|
logo
Live
Argus News App
GET APP

Argus News - ଧାଡ଼ିରେ ଛିଡ଼ା ହୋଇ ରୋଗୀ ପାଇଲେନି ମାଗଣା ମେଡିସିନ୍; ଏବେ ଲୁଚାଇ ଲଗାଇଦେଲେ ନିଆଁ

Odisha

Free Medicine / ଧାଡ଼ିରେ ଛିଡ଼ା ହୋଇ ରୋଗୀ ପାଇଲେନି ମାଗଣା ମେଡିସିନ୍; ଏବେ ଲୁଚାଇ ଲଗାଇଦେଲେ ନିଆଁ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଧାଡ଼ିରେ ଛିଡ଼ା ହୋଇ ରୋଗୀ ପାଇଲେନି ମାଗଣା ମେଡିସିନ୍; ଏବେ ଲୁଚାଇ ଲଗାଇଦେଲେ ନିଆଁ
Lakhs Worth Govt Drugs Burnt in Odisha

Key Points

ଅବଧି ଥିବା ସମୟରେ ରୋଗୀଙ୍କୁ ଦେଲେନି । ଏକ୍ସପାରୀ ହେବାର ବର୍ଷେ ଦୁଇ ବର୍ଷ ପରେ ଟ୍ରକ୍‌ରେ ଆଣି ନିଆଁ ଲଗାଇଦେଲେ । ତାହା ପୁଣି ଲୁଚାଇ, ପଥର ଖାଦାନ ଭିତରେ ।
ଚୌଦ୍ଵାର (କଟକ): ସରକାରୀ ଔଷଧ, ମାଗଣା ବାଣ୍ଟିବା ପାଇଁ ଆସିଥିଲା । ଅବଧି ଥିବା ସମୟରେ ରୋଗୀଙ୍କୁ ଦେଲେନି । ଏକ୍ସପାରୀ ହେବାର ବର୍ଷେ ଦୁଇ ବର୍ଷ ପରେ ଟ୍ରକ୍‌ରେ ଆଣି ନିଆଁ ଲଗାଇଦେଲେ । ତାହା ପୁଣି ଲୁଚାଇ, ପଥର ଖାଦାନ ଭିତରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ।

ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ବମ୍ବୁରୀ ନିକଟ ପଥର ଖାଦାନରେ ଲକ୍ଷାଧିକ ଟଙ୍କାର ମେଡିସିନ୍କୁ ନିଆଁ ଲଗାଇ ପୋଡ଼ି ଦିଆଯାଇଛି । ତେବେ ଲକ୍ଷାଧିକ ଟଙ୍କାର ସରକାରୀ ଔଷଧକୁ କିଏ ପୋଡ଼ିଲା ତାହା ସ୍ପଷ୍ଟ ହୋଇ ନାହିଁ ।

ଏଥିସହ ପଢ଼ନ୍ତୁ: ବାଂଲାଦେଶରେ ଗଲା ଆଉ ଜଣେ ହିନ୍ଦୁଙ୍କ ଜୀବନ; ଛୁରି ଭୁସିଲେ, ପେଟ୍ରୋଲ୍ ଢାଳି ପୋଡ଼ିଦେଲେ

ପୋଡ଼ି ଦିଆ ଯାଇଥିବା ଔଷଧ ମଧ୍ୟରେ ଏକାଧିକ ୨୦୨୩, ୨୦୨୪ ଓ ୨୦୨୫ ମସିହାରୁ ଏକ୍ସପାରୀ ହୋଇ ଗଲାଣି । ଏକ୍ସପାରୀର ବର୍ଷ ବର୍ଷ ପରେ ଔଷଧଗୁଡ଼ିକୁ ଆଣି ଶାଳଗାଁ ପଞ୍ଚାୟତ ବମ୍ବୁରୀ ନିକଟ ଏକ ପଥର ଖାଦାନରେ ଲୁଚାଇ ନିଆଁ ଲଗାଇ ଦିଆଯାଇଛି ।

କିଛି ଯୁବକ ସେହି ଅଞ୍ଚଳକୁ ଭୋଜି ପାଇଁ ଯାଇଥିବା ସମୟରେ ଔଷଧ ପୋଡ଼ି ଦିଆଯାଇଥିବା ଦେଖିଥିଲେ । ତେବେ ଏତେ ପରିମାଣର ସରକାରୀ ଔଷଧ କେଉଁ ମେଡିକାଲ୍‌ରୁ ଆଣି ଏଠାରେ କିଏ ନିଆଁ ଲଗାଇଲା ତାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ସ୍ଥାନୀୟ ବାସିନ୍ଦା ଶତ୍ରୁଘ୍ନ ମଲ୍ଲିକଙ୍କ ଅନୁସାରେ, "ରାତିରେ କେହି ଆଣି ଏଠାରେ ଔଷଧ ପକାଇ ନିଆଁ ଲଗାଇ ଦେଇଛନ୍ତି । କାଶ, ଜ୍ଵର, ଥଣ୍ଡା ମେଡିସିନ୍ ପୋଡ଼ି ଦେଇଛନ୍ତି । ଆମେ ଡାକ୍ତରଖାନା ଗଲେ ଡାକ୍ତର ବାହାରୁ ଔଷଧ କିଣି ଖାଇବାକୁ କହୁଛନ୍ତି । ଏଠି ଲକ୍ଷାଧିକ ଟଙ୍କାର ମେଡିସିନ୍ ଫିଙ୍ଗି ପୋଡ଼ି ଦେଇଛନ୍ତି ।"

ଅନ୍ୟ ଜଣେ ବାସିନ୍ଦା ପ୍ରବୀର ଦାସ କହିଛନ୍ତି, "ଆସ୍ଥମା ଠାରୁ ନେଇ ଆଇରନ୍ ଟ୍ରନିକ ବିଭିନ୍ନ ଔଷଧ ପୋଡ଼ି ଦିଆଯାଇଛି । ଡାକ୍ତରଖାନାରେ ମାଗଣା ଔଷଧ ମିଳୁନି, ଲୋକେ ବାହାରୁ କିଣୁଛନ୍ତି । ଏହାଦ୍ଵାରା ଲୋକେ କେବଳ ଖର୍ଚ୍ଚାନ୍ତ ହେଉନାହାନ୍ତି । ଜଙ୍ଗଲରେ ଏଭଳି ମେଡିସିନ୍ ପୋଡ଼ିବା ଦ୍ଵାରା ପରିବେଶ ପ୍ରଦୂଷଣ ହେଉଛି ।"

ଏଥିସହ ପଢ଼ନ୍ତୁ: ରୋଗୀଙ୍କୁ ଦେଲେନି, ତାରିଖ ଥାଇ ରାସ୍ତା କଡ଼ରେ ଫିଙ୍ଗିଦେଲେ ମାଗଣା ଔଷଧ

ଏନେଇ ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ମଧୁସ୍ମିତା ନାୟକ କହିଛନ୍ତି, "ସରକାରୀ ଔଷଧ ପୋଡ଼ିବାର ନିୟମ ନାହିଁ । ଯଦି କୌଣସି ଔଷଧ ଏକ୍ସପାରୀ ହୋଇଯାଏ, ପୋଡ଼ିବାର ନିୟମ ନାବିଁ । ତାକୁ ଜିଲ୍ଲା ଚିକିତ୍ସାଳୟକୁ ଫେରାଇ ଦିଆଯାଏ । ପୋଡ଼ି ଦିଆଯାଇଥିବା ମେଡିସିନ୍ ଆମ ହସ୍ପିଟାଲ୍‌ର ନୁହଁ । ଏକ ମେଡିକାଲ୍ ଟିମ୍ ପହଞ୍ଚି ତଦନ୍ତ କରିବା ସହ କଟକ ସିଡିଏମ୍ଓଙ୍କୁ ଅବଗତ କରାଯାଇଛି ।"

ତେବେ ମୁଖ୍ୟ ରାସ୍ତା କଡ଼ରୁ ୨ କିଲୋମିଟର ଭିତରକୁ ଯାଏ କିଏ ପୋଡ଼ିଲା ଲକ୍ଷାଧିକ ଟଙ୍କାର ଔଷଧ ? ଅବଧି ଶେଷ ପରେ କେଉଁ ମେଡିକାଲ୍ ଏତେ ଔଷଧ ବର୍ଷାଧିକ ସମୟ ପକାଇ ରଖିଥିଲେ ? କାଗଜ କଲମରେ ରୋଗୀଙ୍କୁ ମାଗଣା ଔଷଧ ଦିଆଯାଇ ଅବଧି ଶେଷ ପରେ ପୋଡ଼ି ଦିଆଯାଇ ନାହିଁ ତ ? ଏବେ ଏସବୁ ଦିଗରେ ତଦନ୍ତ ପାଇଁ ଦାବି ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Free Medicine: ଧାଡ଼ିରେ ଛିଡ଼ା ହୋଇ ରୋଗୀ ପାଇଲେନି ମାଗଣା ମେଡିସିନ୍; ଏବେ ଲୁଚାଇ ଲଗାଇଦେଲେ ନିଆଁ | Argus News