Videos
|
Odisha

Odisha Flood / ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ଅବପାତ ଜନିତ ବନ୍ୟାରେ ଛାରଖାର ଗଞ୍ଜାମ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ଅବପାତ ଜନିତ ବନ୍ୟାରେ ଛାରଖାର ଗଞ୍ଜାମ
Flood Havoc Wreaks Ganjam District

Key Points

  • ପୁରୁଷୋତ୍ତମପୁର, ଧରାକୋଟ, ସୋରଡ଼ାରେ ଦୁର୍ଦ୍ଦଶାର କରାଳ ଚିତ୍ର
  • ରାସ୍ତାଘାଟ ଓ ସାହିବସ୍ତିରେ ଜମି ରହିଛି ବ୍ୟାପକ କାଦୁଅ ଓ ଅଳିଆ ଆବର୍ଜନା
  • ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ଭିତରେ ପଶିଥିଲା ପ୍ରାୟ ସାଢ଼େ ୪ ଫୁଟ୍‌ର ପାଣି
  • ଦିଗପହଣ୍ଡିରେ ବନ୍ୟା ପ୍ରଭାବରେ ଏକାଥରକେ ଭାଙ୍ଗିଲା ୯ଟି ଘର
  • ଧରାକୋଟ ବ୍ଲକ ସିଙ୍ଗିପୁର ଗ୍ରାମରେ ପଶିଲା ୧୨ ଫୁଟ୍‌ର ପାଣି
ବ୍ରହ୍ମପୁର: ବାତ୍ୟା 'ଅର୍ଣ୍ଣବ' ଗଲା, ହେଲେ ଗଞ୍ଜାମ ଜିଲ୍ଲାରେ ଛାଡ଼ିଗଲା ଦୁର୍ଦ୍ଦଶାର କରାଳ ଚିତ୍ର । ଅବପାତ ଜନିତ ପ୍ରଳୟଙ୍କରୀ ବନ୍ୟାରେ ସମ୍ପୂର୍ଣ୍ଣ ବେହାଲ ହୋଇ ପଡ଼ିଛି ପୁରୁଷୋତ୍ତମପୁର, ଧରାକୋଟ ଏବଂ ସୋରଡ଼ା ଅଞ୍ଚଳ । କାହାର ଘର ଭାଙ୍ଗିଛି ତ ଆଉ କାହାର ବର୍ଷକର ପରିଶ୍ରମ ଉଜୁଡ଼ି ଯାଇଛି । ବନ୍ୟାଜଳ ହ୍ରାସ ପାଇବା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ବାତ୍ୟା ଅର୍ଣ୍ଣବ ପରେ ଅବପାତ ଜନିତ ବନ୍ୟାରେ ଛାରଖାର ହୋଇପଡ଼ିଛି ଗଞ୍ଜାମ । ପୁରୁଷୋତ୍ତମପୁର ସହରରୁ ବନ୍ୟାଜଳ ଛାଡ଼ିବା ପରେ ସହରର ବିଭିନ୍ନ ରାସ୍ତାଘାଟ, ସାହି ବସ୍ତି ଓ ବଜାର ଅଞ୍ଚଳରେ କାଦୁଅ ଓ ଅଳିଆ ଆବର୍ଜନାର ପାହାଡ଼ ଜମି ରହିଥିଲା । ଯାହାକୁ ନେଇ ଏବେ ସଫେଇ ଅଭିଯାନ ଜୋରଦାର କରିଛି ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ।

ଏଥିସହ ପଢ଼ନ୍ତୁ: ସରିଲା ବର୍ଷା ଆସୁଛି ଶୀତ; ୨ରୁ ୫ ଡିଗ୍ରୀ କମିବ ରାତି ତାପମାତ୍ରା 

ସହରକୁ ସ୍ଵଚ୍ଛ ରଖିବା ସହ ମହାମାରୀ ଓ ସଂକ୍ରମଣ ଆଶଙ୍କା ଦୂର କରିବା ପାଇଁ ବ୍ୟାପକ ସାନିଟେସନ କାର୍ଯ୍ୟ ଚାଲିଛି । ଏହି ସଫେଇ କାର୍ଯ୍ୟକୁ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଉଚ୍ଚ ପଦାଧିକାରୀମାନେ ନିଜେ ଉପସ୍ଥିତ ରହି ତଦାରଖ କରୁଛନ୍ତି ।

ବନ୍ୟାର ଦୁର୍ଦ୍ଦଶାରୁ ବାଦ୍ ପଡ଼ିନି ସରକାରୀ କାର୍ଯ୍ୟାଳୟ । ଖୋଦ୍ ପୁରୁଷୋତ୍ତମପୁର ତହସିଲ୍ ଅଫିସ୍ ଭିତରେ ପ୍ରାୟ ସାଢ଼େ ୪ ଫୁଟ ଉଚ୍ଚର ବନ୍ୟା ପାଣି ପଶିଥିଲା । ପାଣି କମିବା ପରେ ଏବେ ସବୁଆଡ଼େ କାଦୁଅର ଆସ୍ତରଣ ଜମିଛି । ସବୁଠାରୁ ବଡ଼ ଚିନ୍ତା ହେଉଛି ଓଦା ହୋଇଯାଇଥିବା ଜରୁରୀ ସରକାରୀ ନଥିପତ୍ର । କାଗଜ ନଷ୍ଟ ହେବା ଭୟରେ ଏବେ ଖୋଲା ସ୍ଥାନରେ ଫ୍ୟାନ୍ ଲଗାଇ ଫାଇଲ୍ ଶୁଖାଇବାକୁ ଚେଷ୍ଟା କରାଯାଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅପରପକ୍ଷରେ ଗ୍ରାମାଞ୍ଚଳରେ ବନ୍ୟାର ଚିତ୍ର ଆହୁରି ଛାତିଥରା । ଦିଗପହଣ୍ଡିରେ ଚାହୁଁ ଚାହୁଁ ଏକାଥରକେ ଭାଙ୍ଗିଯାଇଛି ୯ଟି ଘର । ଘର ଭିତରେ ଫସି ରହିଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ପ୍ରଶାସନ ଉଦ୍ଧାର କରି ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି ।

ସେହିପରି ଧରାକୋଟ ବ୍ଲକର ସିଙ୍ଗିପୁର ଗ୍ରାମରେ ପ୍ରାୟ ୧୨ ଫୁଟ୍ ଉଚ୍ଚର ପାଣି ପଶିବା ଫଳରେ ଚାଷୀଙ୍କ ଧାନ, ଚିନାବାଦାମ ଓ ପରିବା ଫସଲ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି । ସୋରଡ଼ା ବ୍ଲକ ହୁକୁମା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ମଧ୍ୟ କୋବି, କଲରା ଓ ବାଇଗଣ ଭଳି ଲକ୍ଷାଧିକ ଟଙ୍କାର ପନିପରିବା ଫସଲ ବନ୍ୟା ପାଣିରେ ଭାସି ଯାଇଛି । ଲକ୍ଷ ଲକ୍ଷ ଟଙ୍କା ଋଣ କରି ଚାଷ କରିଥିବା ଚାଷୀ ଏବେ ସମ୍ପୂର୍ଣ୍ଣ ଚିନ୍ତାରେ ।

ଏଥିସହ ପଢ଼ନ୍ତୁ: କୋଟିଆର ୨୧ ଗାଁରେ ଲାଗିଲା BNSSର ୧୬୩ ଧାରା; ୫ରୁ ଅଧିକ ଲୋକ ଏକାଠି ମନା 

ବାତ୍ୟା ଗଲା ପରେ ଗଞ୍ଜାମ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ଗୁଡ଼ିକ ଏବେ ଧିରେ ଧିରେ ସ୍ବାଭାବିକ ଅବସ୍ଥାକୁ ଫେରୁଛି ସତ, ହେଲେ ଲୋକଙ୍କ ଆଖିରୁ ପ୍ରଳୟଙ୍କରୀ ବନ୍ୟାର ଭୟ ଏବଂ ଦୁର୍ଦ୍ଦଶାର ଚିତ୍ର ଏବେ ବି ଲିଭିନାହିଁ । ପ୍ରଶାସନ ପକ୍ଷରୁ ସଫେଇ ଏବଂ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସର୍ବସ୍ବ ହରାଇଥିବା ଚାଷୀ ଏବଂ ଗରିବ ଲୋକମାନେ ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ।