Videos
|
Odisha

Guard of Honour / ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଗାର୍ଡ ଅଫ୍‌ ଅନର; ଉପସ୍ଥିତ ଥିଲେ ବନ୍ଧୁ ପରିଜନ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଗାର୍ଡ ଅଫ୍‌ ଅନର; ଉପସ୍ଥିତ ଥିଲେ ବନ୍ଧୁ ପରିଜନ
Guard of Honour

Key Points

ଭୁବନେଶ୍ବର ସ୍ଥିତ ବାସଭବନରେ ଗାର୍ଡ ଅଫ୍‌ ଅନର
ବନ୍ଧୁ ଓ ପରିବାରଜନଙ୍କ ଉପସ୍ଥିତିରେ ଗାର୍ଡ ଅଫ୍‌ ଅନର
ଭୁବନେଶ୍ଵର: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ । ୮୮ ବର୍ଷ ବୟସରେ ହୋଇଛି ପ୍ରଣବଙ୍କ ପରଲୋକ । ଆଜି ପୂର୍ବାହ୍ନ ୧୧ଟା ୪୦ରେ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଭୁବନେଶ୍ବର ସ୍ଥିତ ବାସଭବନରେ ବନ୍ଧୁ ଓ ପରିବାରଜନଙ୍କ ଉପସ୍ଥିତିରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି ।

  • ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ
ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ପାଇଁ ଥିଲେ ଚିକିତ୍ସାଧୀନ । ଦୀର୍ଘ ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଦେହାନ୍ତ ଖବର ମିଳିବା ପରେ ପ୍ରଣବ ପଟ୍ଟନାୟକଙ୍କ ଭୁବନେଶ୍ୱର ଲୁଇସ୍ ରୋଗ ସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଥିଲା । ବରିଷ୍ଠ କଳାକାର, କଣ୍ଠଶିଳ୍ପୀ, ରାଜନେତା ,ସମାଜସେବୀ, ସାହିତ୍ୟିକମାନେ ଶେଷ ଦର୍ଶନ କରିଥିଲେ । କଟକ ଖାନନଗର ଶ୍ମଶାନରେ ରାଜକୀୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର । ପ୍ରଖ୍ୟାତ ଓଡ଼ିଆ ସୁଗମ ସଙ୍ଗୀତ, ଭଜନ ଗାୟକ ପ୍ରଣବ ପଟ୍ଟନାୟକଙ୍କ ଚଳଚ୍ଚିତ୍ର ଗୀତ କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଛି । ଦୀର୍ଘ ଛଅ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଜଗତରେ ଆଧିପତ୍ୟ ବିସ୍ତାର କରିଥିଲେ । ୧୯୫୮ ମସିହାରେ ଭୁବନେଶ୍ବରୀ ମିଶ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ କଥାଚିତ୍ର ମା ପାଇଁ କଣ୍ଠଦାନ କରିଥିଲେ । ପରେ ଶ୍ରୀଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୁରବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନାଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ରରେ କଣ୍ଠଦାନ କରି ଓଡ଼ିଆ ସିନେମା ସଂଗୀତ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

  • ଗାଇଥିଲେ ଅନେକ କାଳଜୟୀ ଗୀତ
ବିଶେଷ କରି ଶେଷ ଶ୍ରାବଣ ଚଳଚ୍ଚିତ୍ରର ମାଝୀରେ ଗୀତ ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ । ପ୍ରଣବ ପଟ୍ଟନାୟକଙ୍କ କଥା ଉଠିଲା ମାତ୍ରେ ଆଜି ବି ଲୋକେ ତାଙ୍କୁ ମାଝୀରେ ଗୀତ ସହ ଯୋଡ଼ନ୍ତି । ଜୟଦେବ ପୁରସ୍କାର ପାଇଥିଲେ ପ୍ରଣବ ପଟ୍ଟନାୟକ । ୨୦୦ରୁ ଅଧିକ ଚଳଚ୍ଚିତ୍ର ପାଇଁ ସେ କଣ୍ଠଦାନ କରିଛନ୍ତି । ଅଣଚଳଚ୍ଚିତ୍ର କ୍ଷେତ୍ରରେ ମଧ୍ୟ ରହିଛି ପ୍ରଣବଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ । ବେତାର, ଦୂରଦର୍ଶନ ଓ ଆଲବମ ବ୍ୟତୀତ ଭଜନ ଓ ଆଧୁନିକ ଓଡ଼ିଆ ସଂଗୀତ ମାଧ୍ୟମରେ ସେ ସମସ୍ତଙ୍କ ମନ କିଣିଥିଲେ । ଓଡ଼ିଆ ସିନେମା ସଂଗୀତ ଜଗତରେ ଯେଉଁ ତ୍ରିମୂର୍ତ୍ତି ଥିଲେ ଯାହାଙ୍କୁ ପରବର୍ତ୍ତୀ ସମୟରେ ସମର, ସଲିମ ଓ ସାଇମନ କୁହାଯାଉଥିଲା, ଆଜି ସେ ତ୍ରିମୂର୍ତ୍ତିର ଶେଷ ସ୍ତମ୍ଭ ସାଇମନ ଇହଧାମ ତ୍ୟାଗ କରିଛନ୍ତି । ଅକ୍ଷୟ ମହାନ୍ତିଙ୍କୁ ସମର କୁହାଯାଉଥିବାବେଳେ ସିକନ୍ଦର ଆଲାମଙ୍କୁ କୁହାଯାଉଥିଲା ସଲିମ । ସେହିପରି ପ୍ରଣବ ପଟ୍ଟନାୟକଙ୍କୁ କୁହାଯାଉଥିଲା ସାଇମନ ।

ପଢନ୍ତୁ ଏହି ଖବର: ଚାଲିଗଲେ ସ୍ଵରର ଯାଦୁଗର ପ୍ରଣବ ପଟ୍ଟନାୟକ: ୮୮ ବର୍ଷ ବସୟରେ ଘରୋଇ ହସ୍ପିଟାଲରେ ଆଖିବୁଜିଲେ

  • ପ୍ରଣବଙ୍କ କଣ୍ଠକୁ ମିଳିଥିଲା ଅନେକ ସମ୍ମାନ
୧୯୭୬ରେ ‘ସିନ୍ଦୂର ବିନ୍ଦୁ’ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ପୁରସ୍କାର ପରେ ୧୯୮୨ରେ ‘ଅସ୍ତରାଗ’, ୧୯୮୩ରେ ‘ଝିଅଟି ସୀତାପରି’, ୧୯୮୮ରେ ‘କନ୍ୟାଦାନ’, ୧୯୮୯ରେ ‘ପ୍ରତିଶୋଧ ଅପରାଧ ନୁହେଁ’, ୧୯୯୩ରେ ‘ଆଶା’ ଚଳଚ୍ଚିତ୍ର ପାଇଁ ମଧ୍ୟ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ପୁରସ୍କାର ପାଇଥିଲେ । ସେ ପାଇଥିଲେ ସମ୍ମାନଜନକ ଜୟଦେବ ପୁରସ୍କାର । ତେବେ ସୁରର ସାଇମନ ଚାଲିଗଲେ ସତ, କିନ୍ତୁ ତାଙ୍କ ସୁର କେବେ ମରିବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: