Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏମ୍‌ସ ଭୁବନେଶ୍ୱରରେ ଲୋ ଭିଜନ୍‌ କ୍ଲିନିକ୍‌ ଉଦ୍‌ଘାଟିତ

Odisha

ଏମ୍‌ସ ଭୁବନେଶ୍ୱରରେ ଲୋ ଭିଜନ୍‌ କ୍ଲିନିକ୍‌ ଉଦ୍‌ଘାଟିତ

Jitendra Dash
Browse all articles by Jitendra Dash
·2 years ago·2 min read
ଏମ୍‌ସ ଭୁବନେଶ୍ୱରରେ ଲୋ ଭିଜନ୍‌ କ୍ଲିନିକ୍‌ ଉଦ୍‌ଘାଟିତ

ଅର୍ଗସ ବ୍ୟୁରୋ : ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ଦୈନନ୍ଦିନ ଜୀବନରେ ଆସୁଥିବା ଏକାଧିକ ପ୍ରତିବନ୍ଧକ ଏବଂ ପ୍ରତିଘାତ କାରଣରୁ ନିରାଶ ହୋଇପଡ଼ିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏମ୍‌ସ ଭୁବନେଶ୍ୱର ଆଣିଦେଇଛି ଆଶାର କିରଣ। ଦୃଷ୍ଟି ଶକ୍ତି ଦୁର୍ବଳ ହେତୁ ପ୍ରାୟ ଆଶା ହରାଇଥିବା ରୋଗୀଙ୍କ ଜୀବନକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଉଦ୍‌ଘାଟିତ ହୋଇଛି “ଲୋ ଭିଜନ୍ କ୍ଲିନିକ୍”। ଏହି ବିଶେଷ ଭିଜନ କ୍ଲିନିକ୍ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ, ମଧୁମେହ, ରେଟିନା ରୋଗ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟିଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ ସେମାନଙ୍କର ସାଧାରଣ ଜୀବନଯାପନ ବ୍ୟବସ୍ଥାକୁ ସାହାଯ୍ୟ କରିବ। ଉପରୋକ୍ତ ଦୃଷ୍ଟିବାଧିତ ରୋଗୀମାନେ ଅସ୍ତ୍ରୋପଚାର କିମ୍ବା ଅନ୍ୟାନ୍ୟ ଚିକିତ୍ସା ସେବାରୁ କୌଣସି ଲାଭ ପାଇପାରନ୍ତି ନାହିଁ ଏବଂ ସେମାନଙ୍କର ସାମାଜିକ ଜୀବନ ବିଶେଷ ପ୍ରଭାବିତ ହୋଇଥାଏ। ସେମାନେ ସମାଜ ଓ ପରିବାର ଉପରେ ବୋଝ ଭାବି ନିରାଶ ହୋଇପଡ଼ିବା ସହିତ ହତାଶା ମଧ୍ୟରେ କାଳାତିପାତ କରନ୍ତି। ରାଜ୍ୟର ଯେକୌଣସି ସରକାରୀ ଅନୁଷ୍ଠାନ ମଧ୍ୟରେ ପ୍ରଥମ ଏହି ଲୋ ଭିଜନ୍‌ କ୍ଲିନିକ୍‌ ଉପରୋକ୍ତ ଦୃଷ୍ଟିଶକ୍ତିହୀନ ରୋଗୀଙ୍କ ପାଇଁ ଆଶାର ଏକ ନୂତନ ସୂର୍ଯ୍ୟୋଦୟ ଆଣିଦେବ। 

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି କ୍ଲିନିକ୍‌କୁ ଉଦ୍‌ଘାଟନ କରିଥିଲେ। ଡ. ଆର୍‌ ପି ସେଣ୍ଟର୍‌, ଏମ୍‌ସ ନିୟୁଦିଲ୍ଲୀର ଡ. ପ୍ରବୀଣ ବଶିଷ୍ଟ, ଏମ୍‌ସ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍‌ ଡ. ପ୍ରଶାନ୍ତ ରାଘବ ମହାପାତ୍ରଙ୍କ ଉପସ୍ଥିତିରେ ଏହି କ୍ଲିନିକର ଶୁଭାରମ୍ଭ ହୋଇଯାଇଛି। 

ଡ. ଆର୍‌ ପି ସେଣ୍ଟର୍‌, ଏମ୍‌ସ ନିୟୁଦିଲ୍ଲୀ ଏବଂ ଜର୍ମାନୀର କ୍ରିଷ୍ଟୋଫେଲ୍ ବ୍ଲିଣ୍ଡେନ୍ ମିସନ୍ (ସିବିଏମ୍)ର ସହଯୋଗରେ ସ୍ଥାପିତ ଏହି କ୍ଲିନିକ୍‌ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ରୋଗୀଙ୍କ ପାଇଁ କାର୍ଯ୍ୟ କରିବ। ଏମ୍‌ସ ଭୁବନେଶ୍ବର ଚକ୍ଷୁ ବିଭାଗରେ ଦୈନିକ କାର୍ଯ୍ୟକ୍ଷମ ଏହି କ୍ଲିନିକ୍‌ ଆବଶ୍ୟକ କରୁଥିବା ଲୋକଙ୍କୁ ଦୃଷ୍ଟିଶକ୍ତି ପୁନର୍ବାସ ସେବା ପ୍ରଦାନ କରିବାରେ ସହାୟକ ହେବ ଯାହାକି ସେମାନଙ୍କର ସାଧାରଣ ଜୀବନଯାପନ ପ୍ରଣାଳୀକୁ ସ୍ବାଭାବିକ କରିବ। 

ଚକ୍ଷୁ ବିଭାଗର ଏପରି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ କ୍ଲିନିକ୍‌ର ଦୂରଦର୍ଶୀ ପ୍ରଭାବ ଉପରେ ମତ ରଖିଥିଲେ। ନିୟମିତ ରୋଗୀ ପରାମର୍ଶ ଉପରେ ଗୁରୁତ୍ବ ଦେବା ସହିତ ଏମ୍‌ସ ନୂଆଦିଲ୍ଲୀକୁ "ରୋଶ୍‌ନି" ପ୍ରକଳ୍ପ ଅଧୀନରେ  ସହାୟତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଯୋଜନା ମାଧ୍ୟମରେ ଦେଶର ବିଭିନ୍ନ ଏମ୍‌ସ ତଥା ପ୍ରତିଷ୍ଠିତ ଚକ୍ଷୁ ସେବା ପ୍ରତିଷ୍ଠାନରେ ଏପରି କ୍ଲିନିକ୍‌ ସ୍ଥାପନ ହେଉଛି। ଏଥିସହିତ ଡ. ବିଶ୍ବାସ ଆଶା କର୍ମୀ ଏବଂ ସ୍ବେଚ୍ଛାସେବୀମାନଙ୍କୁ ଚକ୍ଷୁ ଯତ୍ନ ସମ୍ବନ୍ଧୀୟ ଜ୍ଞାନ ଆହରଣ ନିମନ୍ତେ ପ୍ରସ୍ତୁତ ତାଲିମ ମାନୁଆଲକୁ ଉନ୍ମୋଚନ କରିଥିଲେ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରୋଗୀ କଲ୍ୟାଣ ଉପରେ ଏହାର ପ୍ରଭାବକୁ ପ୍ରକାଶ କରିବା ସହିତ ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗ ମୁଖ୍ୟ ଡ. ସୁଚେତା ପରିଜା ଏହି କ୍ଲିନିକ୍‌ର କାର୍ଯ୍ୟକ୍ଷମତା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏହି କ୍ଲିନିକରୁ ବର୍ତ୍ତମାନ ସୁଦ୍ଧା ୭୫ରୁ ଅଧିକ ରୋଗୀ ଉପକୃତ ହୋଇସାରିଲେଣି। ଆଗାମୀ ଦିନରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ପୁନର୍ବାସ ନିମନ୍ତେ ବିଭିନ୍ନ ଦୃଷ୍ଟିହୀନ ବିଦ୍ୟାଳୟଗୁଡ଼ିକ ସହିତ ବୁଝାମଣା କରାଯିବ। ସେହିପରି ତୃଣମୂଳସ୍ତରରେ ପ୍ରାଥମିକ ଚକ୍ଷୁ ଚିକିତ୍ସା ପ୍ରଦାନ ନିମନ୍ତେ ଆଶା କର୍ମୀଙ୍କୁ ତାଲିମ ପ୍ରଦାନ ନିମନ୍ତେ ମଧ୍ୟ ଯୋଜନା ରହିଥିବା ଡ. ପରିଜା ସୂଚନା ଦେଇଛନ୍ତି। 

ଅଧିକ ପଢନ୍ତୁ ଓଡିଶା ଖବର

ଉଦଘାଟନୀ କାର୍ଯ୍ୟକ୍ରମରେ ସିଏମ୍‌ଏଫଏମ୍‌ ବିଭାଗ ମୁଖ୍ୟ ଡ. ସୋନୁ ସୁବା, ଫିଜିଓଲୋଜି ବିଭାଗ ମୁଖ୍ୟ ଡ. ପ୍ରଣତୀ ନନ୍ଦ, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ମୁକୁନ୍ଦ ସାହୁ, ଡ. ଭାଗବତ ନାୟକ, ଡ. ପ୍ରିୟଦର୍ଶିନୀ ମିଶ୍ର, ଡ. ସନ୍ଦିପ ସାହୁ, ଡ. ବୃତେନ୍ଦୁ ମହାରଣା, ଡ. ବିଜ୍ଞା ପଣ୍ଡା, ରେସିଡେଣ୍ଟ୍‌ ଡାକ୍ତର, ନର୍ସିଂ ଅଧିକାରୀ, କର୍ମଚାରୀ ଏବଂ ସ୍ୱଳ୍ପ ଦୃଷ୍ଟିଶକ୍ତି ରୋଗୀ ପ୍ରମୁଖ ଉପସ୍ଥିତ ଥିଲେ।

Sponsored
In an aim to illuminate the lives of patients who have almost lost hope due to severe visual impairments, AIIMS Bhubaneswar has started a “Low Vision Clinic” in the Department of Ophthalmology. | Argus News