|
logo
Live

Argus News - ଆଶ୍ରମ ସ୍କୁଲ୍‌ରେ ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ପ୍ରଧାନଶିକ୍ଷକ ନିଲମ୍ବିତ

Odisha

Food Poisoning Tragedy / ଆଶ୍ରମ ସ୍କୁଲ୍‌ରେ ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ପ୍ରଧାନଶିକ୍ଷକ ନିଲମ୍ବିତ

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ଆଶ୍ରମ ସ୍କୁଲ୍‌ରେ ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ପ୍ରଧାନଶିକ୍ଷକ ନିଲମ୍ବିତ
Food Poisoning at Ashram School

Key Points

ରାସଗୋବିନ୍ଦପୁର ବ୍ଲକ୍ କାକବନ୍ଧ ଆଶ୍ରମ ସ୍କୁଲ୍‌ ହଷ୍ଟେଲରେ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ । ୫୦ରୁ ଅଧିକ ପିଲାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି । ଆଇସିୟୁରେ ଥିବା ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ମୃତ୍ୟକୁ ନେଇ ପ୍ରକାଶ ପାଇଛି ଉତ୍ତେଜନା ।
ମୋରଡ଼ା/ବାରିପଦା: ହଷ୍ଟେଲରେ ବାସି ପଖାଳକୁ ଆଳୁ ଚଟଣି ଖାଇ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୫୦ ଜଣ ଛାତ୍ରୀଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ଥିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ରାସଗୋବିନ୍ଦପୁର ବ୍ଲକ୍ କାକବନ୍ଧ ଆଶ୍ରମ ସ୍କୁଲ୍‌ ହଷ୍ଟେଲରେ ଛାତ୍ରଛାତ୍ରୀ ରବିବାର ଦିନ ଭୋଜନ କରିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ଅସୁସ୍ଥଙ୍କୁ ପ୍ରଥମେ ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ୩ ଦଣ୍ଡୁଆଙ୍କ ମୃତ୍ୟୁ ଘଟଣା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

ସୋମବାର କିଛି ପିଲା ସୁସ୍ଥ ହୋଇ ହଷ୍ଟେଲ ଫେରିଥିଲେ ହେଁ ୫୦ରୁ ଅଧିକ ପିଲାଙ୍କ ଶରୀରରେ ସଂକ୍ରମଣ ମାତ୍ରା ଅଧିକ ଥିବାରୁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା । ଫଳରେ ସେମାନଙ୍କୁ ତୁରନ୍ତ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଜ୍ଵର ହେବା ସହ ଝାଡ଼ାବାନ୍ତି ଲାଗି ରହିଥିଲା ।

ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ରୁପାଲି ବେଶ୍ରା । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ମୋରଡ଼ା-ଜଳେଶ୍ଵର ମୁଖ୍ୟ ରାସ୍ତାକୁ ନଳଗଜା ଠାରେ ଅବରୋଧ କରିଛନ୍ତି ।

ଆଶ୍ରମ ସ୍କୁଲ୍‌ରେ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ମୟୂରଭଞ୍ଜ ଜିଲ୍ଲାପାଳ ଆକ୍ସନ୍ ମୋଡକୁ ଆସିଛନ୍ତି । କାର୍ଯ୍ୟରେ ଅବହେଳା ଦର୍ଶାଇ କାକବନ୍ଧ ଆଶ୍ରମ ସ୍କୁଲ୍‌ର ପ୍ରଧାନଶିକ୍ଷକ ଜୟନ୍ତ କୁମାର ପାଣିଗ୍ରାହୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ।

ଛାତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ପାଇଁ ତୁରନ୍ତ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରିବାକୁ ଦାବି ହୋଇଛି । ଏଥିସହ ​ମୃତ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବାକୁ ଦାବି ଉଠିଛି ।

ଏଥିସହ ପଢ଼ନ୍ତୁ: ବିଲ୍ ବାକି ଥିଲେ ବି କାଟିପାରିବେନି ବିଦ୍ୟୁତ ସଂଯୋଗ, ବିତରଣ କମ୍ପାନୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଖବର ପାଇ ମୋରଡ଼ା ବିଧାୟକ ତଥା ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଳମ୍ବିତ ରାତିରେ ବାରିପଦା ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ସେ ଅସୁସ୍ଥ ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ପିଲାଙ୍କୁ କିଭଳି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ, ସେ ନେଇ ସେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।

ଏହି ଘଟଣାକୁ ମନ୍ତ୍ରୀ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । କହିଛନ୍ତି, "ପିଲାଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳାଯାଇ ପାରିବ ନାହିଁ । ଖାଦ୍ୟର ମାନ ଏବଂ ସ୍ୱଚ୍ଛତା ରକ୍ଷାରେ ଯଦି କାହାର ଅବହେଳା ରହିଛି, ତାହାର ତଦନ୍ତ କରାଯିବ । ପିଲାଙ୍କ ଏଭଳି ସ୍ଥିତି ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Food Poisoning Tragedy: ଆଶ୍ରମ ସ୍କୁଲ୍‌ରେ ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ପ୍ରଧାନଶିକ୍ଷକ ନିଲମ୍ବିତ | Argus News