Videos
|
Odisha

Diwali 2026 / ସବୁଜ ଦୀପାବଳି ପାଳନ ଲାଗି ସବୁଠି ପ୍ରସ୍ତୁତି; ପିତୃପୁରୁଷଙ୍କୁ ମନେପକାଇ ଜଳି ଉଠିବ କାଉଁରିଆ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ସବୁଜ ଦୀପାବଳି ପାଳନ ଲାଗି ସବୁଠି ପ୍ରସ୍ତୁତି; ପିତୃପୁରୁଷଙ୍କୁ ମନେପକାଇ ଜଳି ଉଠିବ କାଉଁରିଆ
Diwali 2026 Celebrations

Key Points

ଆଜି ଆଲୋକର ପର୍ବ ଦୀପାବଳି
ଉତ୍ସବମୁଖର ପୁରଠୁ ପଲ୍ଲୀ
ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ
ଦୀପାବଳି ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର
‘ପ୍ରଦୂଷଣ ମୁକ୍ତ ଦୀପାବଳି’ର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ
ଚଳଚଞ୍ଚଳ ବରମୁଣ୍ଡା ବାଣ ବଜାର


ଆଲୋକର ପର୍ବ ଦୀପାବଳିକୁ ନେଇ ଉତ୍ସବ ମୁଖର ପୁରଠୁ ପଲ୍ଲୀ । ଘରେ ଘରେ ପିଠାପଣାର ଆସର । ସନ୍ଧ୍ୟାରେ ଦୀପ ଜାଳି ବାଣ ଫୁଟାଇ ହେବ ପର୍ବ ପାଳନ । ପିତୃପୁରୁଷଙ୍କୁ ମନେପକାଇ ଜଳି ଉଠିବ କାଉଁରିଆ । ସବୁଜ ଦୀପାବଳି ପାଳନ ଲାଗି ସବୁଠି ପ୍ରସ୍ତୁତି । ବାଲୁକା କଳାରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସେପଟେ ଆଜି ସୀମାରେ ବୀର ଯବାନଙ୍କ ଗହଣରେ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ମଧ୍ୟ ସେ ନିଜର ପରମ୍ପରା ବଜାୟ ରଖି ଦେଶର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଲୋକର ଏହି ପର୍ବ ଅନ୍ଧକାର ବିରୋଧରେ ଲଢ଼େଇ କରିବାର ସଙ୍କଳ୍ପ ଦେଇଥାଏ । ଏହାସହ ସେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କୁ ଭେଟି ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୀପାବଳିର ଅମ୍ଳାନ ଦୀପ ମଣିଷ ଜୀବନରେ ଅଜ୍ଞାନତାର ଅନ୍ଧାର ଦୂର କରି ଜ୍ଞାନର ଆଲୋକ ଖେଳାଇଥାଏ । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସବୁଜ ଦୀପାବଳି ପାଳନ ଲାଗି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଲୋକର ପର୍ବ ଦୀପାବଳି ଅବସରରେ ଶୁଭକାମନା ଜଣାଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧିରେ ଭରିଯାଉ ବୋଲି ସେ ମା' ଲକ୍ଷ୍ମୀ ଓ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।


  • ଦୀପାବଳି ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର
ଆଜି ଆଲୋକର ପର୍ବ ଦୀପାବଳି ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। କାର୍ତ୍ତିକ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପୟା ଶ୍ରାଦ୍ଧ ଦେବାକୁ ଶ୍ରୀକ୍ଷେତ୍ରରେ ଜମୁଛି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ। ଆଶ୍ୱିନ ମାସର ଦେଵୀପକ୍ଷରେ ପିତୃପୁରୁଷଙ୍କୁ ମର୍ତ୍ତ୍ୟଲୋକକୁ ଆବାହନ କରାଯାଉଥିବା ବେଳେ କାର୍ତ୍ତିକ ଅମାବାସ୍ୟା ତିଥିରେ ଆଲୋକ ବର୍ତ୍ତିକା ଦେଖାଇ ପିତୃଲୋକଙ୍କୁ ଧରା ପୃଷ୍ଠରୁ ବିଦାୟ ଦେବାର ରହିଛି ପରମ୍ପରା । ତେବେ ଆଜି ପୂର୍ବାହ୍ନ ୧୧ଟା ୨୮ରୁ ଅମାଵାସ୍ୟା ତିଥି ପ୍ରବେଶ କରିବ ।

  • ଆସନ୍ତାକାଲି ଶ୍ରୀମନ୍ଦିରରେ ଅମାବାସ୍ୟା ନୀତି ପାଳନ
ସୂର୍ଯ୍ୟ ଉଦୟ ସମୟରେ ଅମାବାସ୍ୟା ତିଥି ନଥିବାରୁ ଶ୍ରୀମନ୍ଦିରରେ ଆଜି ଅମାବାସ୍ୟା ନୀତି ତଥା ସାଗର ବିଜେ ନୀତି କରାଯିବ ନାହିଁ । ଆସନ୍ତାକାଲି ଶ୍ରୀମନ୍ଦିରରେ ଅମାବାସ୍ୟା ନୀତି ପାଳିତ ହେବ । ଆଜି କିନ୍ତୁ ପ୍ରଦୋଷରେ ଅର୍ଥାତ୍ ସନ୍ଧ୍ୟାରେ ଆମାବାସ୍ୟା ତିଥି ରହିଥିବାରୁ ପୟା ଶ୍ରାଦ୍ଧ, ଦୀପାବଳି ଓ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ । ଏନେଇ ଶ୍ରୀକ୍ଷେତ୍ରରେ ୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସିଂହଦ୍ୱାର ପୂର୍ବ ଦକ୍ଷିଣ କୋଣରେ ଏମାର ମଠ ଚକଡାରେ ୪ଟି ବକ୍ସ ବ୍ୟାରିକେଡ଼ କରାଯାଇ କାଉଁରିଆ ଜାଳିବାକୁ ପ୍ରସ୍ତୁତ ହୋଇଛି । ସେହିଭଳି ଅଗ୍ନିଶମ ବିଭାଗକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ପଢନ୍ତୁ ଏହି ଖବର: ଦୀପାବଳିରେ ହାଇ ଆଲର୍ଟରେ ପୋଲିସ, ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା

  • ୧୦୦୮ ମାଟି ଦୀପ ସହ ‘ପ୍ରଦୂଷଣ ମୁକ୍ତ ଦୀପାବଳି’ର ବାର୍ତ୍ତା
ଦୀପାବଳି ଅବସରରେ ପୁରୀ ବେଳାଭୂମିରେ ପ୍ରଦୂଷଣମୁକ୍ତ ଦୀପାବଳି ପାଳନ ପାଇଁ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। “ପ୍ରଦୂଷଣରେ ନୁହେଁ, ଦୀପାବଳିର ଆଲୋକରେ ଉଜ୍ଜଳ ହେଉ ଜୀବନ” ବାର୍ତ୍ତା ଦେଇ ସେ ଏହି ସୁନ୍ଦର କଳାକୃତି ପ୍ରସ୍ତୁତ କରିଛନ୍ତି। ପ୍ରାୟ ୬ ଫୁଟ ଉଚ୍ଚ ଓ ୨୫ ଫୁଟ ଚଉଡ଼ା ଏହି ବାଲୁକା କଳାରେ ଭଗବାନ ଶ୍ରୀରାମଙ୍କର ଏକ ବିଶାଳ ଧନୁଷ ପ୍ରତିକୃତି ତିଆରି କରାଯାଇଛି । ଏଥିରେ ୧୦୦୮ଟି ମାଟି ଦୀପ ସ୍ଥାପନ କରାଯାଇଛି, ଯାହାକି ଦର୍ଶକଙ୍କ ମନ କିଣିବା ସହ ସମାଜକୁ ଏକ ବାର୍ତ୍ତା ଦେଉଛି। ପ୍ରଭୁ ଶ୍ରୀରାମ ଅଯୋଧ୍ୟା ଫେରିବା ଖୁସିରେ ଆମେ ଦୀପାବଳି ପାଳନ କରୁଥିବା ବେଳେ ଶ୍ରୀରାମଙ୍କ ଧନୁ ଧରିଥିବା ମୁଦ୍ରାର ଏହି ପ୍ରତିକୃତିକୁ ଦେଖିବା ପାଇଁ ବେଳାଭୂମିରେ ଶହ ଶହ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି ।

  • ଚଳଚଞ୍ଚଳ ବରମୁଣ୍ଡା ବାଣ ବଜାର
ଦୀପାବଳି ପାଇଁ ବରମୁଣ୍ଡା ବାଣ ବଜାରରେ ଗ୍ରାହକଙ୍କ ଭିଡ଼ । ବଜାରରେ ଉପଲବ୍ଧ ରହିଛି ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଗ୍ରୀନ୍ କ୍ରାକର୍ସ । ଛୋଟ ପିଲାଙ୍କ ପାଇଁ ଚକ୍ରି, କୁମ୍ଭି, ସଟ୍‌ ସମେତ ଅନେକ ପ୍ରକାରର ବାଣ ରହିଥିବା ବେଳେ ରଙ୍ଗବେରଙ୍ଗ ଓ ଫ୍ୟାନ୍ସି ବାଣ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ୫ ଟଙ୍କାରୁ ଆରମ୍ଭ କରି ୮ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ବାଣର ଦର । ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ବାଣ ଦରରେ ୫ରୁ ୧୦ ପ୍ରତିଶତ ବୃଦ୍ଧି ହୋଇଥିବା କହିଛନ୍ତି ବ୍ୟବସାୟୀ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: