Videos
|
Odisha

Ganjam Section 30 / ଗଞ୍ଜାମରେ ସଭା ସମିତି ଓ ଶୋଭାଯାତ୍ରା କଲେ ଅନୁମତି ବାଧ୍ୟତାମୂଳକ; ଲାଗୁ ହେଲା ଧାରା-୩୦

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଗଞ୍ଜାମରେ ସଭା ସମିତି ଓ ଶୋଭାଯାତ୍ରା କଲେ ଅନୁମତି ବାଧ୍ୟତାମୂଳକ; ଲାଗୁ ହେଲା ଧାରା-୩୦
Ganjam Section 30

Key Points

ଗଞ୍ଜାମରେ ଶୋଭାଯାତ୍ରା କଲେ ଅନୁମତି ବାଧ୍ୟତାମୂଳକ
୯୦ ଦିନ ପାଇଁ ଲାଗୁ ହେଲା ପୋଲିସ ଆକ୍ଟ-୩୦
କାହିଁକି ଓ କଣ ଏହି ଧାରା-୩୦ ?
ଗଞ୍ଜାମ: ପୋଲିସ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ଏବଂ ରାଜନୈତିକ ଦଳଗୁଡ଼ିକର ସଭା, ସମାବେଶ ଓ ଶୋଭାଯାତ୍ରା ଯୋଗୁଁ ସମ୍ଭାବ୍ୟ ଅଶାନ୍ତିକୁ ଏଡ଼ାଇବା ପାଇଁ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ପୁଲିସ ଆଇନ-୧୯୬୧ର ଧାରା-୩୦ ଲାଗୁ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ନିଷ୍ପତି ଅନୁସାରେ ଗଞ୍ଜାମ ଏସ୍‌ପି ହରିଶ ବି.ସି.ଙ୍କ ଜାରି କରିଥିବା ଆଦେଶ ଅନୁଯାୟୀ ଏହି ନିର୍ଦ୍ଦେଶ ୧୬ ଅଗଷ୍ଟ ୨୦୨୬ଠାରୁ ୧୩ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ମୋଟ ୯୦ ଦିନ ବଳବତ୍ତର ରହିବ ।

  • ଶୋଭାଯାତ୍ରା କଲେ ଅନୁମତି ବାଧ୍ୟତାମୂଳକ
ଆଦେଶ ଅନୁସାରେ ଗଞ୍ଜାମ ପୋଲିସ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ କୌଣସି ସଭା, ସମାବେଶ, ଶୋଭାଯାତ୍ରା କିମ୍ବା ଜନସମାଗମ ଆୟୋଜନ କରିବା ପୂର୍ବରୁ ସମ୍ପୃକ୍ତ ଏସ୍‌ଡିପିଓ କିମ୍ବା ଥାନା ଅଧିକାରୀଙ୍କ ନିକଟରୁ ଲାଇସେନ୍ସ/ଅନୁମତି ନେବା ବାଧ୍ୟତାମୂଳକ ହେବ । ଆବେଦନ ପତ୍ରରେ ସଭା କିମ୍ବା ସମାବେଶର ସ୍ଥାନ, ସମୟ, ଉଦ୍ଦେଶ୍ୟ ଏବଂ ବକ୍ତାଙ୍କ ନାମ ଉଲ୍ଲେଖ କରିବାକୁ ପଡ଼ିବ । ଶୋଭାଯାତ୍ରା କ୍ଷେତ୍ରରେ ରୁଟ୍‌, ବିରତି ସ୍ଥାନ, ଅଂଶଗ୍ରହଣକାରୀଙ୍କ ସଂଖ୍ୟା, ବାଦ୍ୟଯନ୍ତ୍ର ବ୍ୟବହାର, ଯାନବାହନ ଏବଂ ଅନ୍ୟାନ୍ୟ ବିବରଣୀ ଦେବା ଆବଶ୍ୟକ ।

  • ବାଣ ଫୁଟାଇଲେ କଣ କରିବାକୁ ପଡ଼ିବ ?
ଯଦି ଆତସବାଜି ପ୍ରଦର୍ଶନ କରାଯିବ, ତେବେ ତାହାର ପ୍ରକାର, ସମୟ ଓ ସ୍ଥାନ ମଧ୍ୟ ଆବେଦନରେ ଉଲ୍ଲେଖ କରିବାକୁ ହେବ । ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେକୌଣସି ସଭା କିମ୍ବା ଶୋଭାଯାତ୍ରା ପାଇଁ ଆବେଦନ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଅତିକମରେ ୭୨ ଘଣ୍ଟା ପୂର୍ବରୁ ଦାଖଲ କରିବା ଆବଶ୍ୟକ । ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ । ଏହି ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ସାଧାରଣ ଜନତାଙ୍କୁ ଆଇନଶୃଙ୍ଖଳା ବଜାୟ ରଖିବା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି ।

ପଢନ୍ତୁ ଏହି ଖବର: କନସଲଟାଣ୍ଟ ନିଯୁକ୍ତି ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ; ସର୍ବାଧିକ ୫ ବର୍ଷ...

  • ପୋଲିସ ଧାରା-୩୦ କଣ ?
ପୋଲିସ ଆଇନ (Police Act)ର ଧାରା ୩୦ ହେଉଛି ଏକ ଆଇନଗତ ବ୍ୟବସ୍ଥା, ଯାହା ଅଧୀନରେ ପୋଲିସ ପ୍ରଶାସନ କୌଣସି ଅଞ୍ଚଳରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବା ପାଇଁ ସଭା, ସମିତି ଏବଂ ଶୋଭାଯାତ୍ରା ଉପରେ କଟକଣା କିମ୍ବା ନିୟନ୍ତ୍ରଣ ଜାରି କରିଥାଏ । ଏହି ଧାରା ଲାଗୁଥିବା ସମୟରେ କୌଣସି ସ୍ଥାନରେ ସଭା, ଶୋଭାଯାତ୍ରା ବା ବିକ୍ଷୋଭ ପ୍ରଦର୍ଶନ କରିବାକୁ ହେଲେ ସ୍ଥାନୀୟ ପୋଲିସ ଅଧିକାରୀଙ୍କଠାରୁ ଲିଖିତ ଅନୁମତି ନେବା ଜରୁରୀ । ଆଇନଗତ ପରିସ୍ଥିତି ବିଗିଡ଼ିବା ଆଶଙ୍କା ଥିଲେ ପୋଲିସ ଏହି ଅନୁମତି ପ୍ରତ୍ୟାଖ୍ୟାନ ମଧ୍ୟ କରିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: