Videos
|
Odisha

Kataka Bali Jatra / ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର; ମୁଖ୍ୟ ଆକର୍ଷଣ ସାଜିବ ‘କଟକ ଇନ୍ କଟକ’

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର; ମୁଖ୍ୟ ଆକର୍ଷଣ ସାଜିବ ‘କଟକ ଇନ୍ କଟକ’
Kataka Bali Jatra 2026

Key Points

କଟକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି
କଟକ ଇନ୍ କଟକରେ ଦୁଇଟି ସ୍ୱତନ୍ତ୍ର ପାଭିଲିଅନ୍
KMCର ୧୫୦ ବର୍ଷର ଗୌରବମୟ ଯାତ୍ରା
କଟକ: ଚଳିତ ବର୍ଷ ଐତିହାସିକ କଟକ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜୁଥିବା ‘କଟକ ଇନ୍ କଟକ’ରେ ଏଥର ସ୍ଥାନ ପାଇବ ଦୁଇଟି ସ୍ୱତନ୍ତ୍ର ପାଭିଲିଅନ୍ । ଗୋଟିଏ ପଟେ ଓଡ଼ିଶା ଓ ଇଣ୍ଡୋନେସିଆ ବାଲିର କଳା ସ୍ଥାପତ୍ୟ ଝଲସିବାକୁ ଥିବାବେଳେ, ଅନ୍ୟପଟେ ଦେଖିବାକୁ ମିଳିବ କଟକ ମହାନଗର ନିଗମର ୧୫୦ ବର୍ଷର ଗୌରବମୟ ଜୟଯାତ୍ରା ।

  • ମୁଖ୍ୟ ଆକର୍ଷଣ ପାଲଟିବ ‘କଟକ ଇନ୍ କଟକ’
ଏଥର କଟକ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବ ‘କଟକ ଇନ୍ କଟକ’ । କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ଓ ଜୟଯାତ୍ରାକୁ ନେଇ ଏଠାରେ ଏକ ସ୍ୱତନ୍ତ୍ର ପାଭିଲିଅନ୍ ନିର୍ମାଣ କରାଯାଉଛି । ୫୨ ବଜାର ୫୩ ଗଳିର କାହାଣୀ ହେଉ କି ଉତ୍କଳ ଦୀପିକା, ଦହିବରାର ସ୍ୱାଦ ହେଉ କି ଆଧୁନିକ କଟକର ଚିତ୍ର, ସବୁକିଛି ଏଠାରେ ସ୍ଥାନ ପାଇବ । ଏଥିସହ ଏକ୍ସପେରିଏନ୍ସ ଜୋନ୍ ଏବଂ ଏକ ସ୍ୱତନ୍ତ୍ର ଟନେଲରେ କଟକର ଇତିହାସ ପ୍ରଦର୍ଶିତ ହେବ । ମଧୁବାବୁ ଓ ଗୋପବନ୍ଧୁଙ୍କ କଟକ ପ୍ରତି ଅବଦାନ ସହ ପୁସ୍ତକ ମେଳା ଓ ସାଂସ୍କୃତିକ ମଞ୍ଚ ମଧ୍ୟ ଏଠାରେ ରହିବ ।

  • ବାଲୁକା କଳାରେ ଓଡ଼ିଶା ଓ ଇଣ୍ଡୋନେସିଆର ସମ୍ପର୍କର ଗାଥା
ସେହିପରି ଅନ୍ୟତମ ଆକର୍ଷଣ ସାଜିବ ଓଡ଼ିଶା ଓ ଇଣ୍ଡୋନେସିଆର ବାଲି ମଧ୍ୟରେ ଥିବା ଐତିହାସିକ ସମ୍ପର୍କର ଗାଥା । ଏହି ସ୍ୱତନ୍ତ୍ର ପାଭିଲିଅନରେ ଓଡ଼ିଶା ଏବଂ ବାଲିର ଅନନ୍ୟ କଳା ଓ ସ୍ଥାପତ୍ୟର ଝଲକ ଦେଖିବାକୁ ମିଳିବ । ରାଜ୍ୟ ସରକାରଙ୍କ ସହଯୋଗରେ ବାଲି ସହ ଓଡ଼ିଶାର ସାଂସ୍କୃତିକ ଭାବନାର ଆଦାନପ୍ରଦାନ ଓ ସମ୍ପର୍କକୁ କିଭଳି ଅଧିକ ସୁଦୃଢ଼ କରାଯାଇପାରିବ, ତାହାକୁ ଦୃଷ୍ଟିରେ ରଖି ଏହି ପାଭିଲିଅନ୍ ନିର୍ମାଣ କରାଯାଉଥିବା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ପଢନ୍ତୁ ଏହି ଖବର: ନଭେମ୍ବର ୨୪ରୁ ଐତିହାସିକ କଟକ ବାଲିଯାତ୍ରା; ବ୍ୟବସାୟୀଙ୍କ ପାଇଁ ଆରମ୍ଭ ହେଲା ପ୍ଲଟ୍ ପଞ୍ଜିକରଣ

ଚଳିତ ବର୍ଷ ଐତିହାସିକ କଟକ ବାଲିଯାତ୍ରାକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ‘କଟକ ଇନ୍ କଟକ’ରେ ନିର୍ମାଣାଧୀନ ଏହି ଦୁଇଟି ସ୍ୱତନ୍ତ୍ର ପାଭିଲିଅନକୁ ମଧ୍ୟ ରାଷ୍ଟ୍ରପତି ଉଦଘାଟନ କରିବେ । ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବ କଟକ ବାଲିଯାତ୍ରା । ବାଲିଯାତ୍ରାରେ ଲୋକଙ୍କ ସୁରକ୍ଷା ଓ ବିଦ୍ୟୁତ ବିଭ୍ରାଟ କିପରି ନ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ବିଭାଗ । ତେବେ ଆସନ୍ତା ୨୦ ତାରିଖ ସୁଦ୍ଧା ଉଭୟ ଉପର ଓ ତଳ ପଡ଼ିଆ ବିଦ୍ୟୁତିକରଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖିଛି ବିଦ୍ୟୁତ ବିଭାଗ ।  ପ୍ରତିବର୍ଷ ପରି ଏଥର ମଧ୍ୟ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: