Videos
|
Odisha

Kotia Row / କୋଟିଆ ସମସ୍ୟାର ସମାଧାନ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
କୋଟିଆ ସମସ୍ୟାର ସମାଧାନ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ
Dharmendra Pradhan Appeals for Unity

Key Points

  • କୋଟିଆ ହେଉଛି ଓଡ଼ିଶାର ଅସ୍ମିତା, ସାର୍ବଭୌମତ୍ୱ ଓ ଅଖଣ୍ଡତାର ପରିଚୟ
  • କୋଟିଆକୁ ନେଇ ସୀମା ବିବାଦ ନିଶ୍ଚୟ ଭାବେ ଚିନ୍ତାଜନକ
  • ସମାଧାନ ପାଇଁ ଦଳମତ ନିର୍ବିଶେଷରେ ଓଡ଼ିଶାର ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ଆହ୍ୱାନ
ଭୁବନେଶ୍ଵର: ପୁଣି ତେଜିଲା କୋଟିଆ ପ୍ରସଙ୍ଗ । କୋରାପୁଟର କୋଟିଆ ଓଡ଼ିଶାର । ଏହି ଦାବିକୁ ପୁଣି ଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୋହରାଇବା ସହ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଓଡ଼ିଶା ଏବଂ ପ୍ରତ୍ୟେକ ଓଡ଼ିଆ ଜାତି ପାଇଁ କୋଟିଆ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଆମେ ସମସ୍ତେ ଜାଣିଛନ୍ତି । କୋଟିଆ ହେଉଛି ଓଡ଼ିଶାର ଅସ୍ମିତା, ସାର୍ବଭୌମତ୍ୱ ଓ ଅଖଣ୍ଡତାର ପରିଚୟ ।"

ଓଡ଼ିଆ ଭାବେ କୋଟିଆକୁ ନେଇ ଦୀର୍ଘ ସମୟ ଧରି ଦେଖାଯାଇଥିବା ସୀମା ବିବାଦ ନିଶ୍ଚୟ ଭାବେ ଚିନ୍ତାଜନକ । ଦଳ ମତ ନିର୍ବିଶେଷରେ ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହୋଇ ମିଳିତ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏଥିସହ ପଢ଼ନ୍ତୁ: AI କ୍ଷେତ୍ରରେ ଓଡ଼ିଆ ପୁଅଙ୍କ ବିପ୍ଳବ; 'GPT-6 Astra'କୁ ଟକ୍କର ଦେବ ‘SKY-001’ 

ପୂର୍ବରୁ ଲେଖିଥିଲେ ଚିଠି

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "ମୁଁ ନିଜେ ଏପ୍ରିଲ ୨୦୧୮, ଫେବ୍ରୁଆରୀ ୨୦୧୯ ଏବଂ ଏପ୍ରିଲ ୨୦୨୩ରେ କୋଟିଆ ଗ୍ରାମକୁ ଗସ୍ତ କରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଥିଲି ।" ଏହି ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ବାରମ୍ବାର ହସ୍ତକ୍ଷେପ ତଥା ସୀମା ବିବାଦକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଧର୍ମେନ୍ଦ୍ର ନଭେମ୍ବର ୧୮, ୨୦୨୦ ଓ ଅକ୍ଟୋବର ୩୧, ୨୦୨୨ରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ସେପ୍ଟେମ୍ବର ୨୨, ୨୦୨୧ରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ ।


ଆଲୋଚନା ମାଧ୍ୟମରେ ସମାଧାନକୁ ଗୁରୁତ୍ଵ

ଏହି ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ଅଞ୍ଚଳର ସମସ୍ୟାର ସମାଧାନ କରିବା ପାଇଁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଚ୍ଚ ସ୍ତରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ଏକ ଅନୁକୂଳ ବାତାବରଣ ତିଆରି କରି ସମାଧାନର ସ୍ଥାୟୀ ବାଟ କାଢ଼ିବା ଆବଶ୍ୟକ ବୋଲି ମତପୋଷଣ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ଏଥିସହ ପଢ଼ନ୍ତୁ: SIR ଝଡ଼କୁ କାଉଣ୍ଟର କରିବାକୁ ବିଜେପିର ସୁପର-ପ୍ଳାନ୍ 

ବ୍ୟର୍ଥ ଯିବନି ବଳିଦାନ

ଓଡ଼ିଶାର ଭୌଗୋଳିକ ସୀମାକୁ ସୁରକ୍ଷିତ ରଖିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର ଏବଂ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଭଳି ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନ କେବେହେଲେ ବ୍ୟର୍ଥ ଯିବ ନାହିଁ । ଓଡ଼ିଆ ଅସ୍ମିତା ପାଇଁ ଆମର ଏହି ନିରନ୍ତର ଲଢ଼େଇ ଜାରି ରହିବ । ଓଡ଼ିଶାର ଏକତା, ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ରକ୍ଷା କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: