ବିଷ୍ଣୁପୁର ଗାଁରେ ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ୧୭ରୁ ଅଧିକ ଲୋକ ଆକ୍ରାନ୍ତ

ଅର୍ଗସ ବ୍ୟୁରୋ : ରାଉରକେଲା, ସୁନ୍ଦରଗଡ଼ ପରେ ଆଠଗଡ଼ । ଏଠି ବି ବ୍ୟାପିଛି ଝାଡ଼ାବାନ୍ତି । କଟକ ଆଠଗଡ଼ ତିଗିରିଆ ବ୍ଲକ୍ ହାଟ୍ଟମାଳ ପଞ୍ଚାୟତ ବିଷ୍ଣୁପୁର ଗାଁରେ ଦୂଷିତ ପାଣି ପିଇବା ଯୋଗୁଁ ଝାଡ଼ାବାନ୍ତିରେ ୧୭ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆଠଗଡ଼ ଓ ତିଗିରିଆ ମେଡିକାଲରେ ୧୦ ଜଣଙ୍କୁ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ଏକ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି ।
ଗୋଟିଏ କୂଅର ଅତ୍ୟନ୍ତ ଦୂଷିତ ପାଣି ପିଇବା ଫଳରେ ଲୋକେ ରୋଗାକ୍ରାନ୍ତ ହୋଇଥିବା ଡାକ୍ତର କହିଛନ୍ତି । ରାଉରକେଲା ଓ ସୁନ୍ଦରଗଡ଼ ପରେ ଆଠଗଡ଼ର ଏ ଘଟଣା ପୁଣି ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ୍ ଖୋଲିଦେଇଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାଁରେ ରାଜ୍ୟ ସରକାର ବହୁ ପ୍ରଚାର କରୁଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ବିଷ୍ଣୁପୁର ଗାଁରେ ସରକାରଙ୍କ କୌଣସି ପାନୀୟ ଜଳ ଯୋଜନା ପହଞ୍ଚିନାହିଁ । ୭୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ମାତ୍ର ଦୁଇଟି ନଳକୂପ ଓ ଦୁଇଟି କୂଅ ଅଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨କୂଅରେ ମୋଟର ଓ ପାଇପ୍ ଯୋଗେ ଲୋକେ ପାଣି ଉଠାଇ ବ୍ୟବହାର କରନ୍ତି । ଖୋଲା ପଡ଼ିଥିବା କୂଅରେ ବାହାରର ଧୁଳି, ମଳି ସହ ଦୂଷିତ ପାଣି ପଶିବା ଫଳରେ କୂଅ ପାଣି ପୁରା ସଂକ୍ରମିତ ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ଗାଁର ୪୦୦ରୁ ଅଧିକ ଲୋକ ଏହି କୂଅରୁ ପାଣି ପିଉଛନ୍ତି । ସବୁଠାରୁ ଅଧିକ ଦୁଇଟି ପରିବାରର ୬୫ ଲୋକ ଏହି ପାଣି ବ୍ୟବହାର କରୁଥିବାବେଳେ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ସ୍ଵତନ୍ତ୍ର ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିବା ସହ କାରଣ ଖୋଜିବ ବୋଲି କହିଛନ୍ତି ଆଠଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ ।