିତିରେ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ତ୍ୱରିତ ପ୍ରତିକ୍ରିୟା କ୍ଷମତା ଆହୁରି ବୃଦ୍ଧି ପାଇବ ବୋଲି ପୋଲିସ ଡିଜି ଆଶାବ୍ୟକ୍ତ କରିଛନ୍ତି ।

ଏହା ସହ ପ୍ରତିଦିନ ପୂର୍ବାହ୍ନ ୯ଟା ପୂର୍ବରୁ ରାଜ୍ୟର ସମସ୍ତ ଥାନାରେ ନିୟମିତ ଭାବେ 'ବ୍ରିଫିଂ ପରେଡ୍' ଅନୁଷ୍ଠିତ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏହାର ସଠିକ୍ ପାଳନ ଏବଂ ନିୟମିତ ମନିଟରିଂ ସୁନିଶ୍ଚିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବ୍ରିଫିଂ ପରେଡ୍ ପରେ ସମ୍ପୃକ୍ତ ଥାନା ଅଞ୍ଚଳର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ପ୍ରବଣ ଅଞ୍ଚଳ, ଅପରାଧୀଙ୍କ ଚଳଚଳନ ଏବଂ ଚାଲୁଥିବା ତଦନ୍ତ ସମ୍ପର୍କରେ ସମୀକ୍ଷା ଓ ଆଲୋଚନା କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି । ଏହା ଦ୍ୱାରା ଥାନା ସ୍ତରରେ ସମନ୍ୱୟ, ସତର୍କତା ଓ ତ୍ୱରିତ ପ୍ରତିକ୍ରିୟା କ୍ଷମତା ଆହୁରି ସୁଦୃଢ ହେବ ବୋଲି କହିଛନ୍ତି ।

ଏହା ବ୍ୟତୀତ ରାଜ୍ୟରେ ଆଇନ-ଶୃଙ୍ଖଳାକୁ ଆହୁରି ସୁଦୃଢ କରିବା ପାଇଁ ଡିଜିପି ବିଭିନ୍ନ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଜାରି ଥିବା NBW (Non-Bailable Warrant) ଗୁଡ଼ିକର ତ୍ଵରିତ କାର୍ଯ୍ୟକାରୀ, ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧୀମାନଙ୍କ ବିରୋଧରେ NSA ଅଧୀନରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ନିଶାଦ୍ରବ୍ୟ କାରବାର ରୋକିବା ପାଇଁ ଜୋରଦାର ଚଢ଼ାଉ ଅଭିଯାନ ଚଲାଇବାକୁ ସେ ଗୁରୁତ୍ୱାରୋପ କରିଛନ୍ତି ପୋଲିସ ଡିଜି ।

ସେହିପରି ସମସ୍ତ ଥାନା ଅଞ୍ଚଳରେ ବିଟ୍ ପେଟ୍ରୋଲିଂକୁ ଆହୁରି ସକ୍ରିୟ କରିବା, ଜାତୀୟ ରାଜପଥରେ ନିୟମିତ ପେଟ୍ରୋଲିଂ ବୃଦ୍ଧି କରିବା ସହ ଅସଦାଚରଣ ଓ ଅପରାଧ ପ୍ରବଣ ଘଟଣା ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଗଜପତି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ଦାଦାଗିରି 

ଏହା ସହ ହତ୍ୟା ଭଳି ଗୁରୁତର ମାମଲାଗୁଡ଼ିକୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଦ୍ୱାରା ନିୟମିତ ଭାବେ ମନିଟରିଂ କରି ଅଭିଯୁକ୍ତଙ୍କ ଶୀଘ୍ର ଗିରଫଦାରୀ, ଦୃଢ ତଦନ୍ତ ଏବଂ ଆଇନ ଅନୁଯାୟୀ ଦଣ୍ଡାଦେଶ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

ଆଗାମୀ ୧୫ ଦିନ ମଧ୍ୟରେ ପୋଲିସର ସକାରାତ୍ମକ କାର୍ଯ୍ୟ, ତ୍ୱରିତ ପଦକ୍ଷେପ ଓ ଜନସେବାମୂଳକ ଭୂମିକା ସମ୍ପର୍କରେ ସାଧାରଣ ଲୋକ ଅବଗତ ହେବା ଉଚିତ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ବୈଠକରେ ଡିଜିପି (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଗୁଇନ୍ଦା (ନିର୍ଦ୍ଦେଶକ) ଆର.ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha DGP Orders Strict Measures to Strengthen Law and Order | Argus News | Argus News