Videos
|
Odisha

Superstition / ଅନ୍ଧ ବିଶ୍ୱାସର କରୁଣ ପରିଣତି; ନିଃସନ୍ତାନ ଦମ୍ପତିଙ୍କ ପ୍ରାଣ ନେଇଗଲା ଗୁଣିଆର ଔଷଧ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଅନ୍ଧ ବିଶ୍ୱାସର କରୁଣ ପରିଣତି; ନିଃସନ୍ତାନ ଦମ୍ପତିଙ୍କ ପ୍ରାଣ ନେଇଗଲା ଗୁଣିଆର ଔଷଧ
Couple Dies After Taking Medicine From Faith Healer

Key Points

ଡାକ୍ତରଙ୍କ ପରିବର୍ତ୍ତେ ଛୁଆପିଲା ଆଶାରେ ଦମ୍ପତି ଗୁଣିଆ ସହ ଯୋଗାଯୋଗ କରିଥିଲେ । ଆଉ ଗୁଣିଆ ଦେଇଥିବା ଦେଶୀ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ହୋଇଛି ।
ଫୁଲବାଣୀ (କନ୍ଧମାଳ): ବିବାହର ଅନେକ ବର୍ଷ ପରେ ଛୁଆପିଲା ହେଉ ନଥିଲା । ଯାହାକୁ ନେଇ ଚିନ୍ତିତ ଥିଲେ ଦମ୍ପତି । ଡାକ୍ତରଙ୍କ ପରିବର୍ତ୍ତେ ଛୁଆପିଲା ଆଶାରେ ଦମ୍ପତି ଗୁଣିଆ ସହ ଯୋଗାଯୋଗ କରିଥିଲେ । ଆଉ ଗୁଣିଆ ଦେଇଥିବା ଦେଶୀ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ହୋଇଛି ।

ଅନ୍ଧ ବିଶ୍ଵାସ ଓ ଗୁଣି ଗାରେଡ଼ିର ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ଗୋଛାପଡ଼ା ଥାନା ନେଡ଼ିପଙ୍ଗା ଗାଁର ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତ ଦମ୍ପତି ହେଲେ ଲଳିତା କହଁର ଓ କାହ୍ନୁ କହଁର । ଦମ୍ପତିଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଏଥିସହ ପଢ଼ନ୍ତୁ: ଘରେ ଶୋଇଥିଲେ ଅଜାନାତି: ବିଷାକ୍ତ ସର୍ପ ନେଲା ଅଜାନାତିଙ୍କ ଜୀବନ 

ସୂଚନା ଅନୁସାରେ, କାହ୍ନୁ ଓ ଲଳିତା ଆଦିବାସୀ ସମ୍ପ୍ରଦାୟର । ବିବାହର ଦୀର୍ଘ ବର୍ଷ ପରେ ସେମାନଙ୍କ କୌଣସି ପିଲା ଛୁଆ ହେଉ ନଥିଲା । ଯାହାକୁ ନେଇ ବାଲିଗୁଡ଼ା ଅଞ୍ଚଳର ଜଣେ ଗୁଣିଆଙ୍କ ସହ ଯୋଗାଯୋଗ କରିଥିଲେ ଦମ୍ପତି । ଗୁଣିଆଙ୍କ ଠାରୁ ଔଷଧ ଆଣି ସନ୍ତାନ ଆଶାରେ ସେବନ କରୁଥିଲେ ।

ଗତ ୨୨ ତାରିଖରେ କାହ୍ନୁ ଓ ଲଳିତା ଉକ୍ତ ଗୁଣିଆଙ୍କ ଠାରୁ ଦେଶୀ ଔଷଧ ଆଣି ଖାଇଥିଲେ । ୨୨ ତାରିଖରେ ରାତିରେ ଔଷଧ ଖାଇ ଶୋଇ ପଡ଼ିଥିଲେ । ୨୩ ତାରିଖ ସକାଳେ ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପାଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଦମ୍ପତିଙ୍କ ସ୍ଵାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଥିଲା । ଫୁଲବାଣୀ ମେଡିକାଲ୍‌ରେ ପ୍ରଥମେ ଆଖି ବୁଜିଥିଲେ ପତ୍ନୀ ଲଳିତା । ସ୍ଵାମୀ କାହ୍ନୁଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟ କାହ୍ନୁଙ୍କର ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ବହୁଚର୍ଚ୍ଚିତ 'ପିହୁ' ନିଖୋଜ ମାମଲା: ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ 

ଅନ୍ଧ ବିଶ୍ଵାସ ଓ ଗୁଣିଆର ଦେଶୀ ଔଷଧ ଖାଇ ଦମ୍ପତି ଆଖି ବୁଜିବାକୁ ନେଇ କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି । କନ୍ଧମାଳ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏବେବି ଲୋକେ ଗୁଣି ଗାରେଡ଼ି ଉପରେ ଭରସା କରୁଥିବା ଦେଖିବାକୁ ମିଳୁଛି ।

ଆଧୁନିକ ଯୁଗରେ ଚିକିତ୍ସା ବିଜ୍ଞାନରେ ଅନେକ ଅଗ୍ରଗତି ହୋଇଛି । ତଥାପି ଆଦିବାସୀ ସମ୍ପ୍ରଦାୟର ଲୋକ ଏବେବି ଗୁଣି ଗାରେଡ଼ି ଭଳି ଅନ୍ଧ ବିଶ୍ଵାସ ଉପରେ ଏବେ ବି ଭରସା କରୁଛନ୍ତି । ଆଉ ସେହି ଆଖିବୁଜା ଭରସା ଆଜି ଦୁଇ ଜଣଙ୍କ ଜୀବନ ନେଇ ଯାଇଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: