Videos
|
Odisha

Odisha News / ମଣ୍ଡିରେ ନାହିଁ ଭିତ୍ତିଭୂମି; ଅଯଥା କିଣା ଯାଉଛି କୋଟି କୋଟି ଟଙ୍କାର ମେସିନ୍

Sushanta Sahoo
Browse all articles by Sushanta Sahoo
·54 mins ago·2 min read
ମଣ୍ଡିରେ ନାହିଁ ଭିତ୍ତିଭୂମି; ଅଯଥା କିଣା ଯାଉଛି କୋଟି କୋଟି ଟଙ୍କାର ମେସିନ୍
Jeypore RMC Paddy Machines

Key Points

ଧାନ ସଫେଇ ମେସିନ୍ କିଣାରେ ବଡ଼ ପ୍ରଶ୍ନବାଚୀ
ପୁରୁଣା ମେସିନ୍ ଅଚଳ, ନୂଆ ୩୦ ମେସିନ୍ କିଣା
ଧାନ ସଫେଇ ମେସିନ୍ କ୍ରୟକୁ ନେଇ ଚାଷୀଙ୍କ ଅସନ୍ତୋଷ
ଜୟପୁର: ଧାନ ସଫେଇ ମେସିନ୍ କ୍ରୟକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିୟନ୍ତ୍ରିତ ବଜାର କମିଟି ବା ଆରଏମ୍‌ସି ପକ୍ଷରୁ ନୂଆ କରି ଆଉ ୩୦ଟି ଧାନ ସଫେଇ ମେସିନ୍ କିଣାଯାଇଥିବା ବେଳେ ପୂର୍ବରୁ କିଣାଯାଇଥିବା ୧୫ଟି ମେସିନ୍ ପଡ଼ି ରହି ଖତ ଖାଉଥିବା ଅଭିଯୋଗ ହୋଇଛି ।

ଧାନ ଏଫ୍‌ଏକ୍ୟୁ ମାନର ନ ଥିଲେ ଏହି ମେସିନ୍‌ରେ ସଫା କରାଯିବ ବୋଲି କୁହାଯାଉଛି । କିନ୍ତୁ ବଡ଼ କଥା ହେଉଛି, ପୁରୁଣା ମେସିନ୍‌ଗୁଡ଼ିକରେ ଆଜି ପର୍ଯ୍ୟନ୍ତ କେଜିଏ ହେଲେ ଧାନ ସଫା କରାଯାଇ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମଣ୍ଡିରେ ମୌଳିକ ଭିତ୍ତିଭୂମିର ବିକାଶ ନକରି, ଅଯଥାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମେସିନ୍ କିଣାଯାଉଥିବା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଏଥିସହ ପଢ଼ନ୍ତୁ: ବାଲିଯାତ୍ରାରେ ଦୋଳି ଗୁଡ଼ିକର ତନ୍ନ ତନ୍ନ ଯାଞ୍ଚ; ସ୍ୱାଭାବିକ ହେଲା ଦୋଳି ଚଳାଚଳ 

ଧାଡ଼ି ଧାଡ଼ି ହୋଇ ଠିଆ ହୋଇଥିବା କୋଟି କୋଟି ଟଙ୍କାର ମେସିନ୍ ଖତ ଖାଉଛି । ପୂର୍ବରୁ କିଣାଯାଇଥିବା ମେସିନ୍‌ଗୁଡ଼ିକ ପଡ଼ିରହି ନଷ୍ଟ ହେଉଥିବା ବେଳେ ଏବେ ପୁଣି ନୂଆ ମେସିନ୍ କିଣାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଜୟପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ନୂଆ ୩୦ଟି ଧାନ ସଫେଇ ମେସିନ୍ କିଣାଯାଇଛି । ଧାନକୁ ଏଫ୍‌ଏକ୍ୟୁ ମାନର କରିବା ପାଇଁ ଏହି ମେସିନ୍ ବ୍ୟବହାର ହେବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ପୂର୍ବରୁ କିଣାଯାଇଥିବା ୧୫ଟି ମେସିନ୍ ଆଜି ପର୍ଯ୍ୟନ୍ତ ଚାଷୀଙ୍କ କାମରେ ଲାଗିନାହିଁ । ୧୦ ବର୍ଷ ତଳେ ୬ଟି ଛୋଟ ମେସିନ୍ କିଣାଯାଇଥିଲା । ଏସବୁ ଷ୍ଟୋର ରୁମ୍‌ରେ ଶୋ’ ପିସ୍ ହୋଇ ପଡ଼ିରହିଛି । ସେହିପରି ୭ ବର୍ଷ ତଳେ କୋଟିଏରୁ ଅଧିକ ଟଙ୍କାରେ କିଣାଯାଇଥିବା ୯ଟି ମେସିନ୍ ମଧ୍ୟ ବିଭିନ୍ନ ସ୍ଥାନରେ ପଡ଼ିରହି ନଷ୍ଟ ହେଉଛି ।

