Videos
|
Odisha

Dharmendra Pradhan / ଦେବଗଡ଼ରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ସ୍ୱାଧୀନତା ଦିବସ ପାଳିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ଦେବଗଡ଼ରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ସ୍ୱାଧୀନତା ଦିବସ ପାଳିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
Dharmendra Pradhan

Key Points

ଝରବାହାଳ ଏସ.ଏସ.ଡି. ସ୍କୁଲରେ ଛାତ୍ରଛାତ୍ରୀଙ୍କ ଗହଣରେ ପତାକା ଉତ୍ତୋଳନ କଲେ
ଜନଜାତି ସମାଜର ପ୍ରତିଭାମାନେ ହିଁ ବିକଶିତ ଭାରତର ଆଧାର କହିଲେ
'ତ୍ରିରଙ୍ଗା ଭାରତର ଏକତା, ବିବିଧତା ଏବଂ ଗର୍ବର ଜୀବନ୍ତ ପ୍ରତୀକ'

ଦେବଗଡ଼/ବାରକୋଟ: ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍‌ ସ୍ଥିତ ଝାରବାହାଲ ଏସ.ଏସ.ଡି. ହାଇସ୍କୁଲ ପରିସରରେ ସ୍ୱାଧୀନତା ଦିବସ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ଜାତୀୟ ପତାକା ତ୍ରିରଙ୍ଗାକୁ ଭାରତର ଏକତା, ବିବିଧତା ଏବଂ ଗର୍ବର ଜୀବନ୍ତ ପ୍ରତୀକ ଭାବେ ଅଭିହିତ କରିଥିଲେ ପ୍ରଧାନ । ଏହି ଅବସରରେ ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ପୌଡ଼ି ଭୂୟାଁ (ପିଭିଟିଜି) ଓ ମୁଣ୍ଡା ସମ୍ପ୍ରଦାୟରୁ ଆସିଥିବା ପ୍ରତିଭାବାନ୍ ଛାତ୍ରଛାତ୍ରୀମାନଙ୍କ ସହ ସେ ଭାବବିନିମୟ କରିଥିଲେ ।

ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଧର୍ମେନ୍ଦ୍ର କହିଥିଲେ, "ଗ୍ରାମାଞ୍ଚଳ ଓ ଆଦିବାସୀ ମାଟିରୁ ବାହାରୁଥିବା ଏହି କୋମଳମତି ପ୍ରତିଭାମାନେ ହିଁ କାଲିର ନୂତନ ଭାରତର ଭିତ୍ତିଭୂମି । ସେମାନଙ୍କ ଆଖିରେ ଥିବା ଉଚ୍ଚ ଆକାଂକ୍ଷା, ସ୍ୱପ୍ନ ଓ ସାହସ ସତରେ ପ୍ରେରଣାଦାୟୀ । କେବଳ ଚାକିରି ଖୋଜିବା ନୁହେଁ, ବରଂ ନିଜେ ସମର୍ଥ ହୋଇ ଅନ୍ୟମାନଙ୍କୁ ନିଯୁକ୍ତି ଦେବାର ଯେଉଁ ସଂକଳ୍ପ ସେମାନଙ୍କ ମନରେ ରହିଛି, ତାହା ଶିକ୍ଷାର ପ୍ରକୃତ ବିକାଶକୁ ଦର୍ଶାଉଛି । ଜନଜାତି ଶିକ୍ଷାର ବିକାଶ ଓ ଏହି ଶିଶୁମାନଙ୍କ ସାଙ୍ଗଠନିକ ସଶକ୍ତୀକରଣ ହିଁ ଆମର ପ୍ରାଥମିକତା ।"

ପଢନ୍ତୁ ଏହି ଖବର: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ

ଦେବଗଡ଼ର ଐତିହ୍ୟକୁ ସ୍ମରଣ କରି ସେ କହିଥିଲେ ଯେ, ଦେବଗଡ଼ର ଶିକ୍ଷା ଓ ବିକାଶରେ ମହାରାଜା ବାସୁଦେବ ସୁଢ଼ଳ ଦେବ ଏବଂ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଯୁଗାନ୍ତକାରୀ ଅବଦାନ ଅତୁଳନୀୟ । ସେହିପରି ବୀର ସୁରେନ୍ଦ୍ର ସାଏ, ଭଗବାନ ବିର୍ସା ମୁଣ୍ଡା, ଜୟୀ ରାଜଗୁରୁ, ଲକ୍ଷ୍ମଣ ନାୟକ, ବକ୍ସି ଜଗବନ୍ଧୁ ଓ ଶହୀଦ ବାଜି ରାଉତଙ୍କ ଭଳି ମହାନ ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ବଳରେ ଆମେ ସ୍ୱାଧୀନତା ପ୍ରାପ୍ତ କରିଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ବିକଶିତ ଭାରତ' ଆହ୍ୱାନ ବିଷୟରେ ଉଲ୍ଲେଖ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ୨୦୪୭କୁ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପୂରଣ କରିବ । ତେଣୁ ଆଗାମୀ ୧୫ରୁ୨୦ ବର୍ଷ ଆମ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ବିକଶିତ ଭାରତ ପାଇଁ ଓଡ଼ିଶାକୁ ବିକଶିତ କରିବାକୁ ପଡ଼ିବ । ଏହି କୋମଳମତି ଛାତ୍ରଛାତ୍ରୀମାନେ ହିଁ ଆଗାମୀ ଦିନରେ ସମୃଦ୍ଧ ଦେବଗଡ଼, ବିକଶିତ ଓଡ଼ିଶା ଓ ସଶକ୍ତ ଭାରତ ଗଠନର ଆଗଧାଡ଼ିର ନେତୃତ୍ୱ ନେବେ ବୋଲି ସେ କହିଥିଲେ ।


ଏହା ପୂର୍ବରୁ ବାରକୋଟ ଝରବାହାଳଠାରେ ଆୟୋଜିତ 'ତ୍ରିରଙ୍ଗା ଯାତ୍ରା'ରେ ଧର୍ମେନ୍ଦ୍ର ସାମିଲ ହୋଇଥିଲେ । ଦେବଗଡ଼ଠାରେ ‘ଧରତୀ ଆବା’ ଭଗବାନ ବିର୍ସା ମୁଣ୍ଡା ଏବଂ ଭାରତୀୟ ସମ୍ବିଧାନର ପ୍ରଣେତା ଭାରତ ରତ୍ନ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମାତୃଭୂମିର ସ୍ୱାଧୀନତା, ସାମାଜିକ ନ୍ୟାୟ ଓ ଏକତା ପାଇଁ ଏହି ମହାନ ଜନନାୟକମାନଙ୍କ ଅତୁଳନୀୟ ଯୋଗଦାନ ଏବଂ ତ୍ୟାଗ ସଦାସର୍ବଦା ପ୍ରେରଣା ଯୋଗାଇବ ବୋଲି ସେ ପ୍ରକାଶ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: