Videos
|
Odisha

Kotia Row / କୋଟିଆରେ ତେଜିଲା ବିବାଦ; ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଆଇନଜୀବୀଙ୍କ ଦ୍ୱିତୀୟ ଚିଠି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
କୋଟିଆରେ ତେଜିଲା ବିବାଦ; ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଆଇନଜୀବୀଙ୍କ ଦ୍ୱିତୀୟ ଚିଠି
Kotia Row

Key Points

ଆନ୍ଧ୍ର ନିର୍ବାଚନକୁ ନେଇ କୋଟିଆରେ ଘନଉଛି ବିବାଦ
ନଭେମ୍ବର ୫ ତାରିଖରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ
ପୁଣି ସ୍ଵର ଉଠାଇଲେ ଆଇନଜୀବୀ ଅନୁପ କୁମାର ପାତ୍ର
ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଲେ
କୋରାପୁଟ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନର ସୀମା ବିବାଦ ପୁଣି ଉଗ୍ର ରୂପ ନେଇଛି । କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳରେ ନଭେମ୍ବର ୫ ତାରିଖରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ ନେଇ ଏବେ ଆଇନଗତ ଓ ସାମ୍ବିଧାନିକ ବିବାଦ ତୀବ୍ର ହୋଇଛି । ଏହି ପ୍ରସଙ୍ଗରେ ଓଡ଼ିଆ ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଛନ୍ତି । ଏନେଇ ସେ କେନ୍ଦ୍ର ଗୃହ ସଚିବଙ୍କୁ ଦ୍ୱିତୀୟ ବିସ୍ତୃତ ଅଭିଯୋଗପତ୍ର ଦାଖଲ କରିଛନ୍ତି।

ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ନିଜର ପ୍ରଶାସନିକ ଓ ନିର୍ବାଚନୀ କାର୍ଯ୍ୟକଳାପ ଆରମ୍ଭ କରିବା ଓଡ଼ିଶାର ଭୌଗୋଳିକ ସୀମା, ଆଦିବାସୀ ଅଧିକାର ଏବଂ ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ଗୁରୁତର ପ୍ରଶ୍ନ ଉଠାଉଥିବା ସେ ଦର୍ଶାଇଛନ୍ତି । ଅନୁପ ପାତ୍ରଙ୍କ ଏହି ଅଭିଯୋଗ ପ୍ରଥମ ନୁହେଁ, ଏହା ପୂର୍ବରୁ ଅକ୍ଟୋବର ୨୧ରେ ସେ ରାଷ୍ଟ୍ରପତିଙ୍କ ନିକଟରେ ଏକ ଅଭିଯୋଗ ଦାଖଲ କରିଥିଲେ । ଅକ୍ଟୋବର ୨୭ ତାରିଖରେ ରାଷ୍ଟ୍ରପତି ସଚିବାଳୟ ଏହି ପ୍ରସଙ୍ଗକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଥିବା ଦାବି କରାଯାଇଛି । ଏହାପରେ ଅକ୍ଟୋବର ୩୧ ତାରିଖରେ ସେ ସିଧାସଳଖ ଗୃହ ମନ୍ତ୍ରଣାଳୟକୁ ଆଉ ଏକ ଅଭିଯୋଗପତ୍ର ଦେଇଥିଲେ । ଏବେ କୋଟିଆରେ ନଭେମ୍ବର ୫ ତାରିଖରେ ହେବାକୁ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ତୁରନ୍ତ ସ୍ଥଗିତ ରଖିବା ପାଇଁ କେନ୍ଦ୍ରର ହସ୍ତକ୍ଷେପ ଦାବି କରିଛନ୍ତି।

  • କୋଟିଆର ସାମ୍ବିଧାନିକ ଅଧିକାରକୁ ନେଇ ପ୍ରଶ୍ନ
ଅଭିଯୋଗପତ୍ରରେ କୋଟିଆ ଗ୍ରାମପଞ୍ଚାୟତର ଐତିହାସିକ ଓ ପ୍ରଶାସନିକ ସ୍ଥିତିକୁ ନେଇ ଅନେକ ତଥ୍ୟ ଉଲ୍ଲେଖ କରାଯାଇଛି । ଆବେଦନକାରୀଙ୍କ ମତରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ରାଜ୍ୟ ଗଠନ ସମୟରୁ ଏହି ଅଞ୍ଚଳ ଓଡ଼ିଶାର ଅଂଶ ଭାବେ ରହିଆସିଛି । କୋଟିଆ ଗ୍ରାମପଞ୍ଚାୟତରେ ଥିବା ୨୮ଟି ଜନବସତି ମଧ୍ୟରୁ ୨୧ଟି ରାଜସ୍ୱ ଗ୍ରାମ ଓ ୭ଟି ଛୋଟ ଗ୍ରାମ ଓଡ଼ିଶାର ରାଜସ୍ୱ, ପ୍ରଶାସନିକ, ପୋଲିସ ଓ ନ୍ୟାୟିକ ବ୍ୟବସ୍ଥା ଅଧୀନରେ ରହିଆସିଥିବା ସେ ଦାବି କରିଛନ୍ତି ।

  • "ସୀମା ପରିବର୍ତ୍ତନର କ୍ଷମତା କେବଳ ରାଷ୍ଟ୍ରପତିଙ୍କର"
ଏହା ସହିତ ୧୯୭୭ ମସିହାରେ ରାଷ୍ଟ୍ରପତିଙ୍କ ଆଦେଶ ଅନୁଯାୟୀ ଏହି ଅଞ୍ଚଳକୁ ଅନୁସୂଚିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ସମ୍ବିଧାନର ପଞ୍ଚମ ଅନୁସୂଚୀ ଅନୁଯାୟୀ ଅନୁସୂଚିତ ଅଞ୍ଚଳର ସୀମା ପରିବର୍ତ୍ତନ କରିବାର କ୍ଷମତା କେବଳ ରାଷ୍ଟ୍ରପତିଙ୍କ ନିକଟରେ ରହିଛି ବୋଲି ଅଭିଯୋଗପତ୍ରରେ ଯୁକ୍ତି ରଖାଯାଇଛି । ତେଣୁ ଆନ୍ଧ୍ରପ୍ରଦେଶ ସରକାର କିମ୍ବା ସେଠାକାର ରାଜ୍ୟ ନିର୍ବାଚନ ଆୟୋଗ ଏହି ଅଞ୍ଚଳର ସାମ୍ବିଧାନିକ ସ୍ଥିତିକୁ ଏକପାଖିଆ ଭାବେ ବଦଳାଇପାରିବେ ନାହିଁ ବୋଲି ପାତ୍ର ଦାବି କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ
ଦୀର୍ଘଦିନ ଧରି ଲାଗି ରହିଥିବା କୋଟିଆ ବିବାଦର ଆଇନଗତ ଇତିହାସକୁ ମଧ୍ୟ ଏହି ଅଭିଯୋଗପତ୍ରରେ ଉଠାଯାଇଛି । ୧୯୬୮ ମସିହାରେ ଓଡ଼ିଶା ସରକାର ସମ୍ବିଧାନର ଧାରା ୧୩୧ ଅନୁଯାୟୀ ସୁପ୍ରିମକୋର୍ଟରେ ମୂଳ ମାମଲା ଦାଖଲ କରିଥିଲେ । ଏହାପରେ ୧୯୬୮ ଡିସେମ୍ବର ୨ ତାରିଖରେ ଉଭୟ ରାଜ୍ୟ ବିବାଦୀୟ ଅଞ୍ଚଳରେ ପ୍ରଶାସନିକ ସ୍ଥିତି ଅପରିବର୍ତ୍ତିତ ରଖିବା ପାଇଁ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ସମ୍ମତି ଦେଇଥିଲେ । ଏବେ ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନ କରାଯିବା ଦୀର୍ଘଦିନର ନ୍ୟାୟିକ ବ୍ୟବସ୍ଥା ଓ ସମ୍ମତିର ଉଲ୍ଲଂଘନ ବୋଲି ଆବେଦନକାରୀ କହିଛନ୍ତି ।

  • ଆଦିବାସୀଙ୍କ ଅଧିକାର ଓ ଭୋଟର ତାଲିକାକୁ ନେଇ ଚିନ୍ତା
କୋଟିଆରେ ରହୁଥିବା ଆଦିବାସୀ ସମ୍ପ୍ରଦାୟଙ୍କ ଅଧିକାରକୁ ନେଇ ମଧ୍ୟ ଗୁରୁତର ଚିନ୍ତା ପ୍ରକାଶ କରାଯାଇଛି। ଏକାଧିକ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ କିଛି ବାସିନ୍ଦାଙ୍କ ନିକଟରେ ଦୁଇଟି ଭୋଟର ପରିଚୟପତ୍ର, ରାସନ କାର୍ଡ ଥିବା ଅଭିଯୋଗ ହୋଇଛି । ଏହା ଫଳରେ ଆଦିବାସୀଙ୍କ ମଧ୍ୟରେ ପ୍ରଶାସନିକ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସହ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିପାରେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏଥିସହ ଆଦିବାସୀଙ୍କ ଜମି ସୁରକ୍ଷା, ଜଙ୍ଗଲଜାତ ଦ୍ରବ୍ୟ ଉପରେ ଅଧିକାର ଏବଂ ପଞ୍ଚାୟତ ସ୍ତରରେ ସ୍ୱଶାସନ ପାଇଁ ଥିବା ପେସା ଆଇନର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି ।

  • କେନ୍ଦ୍ର ନିକଟରେ ରହିଛି ଏକାଧିକ ଦାବି
ଆଇନଜୀବୀ ଅନୁପ ପାତ୍ର ଗୃହ ମନ୍ତ୍ରଣାଳୟକୁ ନଭେମ୍ବର ୫ ତାରିଖରେ ପ୍ରସ୍ତାବିତ ନିର୍ବାଚନକୁ ସ୍ଥଗିତ କିମ୍ବା ବାତିଲ କରିବା ପାଇଁ ଆହ୍ୱାନ କରିଛନ୍ତି । ଏହାସହ ବିବାଦୀୟ ଅଞ୍ଚଳରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ମୁତୟନ, ଭୋଟର ତାଲିକାର ଯାଞ୍ଚ, ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ପାଇଁ ଏକ ତ୍ରିପାକ୍ଷିକ ବ୍ୟବସ୍ଥା ଏବଂ କୋଟିଆରେ ବ୍ୟାଙ୍କିଂ ଓ ଅନ୍ୟାନ୍ୟ ସରକାରୀ ସେବାକୁ ସୁଦୃଢ଼ କରିବା ପାଇଁ ଦାବି କରିଛନ୍ତି ।

ପଢନ୍ତୁ ଏହି ଖବର: କୋଟିଆ ବିବାଦ; ଆନ୍ଧ୍ର ନିର୍ବାଚନ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆଇନଜୀବୀ

ଏହି ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପ୍ରଶାସନିକ କାର୍ଯ୍ୟକଳାପ ଜାରି ରହିଲେ ସୀମାନ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ସମସ୍ୟା ଓ ଆଦିବାସୀଙ୍କ ମଧ୍ୟରେ ଅସ୍ଥିରତା ବଢ଼ିପାରେ ବୋଲି ଆବେଦନକାରୀ ଚେତାବନୀ ଦେଇଛନ୍ତି । କୋଟିଆକୁ ନେଇ ଦୀର୍ଘଦିନର ଏହି ବିବାଦ ଏବେ ପୁଣି ଥରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛି । ନଭେମ୍ବର ୫ ତାରିଖରେ ହେବାକୁ ଥିବା ନିର୍ବାଚନ ଉପରେ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।