ମଣ୍ଡିରେ ଧାନ ରଖିବା ଓ ଶୁଖାଇବା ଭଳି ମୌଳିକ ସୁବିଧା ନଥାଇ, କେବଳ ଲୋକ ଦେଖାଣିଆ ଭାବେ ଏବଂ ସରକାରୀ ଅର୍ଥର ଅପବ୍ୟବହାର କରି ନୂଆ ମେସିନ୍ କିଣାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀ କହିଛନ୍ତି, "ମେସିନ୍ ଅଛି ବୋଲି ଶୁଣୁଛୁ, କିଛି ସୁବିଧା ମିଳୁନି । ଆମେ ମେସିନ୍ କେବେ ବ୍ୟବହାର ହେଉଥିବା ଦେଖିନୁ ।"

ମେସିନ୍ କିଣା ବିଲ୍ ଜୟପୁରକୁ ପଠାଯାଇଛି ଏବଂ ଏମାନେ ପେମେଣ୍ଟ କରୁଛନ୍ତି । ଏଥିରେ ବିଲ୍ ଯାହା ନାଁରେ ହେଉଛି, ତା'ର ହାତଟେକାରେ କିଛି ଲୋକ ମାଲାମାଲ୍ ହେଉଛନ୍ତି । କେବଳ କୋରାପୁଟର ଜୟପୁର ନୁହେଁ, ରାଜ୍ୟର ସବୁ ଆରଏମ୍‌ସିରେ ଅବସ୍ଥା ଏପରି ।

କିନ୍ତୁ ପ୍ରଶ୍ନ ଉଠୁଛି, ପୂର୍ବରୁ କିଣାଯାଇଥିବା ମେସିନ୍‌ଗୁଡ଼ିକ କାହିଁକି ବ୍ୟବହାର ହୋଇପାରିଲା ନାହିଁ ? କେବଳ କାଗଜପତ୍ର ଓ ବୈଠକରେ ସୀମିତ ନ ରହି ବାସ୍ତବ କ୍ଷେତ୍ରରେ ଚାଷୀମାନେ କିପରି ଏହାର ସୁଫଳ ପାଇବେ, ତାହା ଉପରେ ପ୍ରଶାସନ ଧ୍ୟାନ ଦେବା ଜରୁରୀ ହୋଇପଡ଼ିଛି ।

ଏଥିସହ ପଢ଼ନ୍ତୁ: ଦୁଇ ଭାଇଙ୍କ ମୃତ୍ୟୁ ଖବର ଶୁଣି ସହିପାରିଲେନି କାନ୍ଦି କାନ୍ଦି ଟଳିପଡ଼ିଲେ ଭଉଣୀ 

କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି, "କିଛି ମେସିନ୍ ଧାନ ସଂଗ୍ରହ ସମୟରେ ଆସିଛି । ଏବର୍ଷ ପ୍ରଥମଥର ସେଗୁଡ଼ିକର ବ୍ୟବହାର କରାଯିବ । ପୂର୍ବରୁ ଅଣା ଯାଇଥିବା ମେସିନ୍ ଧାନ ସଂଗ୍ରହ ସରିବା ସମୟରେ ପହଞ୍ଚିଥିଲା । ଏବେ ବ୍ୟବହାର କରାଯିବ ।"

ମଣ୍ଡିର ବାସ୍ତବ ଆବଶ୍ୟକତା ଓ ଭିତ୍ତିଭୂମି ସମସ୍ୟାକୁ ଗୁରୁତ୍ୱ ନଦେଇ, କାହିଁକି ଏଭଳି ଯୋଜନା ଓ ମେସିନ୍ କ୍ରୟ କରାଯାଉଛି, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ?