ଉପକୂଳରୁ ଉପାନ୍ତ ସବୁଠି ମଣ୍ଡି ଟେନସନ୍, ପ୍ରଶାସନର ନିରବତା ନେଇ ରାଜ୍ୟ ସାରା ତୀବ୍ର ଚାଷୀ ଅସନ୍ତୋଷ

ଅର୍ଗସ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ଧାନ ମିଲରଙ୍କର ଅଘୋଷିତ ଷ୍ଟାଇକ୍ । ମଣ୍ଡିରେ ଚାଷୀ ବିକ୍ରି କରିପାରୁ ନାହାନ୍ତି ଧାନ । ଶୀତ କାକରରେ ଧାନ ବସ୍ତା ଜଗି ପଡ଼ିରହିଛନ୍ତି ଅନ୍ନଦାତା । ସପ୍ତାହେ ହେଲାଣି ଜିଲ୍ଲା ସାରା ଗୋଟିଏ ହେଲେ ବି ମଣ୍ଡିରୁ ଉଠିପାରିନି ଚାଷୀଙ୍କ ଧାନ। ହେଲେ ବେଫିକର ଜିଲ୍ଲା ପ୍ରଶାସନ । ଏହା ବିରୋଧରେ ନବରଙ୍ଗପୁର, ଧଣ୍ଡରା ଛକରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ନବରଙ୍ଗପୁରରୁ ଖାତିଗୁଡ଼ାକୁ ଯାଆସ ବାଧାପ୍ରାପ୍ତ ହୋଇଛି । ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଚାଷୀ ।
ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ୪୫ ହଜାର ୮୦୯ ଜଣ ଚାଷୀ ମଣ୍ଡିରେ ଧାନ ବିକିବାକୁ ନାମ ପଞ୍ଜିକରଣ କରିଛନ୍ତି । ୬୦ ମଣ୍ଡି ମାଧ୍ୟମରେ ୨୦ ଲକ୍ଷ ୮୨ ହଜାର କୁଇଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରଖାଯାଇଛି । ମଣ୍ଡି ଆରମ୍ଭ ହେବାର ପ୍ରଥମ ୧୫ ଦିନରେ ପ୍ରାୟ ୮ ହଜାର ଚାଷୀଙ୍କଠାରୁ ୩ ଲକ୍ଷ ୮୫ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି । ଅର୍ଥାତ ଆହୁରି ୧୭ଲକ୍ଷ କ୍ବିଣ୍ଟାଲ ଧାନ ବିକ୍ରି ବାକି ରହିଛି । ହେଲେ ମଲରଙ୍କ ମନମାନି ଯୋଗୁଁ ମଣ୍ଡି ବନ୍ଦ ପଡ଼ିଛି । ମିଲର ଡ୍ରାଇଭର ସଂଘର ଆନ୍ଦୋଳନକୁ ଆଳ କରୁଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଆକ୍ସନ ବଦଳରେ ଖାଲି ଆଶ୍ବାସନା ଦେଇଚାଲାଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ବାଲେଶ୍ଵର ଭୋଗରାଇରେ ମଧ୍ୟ ସମାନ ସ୍ଥିତି । ପ୍ରଥମେ ତ ବିଳମ୍ବରେ ଖୋଲିଲା ମଣ୍ଡି । ଯାହାର ଫାଇଦା ନେଇ ପଶ୍ଚିମବଙ୍ଗ ବେପାରୀ ଆସି ଚାଷୀଙ୍କଠାରୁ ଶସ୍ତାରେ ଧାନ ନେଇଗଲେ । ଯେଉଁ ଚାଷୀ ମଣ୍ଡିରେ ବିକିବାକୁ ଆଶା ରଖିଥିଲେ ସେମାନଙ୍କୁ କଟନୀ ଛଟନୀ ନାଁରେ କରାଯାଉଛି ଶୋଷଣ । ଏହା ପ୍ରତିବାଦରେ ଚାଷୀ ୫୭ ନମ୍ବର ରାଜ୍ୟ ରାଜପଥର ଜଳେଶ୍ବର- ଚନ୍ଦନେଶ୍ବର ମୁଖ୍ୟ ରାସ୍ତାକୁ ବାଉଁଶଡିହା ପାଖରେ ଧାନ ବସ୍ତା ପକାଇ ଦୀର୍ଘ ଘଣ୍ଟା ଧରି ଅବରୋଧ କରିଥିଲେ । ଘଟଣାସ୍ଥଳକୁ ଆସି ତହସିଲଦାର ଚାଷୀଙ୍କ ସହ ଆଲୋଚନା କରିଥିଲେ । ଚାଷୀଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ମିଲରଙ୍କୁ ତାଗିଦ କରିଥିଲେ । ତେବେ ବ୍ଲକ୍ ସମବାୟ ସମ୍ପ୍ରସାରଣ ଅଧିକାରୀ କିଛି ନଜାଣିବା ପରି ଚାଷୀଙ୍କ ଅଭିଯୋଗକୁ ଏଡ଼ାଇଯାଇଥିଲେ ।
ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୭ରେ ଆନୁଷ୍ଠାନିକ ଭାବେ ମଣ୍ଡି ଉଦଘାଟନ କରିଥିଲା ଜିଲ୍ଲା ପ୍ରଶାସନ । ତେବେ ବର୍ତ୍ତମାନ ଯାଏ ୧୬୮ ଟି ମଣ୍ଡିରୁ କୌଣସି ଗୋଟିଏ ବି ମଣ୍ଡି ଖୋଲିପାରିଲା ନାହିଁ । ଫଳରେ ଅଭାବୀ ବିକ୍ରୀର ଶିକାର ହୋଇଛି ନୟାଗଡ଼ ଚାଷୀ । ଏବେ ଗାଁ ଗାଁରେ ବୁଲୁଛନ୍ତି ଆନ୍ଧ୍ର ଓ ଛତିଶଗଡ଼ର ଦଲାଲ । ଧାନ କୁଇଣ୍ଟାଲ ପିଛା ୧୨୦୦ ରୁ ୧୫୦୦ ଟଙ୍କାରେ ଦଲାଲଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।
ନୟାଗଡ଼ ଜିଲ୍ଲାରେ ମଣ୍ଡି ଖୋଲିବା ବିଳମ୍ବ ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା । ମିଲର - ପ୍ରଶାସନ ମଧୁଚନ୍ଦ୍ରିକା ଯୋଗୁଁ ମଣ୍ଡି ଖୋଲୁନଥିବା ଅଭିଯୋଗ କରିଛନ୍ତି ଚାଷୀ ନେତା । ସାରା ରାଜ୍ୟରେ ତେଜୁଛି ଚାଷୀ ଅସନ୍ତୋଷ। ଏବେ ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ରାଜ୍ୟ ସରକାର ? ଚାଷୀ ନା ମିଲର ? ଅଭାବୀ ବିକ୍ରିର ଶିକାର ଅନ୍ନଦାତାଙ୍କର କ୍ରୋଧର ସାମ୍ନା କରିପାରିବେତ ୨୪ ବର୍ଷର ବିଜେଡି ସରକାର ?